ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ଦୁଇ ଗିରଫ

ପିଠୋରାଗଡ଼: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିତାରମଣଙ୍କୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଉତ୍ତରାଖଣ୍ଡ ପୁଲିସ୍‌ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ନିଶାରେ ଚୁର୍‌ ଥିବା ପୁଲିସ୍‌ କହିଛି। ସୋମବାର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଉତ୍ତରାଖଣ୍ଡର ଦାରଚୁଲା ଟାଉନ୍‌ ଗସ୍ତରେ ଯାଇଥିଲେ।

ଗିରଫ ଦୁଇଜଣ ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍ ମାଧ୍ୟମରେ ନିର୍ମଳାଙ୍କୁ ଗୁଳି କରି ହତ୍ୟା କରିବା ପାଇଁ ଯୋଜନା କରୁଥିଲେ। ରବିବାର ସକାଳ ପ୍ରାୟ ସାଢ଼େ ୯ ବେଳେ ପୁଲିସ୍‌ ଏ ବିଷୟରେ ଜାଣିବା ପରେ ଅପରାଧୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା।

ସୋମବାର ସକାଳୁ ଦୁଇ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ୍‌। ଉଭୟଙ୍କ ବିରୋଧରେ ଆପିସି ଆକ୍ଟ ୫୦୬(ଅପରାଧିକ ଧମକ୍‌ ଦେବା) ଓ ଆଇଟି ଆକ୍ଟ ୬୬ ଧାରା ଲାଗୁ ହୋଇଛି।

ଏହି ଘଟଣାରେ ପୁଲିସ୍‌ ଗ୍ରୁପ୍‌ ଆଡ୍‌ମିନ୍‌ଙ୍କୁ ମଧ୍ୟ ପଚରାଉଚରା କରୁଛି। ଏଥିସହିତ ଘଟଣାର ତଦନ୍ତ ଜାରି ରହିଛି ବୋଲି ପିଠୋରଗଡ଼ ଏସ୍‌ପି ରାମଚନ୍ଦ୍ର ରାଜଗୁର କହିଛନ୍ତି।

You might also like