ଜଙ୍ଗଲ ଭିତରେ ମରି ପଡ଼ିଛନ୍ତି ୧୮ ହାତୀ : ବଜ୍ରାଘାତରେ ମୃତ୍ୟୁ ଆଶଙ୍କା

ନାଗାଓ : ଜଙ୍ଗଲ ଭିତରେ ମରି ପଡ଼ିଛନ୍ତି ୧୮ ହାତୀ । ଏପରି କିଛି ଘଟଣା ଘଟିଛି ଆସାମର ନାଗାଓ କାଠିଆଟୋଲୀ ରେଞ୍ଜର ପାହାଡ଼ିଆ ଅଞ୍ଚଳରେ । କୁନ୍ଦୋଲି ସଂରକ୍ଷିତ ଜଙ୍ଗଲର ଦୁଇଟି ପୃଥକ ସ୍ଥାନରେ ଏତେ ସଂଖ୍ୟାରେ ହାତୀମାନଙ୍କ ମୃତଦେହ ଠାବ ହୋଇଛି । ୧୪ ଟି ହାତୀର ମୃତେଦେହ ପାହାଡ଼ର ଉପର ଅଞ୍ଚଳରୁ ମିଳିଥିବା ବେଳେ ପାହାଡ଼ ତଳୁ ୪ଟି ହାତୀଙ୍କର ମୃତଦେହ ଉଦ୍ଧାର କରାଯାଇଛି। ବଜ୍ରପାତରୁ ହାତୀଙ୍କ ମୃତ୍ୟୁ ହୋଇଥିବା ନେଇ ଜଙ୍ଗଲ ବିଭାଗ ସନ୍ଦେହ କରୁଛି ।

ଘଟଣାସ୍ଥଳରେ ଆସାମ ବନ୍ୟପ୍ରାଣୀ ବିଭାଗ, ବିଶେଷଜ୍ଞ ଟିମ୍ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । କିପରି ହାତୀଙ୍କ ମୃତ୍ୟୁ ହେଲା ସେ ନେଇ ଖୋଲତାଡ଼ ହେଉଛି । ବଜ୍ରପାତ ଯୋଗୁ ଏପରି ଅଘଟଣ ଘଟିଥିବା କିଛି ପ୍ରତକ୍ଷ୍ୟଦର୍ଶୀ ବୟାନ ଦେଇଛନ୍ତି । ତେବେ ହାତୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଏନେଇ ସ୍ପଷ୍ଟ ହେବ ବୋଲି କହିଛନ୍ତି ଆସାମ ଜଙ୍ଗଲ ମନ୍ତ୍ରୀ ପରିମଲ ଶୁକ୍ଲାବୈଦ୍ୟ । ଆସାମରେ ଏ ଘଟଣାରେ ବ୍ୟଥିତ ହୋଇଛନ୍ତି ପଶୁପ୍ରେମୀ । ଦେଶରେ ଏକାବେଳ କୌଣସି ଦୁର୍ଘଟଣାରେ ଏତେ ସଂଖ୍ୟାରେ ହାତୀ ମୃତ୍ୟୁ ନିହାତି ବିରଳ ଘଟଣା ବୋଲି କୁହାଯାଉଛି ।

You might also like