ଛତିଶଗଡ଼ : ପୁଣି ରକ୍ତର ହୋଲି ଖେଳିଲେ ମାଓବାଦୀ।  ସୁକମାରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟଣାରେ ୨୨ ଜଣ ସହିଦ ହୋଇଥିବା ସୂଚନା ମିଳିଛି । ଗତକାଲି ଛତିଶଗଡ଼ର ତରେମ୍‌ ଜଙ୍ଗଲରେ ନକ୍ସଲ୍‌ମାନଙ୍କ ସହ ଗୁଳି ବିନିମୟରେ ଆଜି ସକାଳ ସୁଦ୍ଧା ୮ ଜଣ ଯବାନ ସହିଦ ହୋଇଥିଲେ । ଅନ୍ୟପଟେ  ୨୧ଜଣ ଯବାନ ନିଖୋଜ ହୋଇଥିବା କୁହାଯାଉଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ଗୁଳି ବିନମୟରେ ମୋଟ ୨୨ ଜଣ ଯବାନ ସହିଦ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି ।  ତେବେ ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ଅନ୍ୟପଟେ ଏବେ ବି ଆଉ ଜଣେ ଯବାନ ନିଖୋଜ ଅଛନ୍ତି ଏବଂ ୩୦ ଜଣ ଆହତ ଯବାନ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏହା ଚଳିତ ବର୍ଷର ସବୁଠାରୁ ବଡ଼ ମାଓବାଦୀ ଆକ୍ରମଣ ।

ଶନିବାର ଦିନ ଏହି ଆକ୍ରମଣରେ ମାଓବାଦୀମାନେ ରକେଟ ଲଞ୍ଚର ଓ ଏଲଏମଜିର ବ୍ୟବହାର କରିଥିଲେ ।  ସୁରକ୍ଷାକର୍ମୀମାନେ ମାଓବାଦୀ ବିରୋଧରେ ସବୁଠାରୁ ମଜଭୁତ ଗଡ଼ ବିଜାପୁରରେ ଅପରେସନ ଚଳାଇଥିବା ବେଳେ ଏହି ଅତର୍କିତ ଆକ୍ରମଣ ହୋଇଥିଲା । ନକ୍ସଲମାନେ ଯବାନଙ୍କୁ ଗତକାଲି ତିନି ପ୍ରକାରରେ ଆକ୍ରମଣ କରିଥିଲେ । ପ୍ରଥମେ ଗୁଳି ଚଳାଇବା ସହ ଦ୍ୱିତୀୟରେ ମୁନିଆ ଅସ୍ତ୍ରଶସ୍ତ୍ର ସହ ଆକ୍ରମଣ କରିଥିଲେ । ଆଉ ତା’ ପରେ ଦେଶୀ ରକେଟ ଲଞ୍ଚରରେ ପାଖାପାଖି ୨୦୦ରୁ ୩୦୦ ମାଓବାଦୀ ଦଳ ସରୁକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲା । କିଛି ସମୟ ମଧ୍ୟରେ ସିଆରପିଏଫ୍ ଡିଜି ମାଓ‍ବାଦୀଙ୍କ ଏହି ଅଭେଦ୍ୟ ଗଡ଼ରେ ପହଞ୍ଚିବେ । ଏହା ବ୍ୟତୀତ ପ୍ରଦେଶ ଓ କେନ୍ଦ୍ର ୟୁନିଟ ମଧ୍ୟରେ ସେଠାରେ ପହଞ୍ଚି ମାଓ ବିରୋଧୀ ଅଭିଯାନକୁ ଆହୁରି ତୀବ୍ରତର କରିବ ବୋଲି ସୂଚନା ମିଳିଛି  ।

 

ଗତକାଲି ତରେମ ଥାନା ଅନ୍ତର୍ଗତ ଜୁନାଗଡା ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ-ମାଓବାଦୀ। ଏହି ଏନକାଉଣ୍ଟରରେ ଗତକାଲି ୫ଜଣ ଯବାନ ସହିଦ ହୋଇଥିବା ବେଳେ ଆକ୍ରମଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ ୨ଜଣ ନିହତ ହୋଇଥିଲେ । ଗତକାଲି ଛତିଶଗଡ଼ରେ ସହିଦ ହୋଇଥିବା ଯବାନଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୋକବ୍ୟକ୍ତ କରିଥିଲେ।

ତେବେ ଏହି ଘଟଣାକୁ ନେଇ ସମବେଦନା ଜଣାଇଛନ୍ତି ଓଡ଼ିଶା ଡିଜିପି ଅଭୟ। ସେ କହିଛନ୍ତି, ସମସ୍ତେ ମିଶି ନକ୍ସଲଙ୍କ ମୁକାବିଲା କରିବାକୁ ପ୍ରତିବଦ୍ଧ । ଓଡ଼ିଶା ଓ ଛତିଶଗଡ଼ ପୋଲିସ ଏବଂ ସିଆରପିଏଫ୍  ମିଶି ମୁକାବିଲା କରିବ । ଅନ୍ୟପଟେ ଓଡ଼ିଶାରେ ମାଓବାଦୀଙ୍କ ସଂଖ୍ୟା ଓ ପ୍ରଭାବ କମିଛି ବୋଲି କହିଛନ୍ତି ଅଭୟ।

Other Stories