ମିଳିଲାନି ଅକ୍ସିଜେନ, ଆଖି ବୁଜିଲେ ୨୫ କରୋନା ରୋଗୀ

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ନେଇ ଏବେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କେଉଁଠି ହସ୍ପିଟାଲ୍‌ରେ ବେଡ୍‌ ନାହିଁ ତ ଆଉ କେଉଁଠି ଅକ୍ସିଜେନ୍‌ର ଅଭାବ। ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ଦିଲ୍ଲୀବାସୀଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଇଛି। ଦିଲ୍ଲୀର ହସ୍ପିଟାଲ୍‌ ଗୁଡ଼ିକରେ ଏବେ ବେଡ୍‌ ଓ ଅକ୍ସିଜେନ୍‌ ଅଭାବ ଦେଖା ଦେଇଛି। ଏସବୁ ଭିତରେ ଅକ୍ସିଜେନ୍‌ ଅଭାବରୁ ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଦିଲ୍ଲୀର ଜୟପୁର ଗୋଲ୍‌ଡେନ୍‌ ହସ୍ପିଟାଲ୍‌ରେ ଗତକାଲି ରାତିରେ ୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମୃତ୍ୟୁ ଅକ୍ସିଜେନ୍ ଅଭାବରୁ ହୋଇଥିବା କୁହାଯାଉଛି। ଏବେବି ହସ୍ପିଟାଲ୍‌ରେ ପରିସ୍ଥିତି ସୁଧୁରିନି। ତୁରନ୍ତ ଅକ୍ସିଜେନ୍ ନ ପହଞ୍ଚାଇଲେ ପରିସ୍ଥିିତି ଅଧିକ ବିଗିଡ଼ିବା ଆଶଙ୍କା କରି ଜରୁରୀକାଳୀନ ସାହାଯ୍ୟ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ନିବେଦନ କରାଯାଇଛି।

୩.୫ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ପହଞ୍ଚିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଓ ଏହା ଗତକାଲି ସନ୍ଧ୍ୟା ୫ଟା ସୁଦ୍ଧା ପହଞ୍ଚିବାର ଥିଲା। ହେଲେ ଏହା ମଧ୍ୟରାତ୍ରରେ ପହଞ୍ଚି ଥିଲା। ସେତେବେଳକୁ ୨୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି। ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ୨୧୫ କରୋନା ରୋଗୀଙ୍କ ଅବସ୍ଥା ଗୁରୁତର ଓ ସେମାନଙ୍କ ଅକ୍ସିଜେନର ଆବଶ୍ୟକତା ରହିଛି ବୋଲି ସୂଚନା ମିଳିଛି।

ସେହିପରି ଦିଲ୍ଲୀର ମୁଲ୍‌ଚାନ୍ଦ ହସ୍ପିଟାଲ୍‌ରେ ବି ଅକ୍ସିଜେନ୍ ଅଭାବ ଘଟଣା ସାମ୍ନାକୁ ଆସିଛି। ଟ୍ୱିଟ୍‌ କରି ଏନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାହାର୍ଯ୍ୟ ପାଇଁ ନିବେଦନ କରିଛନ୍ତି। ସରୋଜ ହସ୍ପିଟାଲ୍‌ରେ ବି ସମସ୍ୟା ବଢ଼ିବାରେ ଲାଗିଛି। ହସ୍ପିଟାଲ୍‌ରେ ନୂଆ ରୋଗୀଙ୍କ ଆଡ୍‌ମିଶନକୁ ବନ୍ଦ କରାଯାଇଥିବା ବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନୋଟିସ୍ ହୋଇଛି। ଅକ୍ସିଜେନ୍ ଅଭାବରୁ ୪୮ ଘଣ୍ଟା ମଧ୍ୟରେ ହସ୍ପିଟାଲ୍‌ରୁ ରୋଗୀ ଅନ୍ୟ ହସ୍ପିଟାଲ୍‌ରେ ବେଡ୍ ନେବାକୁ କୁହାଯାଇଛି। ସେପଟେ ଗତକାଲି ଦିଲ୍ଲୀରେ କରୋନା ମୃତ୍ୟୁ ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ଗତକାଲି ୩୪୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ପୁରୁଣା ଦିଲ୍ଲୀର ଅନେକ ଅଞ୍ଚଳରେ ଖାଲି ପଡ଼ିଆକୁ ଶ୍ମଶାନରେ ପରିଣତ କରାଯାଇଛି।

ଅକ୍ସିଜେନ୍ ଯୋଗାଣକୁ କେହି ରୋକି ପାରିବେନି। ଯଦି, କେହି ରୋକିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ଛଡ଼ାଯିବନି। ଅକ୍ସିଜେନ୍ ଟ୍ୟାଙ୍କର ଆସିବାରେ ବିଳମ୍ବ ହେଉଥିବା ଜଣାଇବା ପରେ ଆଜି ଏଭଳି କିଛି କହି କଡ଼ା ଚେତାବନୀ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ପକ୍ଷ ରଖାଯାଇଥିଲା। ଦିଲ୍ଲୀକୁ ଆବଶ୍ୟକ କରୁଥିବା ଅକ୍ସିଜେନ୍ ମିଳୁନି। ଫଳରେ ରୋଗୀଙ୍କ ମୃତ୍ୟୁରେ ବ୍ରେକ୍ ଲାଗୁନି। ବିଭିନ୍ନ ଅଞ୍ଚଳରେ ଅକ୍ସିଜେନ୍ ଯୋଗାଣରେ ବାଧା ଉପୁଜୁଛି। ସେପଟେ ଅକ୍ସିଜେନ୍ ଯୋଗାଣ ନେଇ କେନ୍ଦ୍ରକୁ ଦୋଷ ଲଦିବା ପରେ ଏନେଇ ଜବାବ ରଖିଛନ୍ତି କେନ୍ଦ୍ର ସରକାର। ସବୁବେଳେ ଛୋଟ ଛୁଆ ଭଳି ବ୍ୟବହାର ନକରି ଦିଲ୍ଲୀ ସରକାର ନିଜେ ବି ଚେଷ୍ଟା କରନ୍ତୁ ବୋଲି କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୪୬, ୭୮୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୨୬୨୪ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ସଂକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୬ ଲକ୍ଷ ୧୦ ହଜାର ୪୮୧ ହୋଇଛି।

You might also like