ଗୋଟିଏ ଆପାର୍ଟମେଣ୍ଟରେ ୨୫ ଜଣଙ୍କୁ କରୋନା

ହାଇଦ୍ରାବାଦ: ହାଇଦ୍ରାବାଦ ପୁରୁଣା ସହରର ମଦନନାପେଟ ଅଞ୍ଚଳରେ ଥିବା ଏକ ରେସିଡେନ୍ସିଆଲ ଆପାର୍ଟମେଣ୍ଟରେ ରହୁଥିବା ୨୫ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଜିଏଚ୍ଏମସି)ର ଜୋନାଲ କମିଶନର ଅଶୋକ ସମ୍ରାଟ ଶନିବାର ଦିନ ଏହି ସୂଚନା ଦେଇଛନ୍ତି।

ଚିକିତ୍ସା ପାଇଁ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ କେଉଁ କେଉଁମାନେ ଆସିଛନ୍ତି ସେମାନଙ୍କୁ ଖୋଜା ଚାଲିଛି ବୋଲି ଜୋନାଲ କମିଶନର କହିଛନ୍ତି।

ସେ ଆହୁରି କହିଛନ୍ତି, ଆପାର୍ଟମେଣ୍ଟର ଜଣେ ବ୍ୟକ୍ତି ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ଆପାର୍ଟମେଣ୍ଟରେ ଏକ ବର୍ଥ ଡେ’ ପାର୍ଟି ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ କିଛି ଲୋକ ଯୋଗ ଦେଇଥିଲେ। ତେବେ ଏହି ପାର୍ଟିରୁ କରୋନା ସଂକ୍ରମଣ ବ୍ୟାପିଛି ନା ନାହିଁ ସେନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ, ତେଲେଙ୍ଗାନାରେ ୧,୪୦୦ଶହରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୯ଶହରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ୩୪ଜଣଙ୍କ ମୃତ୍ୟୁ ଘଟିଛି।

You might also like