ବନ୍ଧକ ଥିବା ୨୩ ଜଣ ପିଲା ଉଦ୍ଧାର, ପୁଲିସ୍‌ ଗୁଳିରେ ବନ୍ଧକର ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଫାରୁକାବାଦ ଜିଲ୍ଲାରେ ୨୩ ଜଣ ପିଲାଙ୍କୁ ବନ୍ଧକ ରଖିଥିବା ବନ୍ଧକର ମୃତ୍ୟୁ ଘଟିଛି। ଏହାସହ ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ହତ୍ୟା ଅଭିଯୁକ୍ତ ଏହି ବନ୍ଧକ ଜଣକ ଜାମିନରେ ଫେରି ନିଜ ଘରେ ନିଜର ବର୍ଷକର ଝିଅ ଓ ପତ୍ନୀଙ୍କ ସମେତ ୨୦ରୁ ଅଧିକ ପିଲାଙ୍କୁ ବନ୍ଦୀ କରି ରଖିଥିଲା।

ଗତକାଲି ରାତିରେ ସେମାନଙ୍କୁ ଉଦ୍ଧାର ବେଳେ ପୁଲିସ୍‌ ଗୁଳିରେ ସମ୍ପୃକ୍ତ ବନ୍ଧକର ମୃତ୍ୟୁ ଘଟିଛି। ମୃତ ବନ୍ଧକର ନାଁ ସୁଭାଷ ବାଥମ ବୋଲି ଜଣାପଡ଼ିଛି। ଉଦ୍ଧାରକାର୍ଯ୍ୟ ବେଳେ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା ଉକ୍ତ ବନ୍ଧକ ଜଣକ। ଫଳରେ ପୁଲିସ୍‌ର ପାଲଟା ଗୁଳିରେ ବନ୍ଧକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ପୁଲିସ୍‌ର କହିବାନୁସାରେ, ଝିଅର ଜନ୍ମଦିନ ପାଳନ କରିବାର ଲୋଭ ଦେଖାଇ ବନ୍ଧକ ଜଣକ ପଡ଼ୋଶୀ ପିଲାଙ୍କୁ ଘରକୁ ଆମନ୍ତ୍ରଣ କରିଥିଲା। ସମସ୍ତ ପିଲା ଘର ଭିତରକୁ ପ୍ରବେଶ କରିବା ପରେ ସେ (ବନ୍ଧକ) ତୁରନ୍ତ ସେମାନଙ୍କୁ ବନ୍ଧୁକ ଦେଖାଇ ବନ୍ଦୀ କରି ନେଇଥିଲା। ଏହି ବନ୍ଦୀମାନଙ୍କ ଭିତରେ ବନ୍ଧକର ପତ୍ନୀ ଓ ବର୍ଷକର ଝିଅ ବି ଥିଲା।

ଯେତେବେଳେ ପିଲାମାନେ ସେମାନଙ୍କ ଘରକୁ ଫେରି ନ ଥିଲେ, କିଛି ପଡ଼ୋଶୀ ସୁଭାଷଙ୍କ ଘରର କବାଟ ବାଡ଼େଇଥିଲେ। ଏହି ସମୟରେ ବନ୍ଧକ ପଡ଼ୋଶୀଙ୍କ ଉପରକୁ ଗୁଳି ଚଳାଇଥିଲେ।

ଏତେ ସଂଖ୍ୟକ ପିଲା ବନ୍ଧକ ରହିଥିବା ଖବର ଜଣାପଡ଼ିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିପରି ଭାବେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିବ ସେନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଥିଲେ। ଘଟଣାସ୍ଥଳରେ ୟୁପି ପୁଲିସ୍‌ର STF କମାଣ୍ଡୋ, ATS ବା ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍‌ ପହଞ୍ଚିଥିଲେ।

ବନ୍ଧକ ଜଣକ ପୁଲିସ୍‌ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ପ୍ରାୟ ୧୦ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ଓ ପୁଲିସ୍‌ ଗୁଳିରେ ବନ୍ଧକର ମୃତ୍ୟୁ ଘଟିଥିଲା।

You might also like