ସବରିମାଳାରେ ମହିଳାଙ୍କ ପ୍ରବେଶକୁ ବିରୋଧ ଜାରି

ଥିରୁଭନନ୍ତପୁରମ୍: ସବରିମାଳାରେ ନିର୍ଦ୍ଦିଷ୍ଟ ବୟସ ବର୍ଗର ମହିଳାଙ୍କ ପ୍ରବେଶକୁ ବିରୋଧ ଜାରି ରହିଛି। ଆଜି ୧୦ରୁ ୫୦ ବର୍ଷ ବୟସ ଭିତରର ୨ ଜଣ ମହିଳା ମନ୍ଦିରରେ ପ୍ରବେଶ ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି।
ମାଲାପୁରମର ବିନ୍ଦୁ ଏବଂ କୋଜେକୋଡେର ଦୁର୍ଗା ମନ୍ଦିରକୁ ଯିବା ଲାଗି ମହିଳା ଦ୍ୱୟ ପାମ୍ବାରେ ପହଞ୍ଚିଥିଲେ। ସେଠାରୁ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ୨ ଜଣଙ୍କୁ ପୁଲିସ୍ କଡ଼ା ସୁରକ୍ଷା ବଳୟରେ ନେଇଥିଲା।

ଘଣ୍ଟା ଘଣ୍ଟା ପରିଶ୍ରମ କରି ପାହାଡ଼ ଚଢ଼ି ସନ୍ନିଧାନମଠାରୁ ଏକ କିଲୋମିଟରେ ପଛକୁ ଥିବା ମାରାକୁତାମରେ ପହଞ୍ଚିଥିଲେ। ରାସ୍ତାରେ ଆପାଚିମେଡୁରେ ତାଙ୍କୁ ପ୍ରବଳ ବିରୋଧର ସାମନା କରିବାକୁ ପଡ଼ିଥିଲା। ଏହାସତ୍ତ୍ୱେ ବହୁ ପରିମାଣର ପୁଲିସ ସୁରକ୍ଷା ଦେଇ ନେଇଥିଲେ, ହେଲେ ମାରାକୁତାମରେ ଅତ୍ୟାଧିକ ବିରୋଧ କରାଯିବାରୁ ପୁଲିସ୍ ୨ ମହିଳାଙ୍କୁ ପାମ୍ବା ବେସ୍ କ୍ୟାମ୍ପକୁ ଫେରାଇ ଆଣିଛନ୍ତି।

ଆସନ୍ତା ୨୭ରେ ସ୍ୱାମୀ ଆୟପ୍ପାଙ୍କ ମନ୍ଦିର ବନ୍ଦ ହେବାକୁ ଯାଉଛି। ସେପ୍ଟେମ୍ବର ୨୮ତାରିଖରେ ମହିଳାଙ୍କ ପ୍ରବେଶ ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ପରମ୍ପରାବାଦୀ ଏହାକୁ ବିରୋଧ କରିଆସୁଛନ୍ତି। ତିନି ତିନି ଥର ମନ୍ଦିର ଖୋଲିଥିଲେ ବି ନିର୍ଦ୍ଦିଷ୍ଟ ବୟସର ମହିଳା ମନ୍ଦିରରେ ପ୍ରବେଶ କରିବାକୁ ସକ୍ଷମ ହୋଇନାହାନ୍ତି।

 

You might also like