୨୭ ରାଜ୍ୟକୁ ବ୍ୟାପିଲାଣି କରୋନା, ଦିନକରେ ନେଲା ୫ ମୁଣ୍ଡ

ନୂଆଦିଲ୍ଲୀ: ଦେଶ ପରେ ରାଜ୍ୟକୁ ରାଜ୍ୟ ଡେଇଁବାରେ ଲାଗିଛି ବିଶ୍ୱ ମହାମାରୀ ନୋଭେଲ କରୋନା। ୨୭ ରାଜ୍ୟକୁ ବ୍ୟାପିଥିବା ଏହି ମାରାତ୍ମକ ଭାଇରସ୍ ପ୍ରଭାବରେ ଏବେ ୧୦୭୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଏବେ ୯୪୨ ଜଣଙ୍କ ଚିକିତ୍ସା କରାଯାଉଛି। ୧୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ମୃତ୍ୟୁ ସଂଖ୍ୟା ୨୯କୁ ଛୁଇଁଛି।

ଗତ ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ ହୋଇଛି।  ପ୍ରତିଦିନ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁଁ ଏହା ଅଧିକ ଚିନ୍ତା ବଢ଼ାଇଛି। କରୋନା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏଠି ସର୍ବାଧିକ ୮ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଆକ୍ରାନ୍ତଙ୍କ ସଂଖ୍ୟା୧୯୩କୁ ପହଞ୍ଚିଛି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରରରେ ୨୧୫, କର୍ଣ୍ଣାଟକାରେ ୮୮, ଦିଲ୍ଲୀରେ ୭୨, ତେଲେଙ୍ଗାନାରେ ୭୦, ରାଜସ୍ଥାନରେ ୬୯, ଗୁଜରାଟରେ ୬୯, ତାମିଲନାଡୁରେ ୬୭, ମଧ୍ୟପ୍ରଦେଶରେ ୪୭, ଜମ୍ମୁ-କଶ୍ମୀରରେ ୪୫, ପଞ୍ଜାବରେ ୩୯, ହରିଆଣାରେ ୩୫, ଆନ୍ଧ୍ର ପ୍ରଦେଶରେ ୨୩, ପଶ୍ଚିମବଙ୍ଗରେ ୨୨, ବିହାରରେ ୧୫, ଚଣ୍ଡିଗଡ଼ରେ ୧୩, ଲଦାଖରେ ୧୩, ଆଣ୍ଡାମାନ ନିକୋବରରେ ୧୦, ଛତିଶଗଡ଼ରେ ୭, ଉତ୍ତରାଖଣ୍ଡରେ ୭, ଗୋଆରେ ୩, ହିମାଚଳ ପ୍ରଦେଶରେ ୩, ଓଡ଼ିଶାରେ ୩, ମଣିପୁର, ମିଜୋରାମ ଓ ପୁଡୁଚେରୀରେ ଜଣେ ଲେଖାଏ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି।

ସେପଟେ ଦେଶରେ ଲାଗୁ ହୋଇଥିବା ୨୧ ଦିନିଆ ଲକଡାଉନ ଅବଧି ବୃଦ୍ଧି ସମ୍ଭାବନା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ପ୍ରସଙ୍ଗରେ ସ୍ପଷ୍ଟ କରିଛି ପ୍ରସାର ଭାରତୀ। ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ସେଭଳି କୌଣସି ଯୋଜନା ନାହିଁ

କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଉକ୍ତିକୁ ଉଦ୍ଧାର କରି ଏଭଳି ଟ୍ୱିଟ୍ କରି ସୂଚନା ଦେଇଛି ସରକାରୀ ଏଜେନ୍ସି ପ୍ରସାର ଭାରତୀ ନ୍ୟୁଜ ସର୍ଭିସ। ଲକ୍‌ଡାଉନ୍ ଅବଧି ବୃଦ୍ଧି ସମ୍ଭାବନା ନେଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଦେଖି ସେ ଚକିତ ବୋଲି ଟ୍ୱିଟ୍ କରିଛନ୍ତି ରାଜୀବ ଗୌବା।

You might also like