ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ୱାସିମ ଜିଲ୍ଲାରେ ଗତକାଲି ୩୧୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୯୦ ଜଣ ଛାତ୍ରଛାତ୍ରୀ। ୱାସିମ ଜିଲ୍ଲାର ରିସୋଡ ତହସିଲର ଏକ ସ୍କୁଲ ହଷ୍ଟେଲରେ ୧୯୦ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତେବେ କୋଭିଡ ପଜିଟିଭ ବାହାରିଥିବା ମହାରାଷ୍ଟ୍ରର ସେହି ସ୍କୁଲକୁ‌ ଏବେ କଣ୍ଟେନ୍‌ମେଣ୍ଟ୍‌ ଜୋନ ଘୋଷଣା କରାଯାଇଛି।

ହଷ୍ଟେଲରେ  ରହୁଥିବା ସମସ୍ତ ଛାତ୍ର ଅମରାବତୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ହଷ୍ଟେଲରେ ଅମରାବତୀ, ହିଙ୍ଗୋଲୀ, ନାନ୍ଦେଦ, ବଶୀମ, ବୁଲଧାନା, ଅକୋଲାର ୩୨୭ ଛାତ୍ର  ରହି ପାଠ ପଢନ୍ତି। ଏହି ଜିଲ୍ଲାମାନଙ୍କ ମଧ୍ୟରୁ କେତେକ ଜିଲ୍ଲାରେ ଦୈନିକ କରୋନା ଭାଇରସ୍‌ ସଂକ୍ରମଣ ମାମଲା ଖୁବ୍‌ ଅଧିକ ଆସୁଥିବା ଜଣାପଡ଼ିଛି। ଅମରାବତୀରୁ ହିଁ କରୋନାର ଦ୍ୱିତୀୟ ଲହରୀ ସୃଷ୍ଟି ହୋଇଥିବା କୁହାଯାଉଛି । ଏଠାରେ ମାର୍ଚ୍ଚ ୧ ଯାଏଁ ଲକଡାଉନ୍ ଲାଗୁ ହୋଇଛି । ତେବେ ମହାରାଷ୍ଟ୍ରରେ ଅଞ୍ଚଳବାସୀ କଟକଣା ନମାନିଲେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ଓ ମୁମ୍ବାଇ ପୁଲିସ କହିଛି।

ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହରୀ ପ୍ରଚଣ୍ଡ ହେବାରେ ଲାଗିଛି। ରାଜ୍ୟରେ ବିଗତ ୨୪ ଘଣ୍ଟାରେ ୧୧୯ ଦିନ ପରେ  ୮୮୦୭ ନୂଆ କେସ୍ ସାମ୍ନାକୁ ଆସିଛି । ୧୮, ଅକ୍ଟୋବର ପରେ ଏହା ସର୍ବାଧିକ ଦୈନିକ ମାମଲା। ଗତ ୨୪ ଘଣ୍ଟାରେ ୮୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବିଗତ ୫୬ ଦିନ ପରେ ସର୍ବାଧିକ ମୃତ୍ୟୁ ମାମଲା ରେକର୍ଡ଼ ହୋଇଛି। ଏହା ପୂର୍ବରୁ ଡିସେମ୍ବର ୩୦ରେ ୯୦ ଜଣ କରୋନା ସଂକ୍ରମିତ ଜୀବନ ହାରିଥିଲେ। ଅନ୍ୟପଟେ ଧାରାବୀରେ ପୁଣି ଏକ ମାସ ପରେ ଦୁଇ ଅଙ୍କ ଛୁଇଁଛି ସଂକ୍ରମିତଙ୍କ ସଂଖ୍ୟା, ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୭୩୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମଣ ୧ କୋଟି ୧୦ ଲକ୍ଷ ୪୬ ହଜାର ୯୧୪ରେ ପହଂଚିଛି। ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨ ୧୬,୭୩୮ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୧୩୮ ମୃତ୍ୟୁ ରେକର୍ଡ କରାଯାଇଛି। ସେହିପରି ୧୩୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୬,୭୦୫ରେ ପହଞ୍ଚିଛି। ସେହିପରି ୧୧ ହଜାର ୭୯୯ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୭ ଲକ୍ଷ ୩୮ ହଜାର ୫୦୧କୁ ବୃଦ୍ଧି ପାଇଥିବା ବେଳେ ଆରୋଗ୍ୟ ହାର ୯୭.୨୧% ରହିଛି।

Other Stories