ଏହି ଦେଶରେ ଲକ୍‌ଡାଉନ୍‌ ନିୟମକୁ ନ ମାନିବାରୁ ୧୮ ଜଣଙ୍କୁ ହତ୍ୟା

ନାଇଜେରିଆ: କରୋନା ଭାଇରସକୁ ରୋକିବା ପାଇଁ ବିଶ୍ୱର ଅନେକ ଦେଶରେ ଲକଡାଉନ୍ ଜାରି କରାଯାଇଛି।  ଅନେକ ସ୍ଥାନରେ ଲକ୍‌ଡାଉନ୍‌ ନିୟମକୁ ଲୋକମାନେ ମାନୁ ନଥିବା ଖବର ରହିଛି। ଆମେରିକାର କେତେକ ସହରର ଲୋକମାନେ ଏହି ଲକ୍‌ଡାଉନ୍‌ ନିୟମକୁ ରାସ୍ତାରେ ବିରୋଧ କରୁଛନ୍ତି। କିନ୍ତୁ ନାଇଜେରିଆରେ ଲକ୍‌ଡାଉନ୍‌ କାରଣରୁ ୧୮ ଜଣ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ, ଲକ୍‌ଡାଉନ୍‌ର ନିୟମକୁ ପାଳନ କରିବା ନେଇ ନାଇଜେରିଆର ପୋଲିସ ଏବଂ ଅନ୍ୟ ସୁରକ୍ଷା କର୍ମୀ ୧୮ ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି। ଘଟଣାଟି ଯେତେବେଳେ ଘଟିଥିଲା, ସେତେବେଳେ ନାଇଜେରିଆରେ କରୋନା ଯୋଗୁଁ ମାତ୍ର ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ସୁଦ୍ଧା ମୃତ୍ୟୁ ସଂଖ୍ୟା ସେଠାରେ ୧୭ କୁ ବୃଦ୍ଧି ପାଇଛି।

ସେଠାକର ସାଧାରଣ ଜନତା ଏହି ଘଟଣା ସହ ଜଡିତ ଭିଡିଓକୁ ଜାତୀୟ ମାନବ ଅଧିକାର ଆୟୋଗକୁ ପଠାଇବା ପରେ ଏହି ହତ୍ୟାକାଣ୍ଡ ବିଷୟରେ ଜଣାପଡିଥିଲା। ଏନେଇ କମିଶନ ସ୍ପଷ୍ଟ ସୂଚନା ଦେଇ କହିଛନ୍ତି ଯେ, ସୁରକ୍ଷା ବାହିନୀ ଦ୍ୱାରା ୧୮ଜଣଙ୍କର ମୃତ୍ୟୁ ଘଟିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ନାଇଜେରିଆରେ ୪୯୩ଟି କରୋନାରେ ସଂକ୍ରମିତ ଥିବା ଜଣାପଡିଛି। କିନ୍ତୁ ସେଠାକାର ଲୋକମାନଙ୍କୁ ଭୟ ରହିଛି ଯେ ଜନଗହଳି ହେଲେ ଏହି ଭାଇରସ ଶୀଘ୍ର ବ୍ୟାପିଥାଏ। ନାଇଜେରିଆର ଜନସଂଖ୍ୟା ପ୍ରାୟ ୨୦ କୋଟି ।

ନାଇଜେରିଆର ପୋଲିସ ଏବଂ ଅନ୍ୟ ସୁରକ୍ଷା ବାହିନୀ ଲୋକମାନଙ୍କ ଉପରେ କଠୋର ଦଣ୍ଡ ବିଧାନ କରୁଛନ୍ତି। ଘଟଣାର ତଦନ୍ତରୁ ଜଣାପଡିଛି ଯେ, ଗତ ଏକ ବର୍ଷ ମଧ୍ୟରେ ପୋଲିସ କର୍ମୀ ଓ ଅନ୍ୟ ସୁରକ୍ଷା କର୍ମୀଙ୍କ ଦ୍ୱାରା ପ୍ରାୟ ୧୪୭୬ଜଣଙ୍କର ମୃତ୍ୟୁ ଘଟିଛି।

ଜାତୀୟ ମାନବ ଅଧିକାର ଆୟୋଗଙ୍କ  କହିବା ଅନୁଯାୟୀ, ଲକ୍‌ଡାଉନ୍‌ ନିୟମକୁ ଭାଙ୍ଗି ବିଭିନ୍ନ ଜାଗାରେ ଘଟିଥିବା ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି।

You might also like