କ୍ଷଣିକ ଭିତରେ ହୋଇଗଲା ଛାରଖାର…ମାଟିରେ ମିଶିଗଲା ସବୁକିଛି

ଇସ୍ତାନବୁଲ୍‌: ଗ୍ରୀସ୍‌ ଓ ତୁର୍କୀରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୨୨ଜଣଙ୍କ ମୃତ୍ୟୁ ଘଟିଛି। ୭ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେଣୁ ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୦ ଥିଲା।

ଶୁକ୍ରବାର ଅପରାହ୍ଣରେ ହୋଇଥିବା ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ସତେ ଯେମିତି କ୍ଷଣକ ମଧ୍ୟରେ ସବୁକିଛି ଛାର୍‌ଖାର୍‌ ହୋଇଯାଇଥିଲା। ଆଉ ମାଟିରେ ମିଶି ଯାଇଥିଲା ସବୁକିଛି।

ଆଖି ପିଛୁଳାକେ ବଡ଼ ବଡ଼ ଅଟ୍ଟାଳିକା ସବୁ ଭୁଶୁଡ଼ି ମାଟିରେ ମିଶି ଯାଇଥିଲା। ଭୁଶୁଡ଼ି ପଡ଼ିଥିବା ବଡ଼ ବଡ଼ ଅଟ୍ଟାଳିକାର ଭଗ୍ନାବଶେଷ ତଳୁ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ଲୋକ ଚାପି ହୋଇ ପ୍ରାଣ ହରାଇଥିଲେ।

ଭଗ୍ନାବଶେଷ ନିକଟରେ ଲୋକମାନେ ସେମାନଙ୍କ ପରିଜନଙ୍କୁ ବିକଳରେ ଖୋଜୁ ଥିବାବେଳେ ଲୋକମାନେ ଚିତ୍କାର କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ସବୁଠାରୁ ବଡ଼ କଥା ହେଉଛି, ଭୂକମ୍ପ ପରେ ଆସିଥିବା ସୁନାମି ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ଆହୁରି ଦ୍ୱିଗୁଣିତ କରି ଦେଇଛି। ସହର ଭିତରକୁ ସମୁଦ୍ର ପାଣି ମାଡ଼ି ଆସିବା ପରେ ଲୋକମାନେ ବାସହରା ହୋଇଯାଇଛନ୍ତି।

ଏହା ପୂର୍ବରୁ ୧୯୯୯ରେ ତୁର୍କୀରେ ହୋଇଥିବା ଭୂମିକମ୍ପରେ ୧୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

You might also like