ରୋଗୀଙ୍କ ଜୀବନ ସହ ଖେଳ, ମକ୍‌ଡ୍ରିଲ୍‌ ନାଁରେ ବନ୍ଦ କରିଦେଲେ ଅକ୍ସିଜେନ୍‌ ସପ୍ଲାଏ

ଆଗ୍ରା: ରୋଗୀଙ୍କ ଜୀବନ ସହ ଖେଳ। ଉତ୍ତରପ୍ରଦେଶର ଆଗ୍ରାରେ ଏଭଳି କିଛି ଘଟଣା ଘଟିଥିବା ଏବେ ସାମ୍ନାକୁ ଆସିଛି। ଆଗ୍ରାର ଏକ ପ୍ରମୁଖ ଘରୋଇ ହସ୍ପିଟାଲ୍‌ ମାଲିକଙ୍କ ଏକ ଭିଡିଓ ଭାଇରାଲ୍‌ ହେବା ପରେ ପୁରା ଘଟଣା ଏବେ ସାମ୍ନାକୁ ଆସିଛି। ଗତ ଏପ୍ରିଲ ୨୬ ସକାଳେ ହସ୍ପିଟାଲ୍‌ରେ ଗୁରୁତର ରୋଗୀଙ୍କ ଅକ୍ସିଜେନ୍‌ ସପ୍ଲାଏକୁ ୫ ମିନିଟ୍‌ ପାଇଁ ବନ୍ଦ କରି ଦିଆଯାଇଥିଲା। ଅକ୍ସିଜେନ୍‌ ସପ୍ଲାଏ ବନ୍ଦ ହେବା ପରେ କେଉଁ କେଉଁ ରୋଗୀ ବଞ୍ଚୁଛନ୍ତି, ତାହା ଦେଖିବା ପାଇଁ ଏକ୍ସପେରିମେଣ୍ଟ ଭାବେ ଅକ୍ସିଜେନ୍‌ ସପ୍ଲାଏକୁ ବନ୍ଦ କରି ଦିଆଯାଇଥିଲା ବୋଲି ହସ୍ପିଟାଲ୍‌ ମାଲିକ କହୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି। ତେବେ ହସ୍ପିଟାଲ୍‌ରେ ଅକ୍ସିଜେନ୍‌ ମକ୍‌ଡ୍ରିଲ୍‌ ସମୟରେ ୨୨ ଜଣ ରୋଗୀଙ୍କ ଜୀବନ ଚାଲି ଯାଇଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ କିଛି ଜଣ କୋଭିଡ୍‌ ୱାର୍ଡରେ ଭର୍ତ୍ତି ଥିବାବେଳେ ଆଉ କିଛି ଜଣ ଅଣ-କୋଭିଡ୍‌ ୱାର୍ଡର ବୋଲି ଜଣାପଡ଼ିଛି। ହେଲେ ସେମାନଙ୍କର ମୃତ୍ୟୁ ନେଇ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ।

“ପ୍ରକୃତରେ ସେଦିନ ଅକ୍ସିଜେନ୍‌ର ଅଭାବ ଦେଖା ଦେଇଥିଲା। ଆମେ ଲୋକଙ୍କୁ କହିଥିଲୁ ଯେ, ସେମାନେ ସେମାନଙ୍କର ରୋଗୀଙ୍କୁ ନେଇ ଯାଆନ୍ତୁ। ହେଲେ କେହିବି ପ୍ରସ୍ତୁତ ନଥିଲେ। ତେଣୁ ଏକ୍ସପେରିମେଣ୍ଟ୍‌ ଭାବେ ଏକ ମକ୍‌ ଡ୍ରିଲ କରିବା ପାଇଁ ମୁଁ ନିଷ୍ପତ୍ତି ନେଲି। ଏପ୍ରିଲ ୨୬ ସକାଳ ୭ଟାରେ ୫ ମିନିଟ୍‌ ପାଇଁ ଅକ୍ସିଜେନ୍‌ ସପ୍ଲାଏକୁ ଆମେ ବନ୍ଦ କରି ଦେଇଥିଲୁ। ଫଳରେ ୨୨ ଜଣ ରୋଗୀ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଓ ସେମାନଙ୍କର ଶରୀର ନୀଳ ହେବାରେ ଲାଗିଲା। ଏହାପରେ ଆମେ ଜାଣିବାକୁ ପାଇଲୁ ଯେ, ଏଭଳି କେସ୍‌ରେ ବିନା ଅକ୍ସିଜେନ୍‌ରେ ଏମାନଙ୍କର ବଞ୍ଚିବା କଷ୍ଟକର। ବାକି ୭୪ ଜଣ ରୋଗୀ, ଯେଉଁମାନେ ଆଇସିୟୁ ୱାର୍ଡରେ ଥିଲେ ସେମାନଙ୍କୁ ନିଜ ପାଇଁ ଅକ୍ସିଜେନ୍‌ ସିଲିଣ୍ଡର ଯୋଗାଡ଼ କରିବା ଲାଗି ପାଇଁ ସେମାନଙ୍କର ପରିବାର ଲୋକଙ୍କୁ କୁହାଯାଇଥିଲା‘ ବୋଲି ଭାଇରାଲ୍‌ ଭିଡିଓରେ ହସ୍ପିଟାଲ୍‌ ମାଲିକ କହୁଥିବା ଦେଖିବାକୁ ମିଳିଛି।

ଘଟଣାକୁ ନେଇ ଆଗ୍ରା ଜିଲ୍ଲାର ମୁଖ୍ୟ ମେଡିକାଲ୍‌ ଅଧିକାରୀ କହିଛନ୍ତି, ଆମେ ଏହି ଘଟଣାକୁ ନେଇ ତଦନ୍ତ ପାଇଁ ଏକ କମିଟି ଗଠନ କରିଛୁ।

You might also like