ଦେଶରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ଦେଶରେ ୨୪,୮୮୨ ନୂଆ ସଂକ୍ରମଣ

ଦେଶରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୪,୮୮୨ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧୧.୩୩ ନିୟୁତରେ ପହଞ୍ଚିଲାଣି। ଏହାସହ  ଗତ ଅଢେଇ ମାସ ମଧ୍ୟରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଡିସେମ୍ବର ୨୦ ତାରିଖରେ ସମଗ୍ର ଦେଶରେ ୨୬,୬୨୪ ନୂତନ ସଂକ୍ରମଣ ଚିହ୍ନଟ ହୋଇଥିଲେ। କେହି କେହି କହିଲେଣି ପୁଣି ଥରେ କଡ଼ ଲେଉଟାଉଛି କରୋନା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୪,୮୮୨ କରୋନାଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୧୪୦ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୩,୩୩,୭୨୮ରେ ପହଞ୍ଚିଲାଣି। ଏହାସହ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୮,୪୪୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୯,୯୫୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୯,୭୩,୨୬୦।

ସେପଟେ କରୋନାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମ୍ ରହିଛି। ଏବେ ଭ୍ୟାକ୍ସିନ୍ ମଧ୍ୟ ଆସିସାରିଛି । ତେବେ ଏହାର ଅର୍ଥ ନୁହେଁ ଯେ ଆମେ କରୋନାକୁ ହାଲ୍‌କା ଭାବେ ନେବା ।  ଅବହେଳା କରିବା । ଦେଶରେ ଏବେ ଯେଉଁ ୬ଟି ରାଜ୍ୟରେ କୋଭିଡ୍ କେସ୍ ବଢୁଛି ତାହା କେବଳ ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ  ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ।

କରୋନା ଏବେ ମଧ୍ୟ ସମ୍ପୂର୍ଣ୍ଣ ଯାଇନି। ଏଥିପ୍ରତି ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।  କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ  ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସେପଟେ ମହାରାଷ୍ଟ୍ରରେ ଗତକାଲି ୧୫ ହଜାର ୮୧୭ଟି ନୂଆ ମାମଲା ସାମ୍ନାକୁ ଆସିଥିଲା।  ଚଳିତ ବର୍ଷ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ମାମଲା।

ଏହାସହ ଆମେ ଯଦି ରାଜ୍ୟର କରୋନା ଆକ୍ରାନ୍ତଙ୍କ ଉପରେ ନଜର ପକାଇବା ତେବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍‌ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଂଟରରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ଅର୍ଥାତ୍‌ ସ୍ଥାନୀୟ ଅଂଚଳରୁ ମାତ୍ର ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨ ଜିଲ୍ଲାରୁ ଏ ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

You might also like