ଆସିଲା ଦୁଃଖଦ ଖବର: ମାଓ ଆକ୍ରଣରେ ୧୭ ଯବାନ ସହିଦ

ରାୟପୁର: ସାରା ଦେଶ ମହାମାରୀ କରୋନା ଭାଇରସ୍ ସହିତ ଲଢୁଥିବା ବେଳେ ଦେଶ ପାଇଁ ଏକ ଦୁଃଖଦ ଖବର ଆସିଛି। ଛତିଶଗଡ଼ ସୁକ୍‌ମାରେ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ। ଏଥିରେ ୧୭ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ  ଗୁରୁତର ଆହତ ହୋଇଛନ୍ତି। ଶନିବାର ନକ୍ସଲଙ୍କ ସହ ଯବାନଙ୍କର ଏପରି ମୁହାଁମୁହିଁ ହୋଇଥିଲା। ଏଥିରେ ଏହି ୧୭ ଯବାନଙ୍କ ପତ୍ତା ମିଳିନଥିଲା।

ରବିବାର ପୁଲିସ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଯବାନମାନେ ଶନିବାର ନକ୍ସଲଙ୍କ ସହ ସୁକ୍‌ମାଠାରେ ମୁହାଁମୁହିଁ ହୋଇଥିଲେ। ଏହାପରେ ନିଖୋଜ ହୋଇଥିବା ୧୭ ଜଣ ଯବାନଙ୍କ ମରଶରୀର ଆଜି ଉଦ୍ଧାର କରାଯାଇଛି। ଜଙ୍ଗଲ ଭିତରୁ ସର୍ଚ୍ଚ ଟିମ୍‌ ଏହି ମରଶରୀର ଠାବ କରିବା ସହି ଉଦ୍ଧାର କରିଛି। ଏହି ସୂଚନା ଦେଇଛନ୍ତି ବସ୍ତର ରେଞ୍ଜ ଆଇଜିପି ସୁନ୍ଦରରାଜ ପି।

ଶନିବାର ବହୁତ ସଂଖ୍ୟାରେ ନକ୍ସଲ ଏକାଠି ହୋଇଥିବାର ସୂଚନା ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ ମିଳିତ ଅପରେସନ୍‌ ହୋଇଥିଲା। ଏଥିରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ, ସିଆରପିଏଫ୍‌ର କମାଣ୍ଡୋ ବାଟାଲିଅନ୍‌ ଫର ରିସୋଲ୍ୟୁଟ୍‌ ଆକ୍ସନ୍‌ ଆଦି ଏଥିରେ ଭାଗ ନେଇଥିଲେ।

ପ୍ୟାଟ୍ରୋଲିଂ ଟିମ୍‌ ମିନ୍‌ପା ଗାଁ ପାଖ ଜଙ୍ଗଲ ଦେଇ ଯିବାବେଳେ ପ୍ରାୟ ୨୫୦ ସଶସ୍ତ୍ର ନକ୍ସଲ ସଂଙ୍ଘବଦ୍ଧ ଆକ୍ରମଣ କରିଥିଲେ। ଏହି ଗୁଳିବିନିମୟ ଲଢ଼େଇ ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା। ଏହାପରେ ୧୭ ଜଣ ନିଖୋଜ ହୋଇଥିବା ଜଣାପଡ଼ିଥିଲା, ଯାହାଙ୍କ ମରଶରୀର ଆଜି ଉଦ୍ଧାର କରାଯାଇଛି। ଆହତମାନଙ୍କୁ ବିମାନ ଯୋଗେ ରାୟପୁର ନିଆଯାଇଛି। ଏହି ହସ୍ପିଟାଲରେ ଦୁଇ ଜଣ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି।

ତେବେ ଛତିଶଗଡ଼ ଏମିତି ମାଓ ବର୍ବରତା ପ୍ରଥମଥର ପାଇଁ ଘଟି ନାହିଁ। ପୂର୍ବରୁ ଅନେକ ଥର ଏଭଳି ବଡ଼ ଧରଣର ଆକ୍ରମଣରେ ଏକାଧିକ ଯବାନ ଓ ପୁଲିସ କର୍ମୀ ସହିଦ ହୋଇଛନ୍ତି। ଆସନ୍ତୁ ସେହି ତଥ୍ୟ ଉପରେ ଟିକେ ନଜର ପକାଇନେବା।

