ପରୀକ୍ଷାରେ ଭଲ ରାଙ୍କ୍‌ ଥିଲା, ତଥାପି ମିଳିଲାନି ଚାକିରି; ଶେଷରେ…

ଥିରୁଭନନ୍ତପୁରମ୍‌: ଚାକିରି ନ ମିଳିବା ଯୋଗୁ ଚିନ୍ତାରେ ଥିବା ଜଣେ ୨୮ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବକ ଜଣକ କେରଳ ଥିରୁଭନନ୍ତପୁରମ୍‌ର ବୋଲି ଜଣାପଡ଼ିଛି।

ପୋଲିସ୍‌ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ଯେଉଁଥିରେ ଯୁବକ ଜଣକ ଲେଖିଥିଲେ, ଚାକିରି ନ ମିଳିବା ଯୋଗୁ ସେ ବହୁତ ଚିନ୍ତାରେ ଅଛନ୍ତି।

ସମ୍ପୃକ୍ତ ଯୁବକଙ୍କ ନାଁ ଅନୁ ବୋଲି ଜଣାପଡ଼ିଛି। ପରିବାର ଲୋକ ଦାବି କରିଛନ୍ତି ଯେ, କେରଳ ପବ୍ଲିକ୍‌ ସର୍ଭିସ୍‌ କମିଶନ ଲିଷ୍ଟ୍‌ରେ ଅନୁ ଭଲ ରାଙ୍କ୍‌ ପାଇଥିଲେ। ତେବେ ଖାଲି ପଡ଼ିଥିବା ସବୁ ପଦବୀ ପୂରଣ ହୋଇଯିବା ପରେ ଏହି ଲିଷ୍ଟ୍‌କୁ କ୍ୟାନ୍‌ସେଲ୍‌ କରି ଦିଆଯାଇଥିଲା। ଫଳରେ ତାଙ୍କୁ ଆଉ ଚାକିରି ମିଳିନଥିଲା। ଯେଉଁଥିପାଇଁ ସେ ଡିପ୍ରେସନ୍‌ରେ ଥିଲେ। ଏପରିକି ସେ କାହାସହ କଥା ହେଉନଥିଲେ କି ଖାଉନଥିଲେ ମଧ୍ୟ। ସବୁବେଳେ ଅନ୍ଧାରରେ ଗୋଟିଏ ସ୍ଥାନରେ ବସି ରହୁଥିଲେ।

ପବ୍ଲିକ୍‌ ସର୍ଭିସ୍‌ କମିଶନ ଲିଷ୍ଟ୍‌ରେ ଅନୁଙ୍କ ରାଙ୍କ୍‌ ୭୭ ଥିଲା ବୋଲି ତାଙ୍କର ଜଣେ ସମ୍ପର୍କୀୟ ନ୍ୟୁଜ୍‌ ଏଜେନ୍ସି PTIକୁ କହିଛନ୍ତି।

ଏହି ଘଟଣାକୁ ନେଇ ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌ର ସଦସ୍ୟ ଲୋପସ୍‌ ମାଥ୍ୟୁ ନ୍ୟୁଜ୍‌ ଏଜେନ୍ସି PTIକୁ ସୂଚନା ଦେଇ କହିଛନ୍ତି, କମିଶନ୍‌ଙ୍କ ପକ୍ଷରୁ କୌଣସି ଅବହେଳା କରଯାଇ ନାହିଁ। ଏଭଳି ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗୋଟିଏଥର ଲିଷ୍ଟ୍‌ ବାହରିବା ଅର୍ଥ ଏହା ନୁହେଁ ଯେ, ଲିଷ୍ଟ୍‌ରେ ଥିବା ସମସ୍ତଙ୍କୁ ଚାକିରି ମିଳିବ। ଖାଲି ପଡ଼ିଥିବା ପଦବୀ ଅନୁସାରେ ଚାକିରି ମିଳିଥାଏ।

୬୬ଟି ପଦବୀ ପୂରଣ ହେବାପରେ ଏହି ଲିଷ୍ଟ୍‌କୁ କ୍ୟାନ୍‌ସେଲ୍‌ କରାଯାଇଥିଲା ବୋଲି ପବ୍ଲିକ୍‌ ସର୍ଭିସ୍‌ କମିଶନ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ କେରଳ ସରକାରଙ୍କ ବିରୋଧରେ ବିଜେପି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଅନୁଙ୍କ ପରିବାର ଲୋକ ଆଣିଥିବା ଅଭିଯୋଗକୁ ଆଧାର କରି ପୋଲିସ୍‌ ଘଟଣାର ତଦନ୍ତ କରୁଛି।

You might also like