ଦେଶରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ଦେଶରେ ୨୨,୮୫୪ ନୂଆ ସଂକ୍ରମଣ ଚିହ୍ନଟ

ବଢୁଛି ସଂକ୍ରମଣ?

ନୂଆଦିଲ୍ଲୀ:  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨,୮୫୪ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ବର୍ତ୍ତମାନ ସମୟରେ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୧୨ କୋଟି ଟପିଯାଇଥିବା ନେଇ ସୂଚନା ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୨,୮୫୪ ନୂଆ ସଂକ୍ରମଣ ଓ ୧୨୬ ମୃତ୍ୟୁ ରେକର୍ଡ କରାଯାଇଛି।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୨,୮୫,୫୬୧ରେ ପହଞ୍ଚିଛି। ଏହାସହ ଗତ ୨୪ ଘଣ୍ଟାରେ ହୋଇଥିବା ୧୨୬ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୮,୧୮୯ରେ ପହଞ୍ଚିଛି। ଏହାଛଡ଼ା, ବର୍ତ୍ତମାନ ସମୟରେ ଦେଶରେ ଆକ୍ଟିଭ କେସର ସଂଖ୍ୟା ରହିଛି ୧,୮୯,୨୬୬। ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୫୨,୮୯,୬୯୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

କିନ୍ତୁ ଦେଶରେ ବଢୁଥିବା ସଂକ୍ରମଣକୁ ନେଇ ଏବେ ବି ଚିନ୍ତାରେ ଅଛନ୍ତି କେନ୍ଦ୍ର ସରକାର। ସେପଟେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ନାଗପୁରରେ ସପ୍ତାହକ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ମାର୍ଚ୍ଚ ୧୫ରୁ ୨୧ ଯାଏ ପୂରା ନାଗପୁରରେ ଲକ୍‌ଡାଉନ୍‌ କଡ଼ାକଡ଼ି ଭାବେ ପାଳନ କରାଯିବ। ଏହି ସମୟରେ ଜରୁରୀ ସେବା ଓ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ ବୋଲି ଜଣାଯାଇଛି । ପରିବା ଦୋକାନ, ଫଳ ଓ କ୍ଷୀର ବୁଥ୍‌ ଲକ୍‌ଡାଉନ୍ ସମୟରେ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ନାଗପୁର ପୋଲିସ୍ କମିଶନରେଟ୍‌ ଅଧୀନରେ ଆସୁଥିବା ସବୁ ସ୍ଥାନରେ ଲକ୍‌ଡାଉନ୍‌ ଲାଗୁ କରାଯିବ। ଗୁରୁବାର ଦିନ ନାଗପୁରରୁ ୧,୭୧୦ ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ପୂର୍ବରୁ ୧୪ ତାରିଖ ଯାଏ ନାଗପୁରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା।

ତେବେ ଆମେ ଯଦି ଆମ ରାଜ୍ୟର କରୋନା ସଂକ୍ରମିତଙ୍କ ଉପରେ ନଜର ପକାଇବା ତେବେ ଆଜି ରାଜ୍ୟରେ ମୋଟ୍‌ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଂଟରରୁ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ରହିଛି ୨୫। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ୧୪ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୬ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

ଏହାସହ କିଛି ଦିନର ବ୍ୟବଧାନ ପରେ ଗତକାଲି ପୁଣି ଥରେ କମିଥିଲା ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ରାଜ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ଜଣ କ୍ୱାରେଣ୍ଟାଇନ ସେଂଟରରୁ ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ଆକ୍ରାନ୍ତ ଲୋକାଲ କେସ ଅର୍ଥାତ୍‌ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିଲେ।

You might also like