ଶବ ଦାହ ଗୃହରେ ମୃତ ଯୁବତୀ ଜିଇଁ ଉଠିଲେ !

ମିଶିଗନ୍‌: ଆମେରିକାର ମିଶିଗନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୨୦ ବର୍ଷର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ଆୟୋଜନ ଚାଲିଥିଲା। ହଠାତ୍‌ ଯୁବତୀ ଜଣକ ଆଖି ଖୋଲିଥିଲେ। ନିଃଶ୍ୱାସ ପ୍ରଶ୍ୱାସ ମଧ୍ୟ ନେବା ଆରମ୍ଭ କରିଥିଲେ। ଏହି ଘଟଣା ଦେଖି ସେଠାରେ ଉପସ୍ଥିତ ଲୋକେ ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ।

ଡେଲି ମେଲର ରିପୋର୍ଟ ଅନୁସାରେ, ୨୦ ବର୍ଷୀୟ ଏହି ଯୁବତୀଙ୍କ ନାଁ ତିମେଶା ବେଉଚ୍ୟେମ୍ପ। ରବିବାର ସକାଳ ପ୍ରାୟ ୭.୩୦ରେ ପରିବାର ଲୋକେ ତାଙ୍କୁ ବେହୋଶ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତରମାନେ ପରୀକ୍ଷା କରି ଜାଣିବାକୁ ପାଇଥିଲେ,  ଝିଅଟି ନିଃଶ୍ୱାସ ନେଉନାହିଁ। ଡାକ୍ତରମାନେ ୩୦ ମିନିଟ ଧରି ଚେଷ୍ଟା କରବା ସତ୍ତ୍ୱେ ତାଙ୍କର ହୋସ୍‌ ଫେରି ନ ଥିଲା। ଶେଷରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏ ନେଇ ଜଣେ ସ୍ଥାନୀୟ ପୋଲିସ ClickOnDetroit ନାମକ ଏକ ୱେବସାଇଡ୍‌କୁ ସୂଚନା ଦେଇ କହିଥିଲେ, ଯେତେବେଳେ ଯୁବତୀ ଜଣକ ଶବଦାହ ଗୃହରେ ଆଖି ଖୋଲିଲେ ଏବଂ ନିଃଶ୍ୱାସ ନେବାକୁ ଲାଗିଲେ ସେ ଏ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଫୋନ କରି ଜଣାଇଥିଲେ। ତେବେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ସେ ମରି ଯାଇଛି ବୋଲି ତାଙ୍କୁ କହିଥିଲେ ।

ଶବଦାହ ଗୃହରେ ଯୁବତୀ ଆଖି ଖୋଲି ନିଃଶ୍ୱାସ ନେଉଥିବା ଦେଖି ତାଙ୍କୁ ପୁନର୍ବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ମିଡିଆ ରିପୋର୍ଟ ଅନୁସାରେ, ଯୁବତୀ ବେହୋଶ ହୋଇଯିବା ପରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା। ସେଠାରେ ସବୁ ପରାକ୍ଷା ପରେ ଡାକ୍ତରଖାନ ପକ୍ଷରୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସ୍ଥାନୀୟ ଫାୟାର ଡିପାର୍ଟମେଣ୍ଟର ଡେପୁଟି କମିଶନର କହିଛନ୍ତି, ‘ତାଙ୍କର ହୃଦସ୍ପନ୍ଦନର ଗତି ୮୦ ଥିଲା। ସେ ବଞ୍ଚିଥିବେ ଏକଥା ବିଶ୍ୱାସ କରି ହେଉନି।’

ଏହି ଘଟଣାରେ ଯୁବତୀଙ୍କ ମା’ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ଆମକୁ ୧୦୦ ପ୍ରତିଶତ ନିଶ୍ଚିତ କରାଇବା ପରେ ଆମେ ଶେଷ ସତ୍କାର କରିବା ପାଇଁ ନେଇଥିଲୁ। ତେବେ ପରେ ଶବଦାହ ଗୃହରୁ ଫୋନ ଆସିଥିଲା ଯେ ତୁମ ଝିଅ ବଞ୍ଚିଛି । ସେ ଆଖି ଖୋଲି ଚାହୁଁଛି ଏବଂ ନିଃଶ୍ୱାସ ମଧ୍ୟ ନେଉଛି। ତାକୁ ଡାକ୍ତରଖାନା ନିଆଯାଇଛି। ଯୁବତୀଙ୍କ ମା‘ କହିଛନ୍ତି, ଏବେ ବି ଆମକୁ ଏହା ଭୟଙ୍କର ସ୍ୱପ୍ନ ପରି ମନେ ହେଉଛି।

You might also like