ନିଜାମୁଦ୍ଦିନ ଧର୍ମୀୟ ସଭାରୁ ଫେରିଥିବା ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି ନିଜାମୁଦ୍ଦିନ ଫେରନ୍ତା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସବୁଠାରୁ ସାଂଘାତିକ ଅବସ୍ଥା ଦିଲ୍ଲୀରେ ଦେଖିବାକୁ ମିଳିଛି। କରୋନା ସଂକ୍ରମଣରେ ଦିଲ୍ଲୀରେ ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ମୃତକ ମରକଜ ଧର୍ମସଭା ସହ ଲିଙ୍କ ଥିବା ସୂଚନା ଦେଇଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସେହିଭଳି ସଂକ୍ରମିତଙ୍କ ମଧ୍ୟରୁ ୧୦୮ ଜଣ ନିଜାମୁଦ୍ଦିନ ଧର୍ମସଭା ସହ ସମ୍ପର୍କ ରଖିଥିବା କେଜରିଓ୍ୱାଲ କହିଛନ୍ତି।

ରାଜ୍ୟର ଏବେ ମୋଟ ୨୦୮ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୬ ଜଣ ଭଲ ହୋଇ ଘରକୁ ଫେରିଛନ୍ତି। କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୯ ଜଣ ବିଦେଶୀ ଫେରନ୍ତା ଥିଲେ। ତେବେ ବିଦେଶୀ ଲିଙ୍କରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ରହିଥିଲେ ବି ମରକଜରୁ ଫେରିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଭାବେ ସଂକ୍ରମିତ ହେଉଥିବା ନଜର ଆସୁଛି।

ସେପଟେ ମରକଜରୁ ୨ ହଜାର ୩୪୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଏମାନଙ୍କ ମଧ୍ୟରୁ ୧୮୧୦ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୫୩୬ ଜଣ ଲୋକେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

You might also like