୨୫ ହଜାର ହୋମଗାର୍ଡଙ୍କ ଚାକିରି ଗଲା

ଲକ୍ଷ୍ନୌ: ଦୀପାବଳି ପୂର୍ବରୁ ଉତ୍ତର ପ୍ରଦେଶରେ କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି। ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୨୫ ହଜାର ହୋମଗାର୍ଡଙ୍କୁ ଯୋଗୀ ସରକାର ଚାକିରିରୁ ହଟାଇ ଦେଇଛନ୍ତି। ଦୈନିକ କାର୍ଯ୍ୟ ହିସାବରେ ଟଙ୍କା ନେଉଥିବା ଏହି ହୋମଗାର୍ଡମାନଙ୍କୁ ଏବେ କୌଣସି କାମରେ ନିୟୋଜିତ କରୁନାହାନ୍ତି।

ଅକ୍ଟୋବର ୧୧ରେ ଉତ୍ତର ପ୍ରଦେଶ ପୁଲିସ୍‌ ମୁଖ୍ୟ ଏକ ବିଜ୍ଞପ୍ତି ଜରିଆରେ ସମସ୍ତ ହୋମଗାର୍ଡଙ୍କୁ କୌଣସି ପ୍ରକାରର ସରକାରୀ କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଜ୍ଞପ୍ତିରେ ସେ କହିଛନ୍ତି ଯେ ଏପ୍ରିଲ ମାସରେ ନିୟମିତ ପୁଲିସ୍‌ ଫୋର୍ସ ପଦବୀ ଫାଙ୍କା ପଡ଼ିବାରୁ ୨୫ ହଜାର ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଥିଲା। ତେବେ ଏମାନଙ୍କୁ କାର୍ଯ୍ୟରୁ ବେଦଖଲ କରିବାକୁ ଅଗଷ୍ଟ ମାସରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା। ତେଣୁ ଏବେ ଏମାନଙ୍କୁ ଆଉ କୌଣସି କାର୍ଯ୍ୟ ନ ଦେବାକୁ ନିଷ୍ପତ୍ତି ହୋଇଛି।

ଯୋଗୀ ସରକାରଙ୍କ ପାଖରେ ହୋମାଗାର୍ଡ ମାନଙ୍କୁ ମଜୁରୀ ଦେବାକୁ ଟଙ୍କା ନଥିବାରୁ ଏଭଳି ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ନିକଟରେ ଯୋଗୀ ସରକାର ହୋମଗାର୍ଡଙ୍କ ଦୈନିକ ପ୍ରାପ୍ୟକୁ ୫୦୦ରୁ ୬୭୨ ଟଙ୍କାକୁ ବୃଦ୍ଧି କରିଥିଲେ। ରାଜ୍ୟରେ ପ୍ରାୟ ୧ ଲକ୍ଷ ହୋମଗାର୍ଡ ରହିଛନ୍ତି। ଏମାନେ ପୁଲିସ୍‌ ବାହିନୀ ସହ ମିଶି କାର୍ଯ୍ୟ କରନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ହୋମଗାର୍ଡ ଟ୍ରାଫିକ ପୋଷ୍ଟ, ଭିଆଇପିଙ୍କ ସୁରକ୍ଷା ଓ ବିଭିନ୍ନ କାର୍ଯ୍ୟକ୍ରମରେ ଭିଡ଼ ନିୟନ୍ତ୍ରଣ ପାଇଁ ମୁତୟନ ହୋଇଥାଆନ୍ତି।

ଗୋଟିଏ ପଟେ ଦେଶର ଅର୍ଥନୀତି ରସାତଳକୁ ଖସି ଯାଇଥିବାରୁ ଅନେକ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି। ଶ୍ରମିକ ଗୋଷ୍ଠୀଙ୍କୁ ବିଭିନ୍ନ କମ୍ପାନୀ ଚାକିରିରୁ ହଟାଇବାରେ ଲାଗିଛି। ଏପରି ସ୍ଥିତିରେ ୨୫ ହଜାର ହୋମଗାର୍ଡ ଚାକିରି ହରାଇବା ବେକାରୀ ସମସ୍ୟାକୁ ଦୁଇଗୁଣିତ କରିଛି।

You might also like