୨୦୦୯ ଜୁଲାଇ ୧୩ ତାରିଖରେ ଛତିଶଗଡ଼ର ରାଜନନ୍ଦଗାଓଁରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ସହିତ କେତେକ ସ୍ଥାନରେ ମାଓ ଆକ୍ରମଣ ହୋଇଥିଲା। ଏଥିରେ ଜିଲ୍ଲା ଏସପିଙ୍କ ସହିତ ୩୦ ପୁଲିସ୍‌ କର୍ମୀ ସହିଦ ହୋଇଥିଲେ।

ସେହିଭଳି ୨୦୧୦ ଏପ୍ରିଲ୍‌ ୬ ତାରିଖରେ ସୁକମା ବଡ଼ଧରଣର ମାଓ ଆକ୍ରମଣ ଘଠି  ୭୫ ଜଣ ସୁରକ୍ଷକର୍ମୀ ଓ ପୁଲିସ ଯବାନ ସହିଦ ହୋଇଥିଲେ। ପୁଣି ସହିବର୍ଷ ଜୁନ୍‌ ୨୦ ତାରିଖରେ ଛତିଶଗଡ଼ର ନାରାୟଣପୁରରେ ମାଓ ଆକ୍ରମଣ ହୋଇଥିଲା। ଏଥିରେ ସିଆର୍‌ପିଏଫ୍‌ର ୩୯ ଯବାନ ସହିଦ ହୋଇଥିଲେ।

୨୦୧୩ ମେ ୨୫ରେ ସେହି ଛତିଶଗଡ଼ର ଧର୍ବା ଭେଲିରେ ମାଓ ଆକ୍ରମଣରେ ୩ ରାଜନେତାଙ୍କ ସହିତ ୧୮ ରାଜନୈତିକ କର୍ମୀ ପ୍ରାଣ ହରାଇଥିଲେ। ସୁକ୍‌ମାରୁ ନିର୍ବାଚନ ରାଲି କରି ଫେରୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ମାଓବାଦୀ। ମୃତ ନେତାମାନେ ହେଲେ- ମହେନ୍ଦ୍ର କର୍ମା, କଂଗ୍ରେସ ନେତା ଭି.ସି. ଶୁକ୍ଲା ଉଦୟ ମୁଦାଲିୟର ଏବଂ ନନ୍ଦକୁମାର ପଟେଲ।

ପୁଣି ୨୦୧୪ ମାର୍ଚ୍ଚ ୧୧ ତାରିଖରେ ସେହି ସୁକ୍‌ମାରେ ବଡ଼ଧରଣର ମାଓ ଆକ୍ରମଣ ହୋଇଥିଲା। ଏଥିରେ ୧୫ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ। ଏହାର କିଛି ମାସ ପରେ ଡିସେମ୍ବର ୧ ତାରିଖରେ ସେହି ସୁକ୍‌ମାରେ ପୁଣିଥରେ ଆକ୍ରମଣ କରିଥିଲେ ମାଓବାଦୀ। ଏଥିରେ ୧୪ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ।

ଆଉ ଏହାର ବର୍ଷକ ପରେ, ମାନେ ୨୦୧୫ ଏପ୍ରିଲ୍‌ ୧୦-୧୩ ତାରିଖ ମଧ୍ୟରେ ଛତିଶଗଡ଼ ଦାନ୍ତେୱାଡ଼ାରେ ମାଓବାଦୀମାନେ ଯବାନଙ୍କ ଗାଡ଼ିକୁ ଲ୍ୟାଣ୍ଡମାଇନ୍ ବିସ୍ପୋରଣ କରି ଉଡ଼ାଇ ଦେଇଥିଲେ। ଏଥିରେ ୭ ଯବାନ ସହିଦ ହୋଇଥିଲେ।

୨୦୧୭ ମାର୍ଚ୍ଚ ୧୧ରେ ଛତିଶଗଡ଼ ସୁକ୍‌ମାରେ ମଓଆକ୍ରମଣରେ ୧୨ ସିଆର୍‌ପିଏପ୍ ଯବାନ ସହିଦ ହୋଇଥିଲେ। ଏହାର ମାତ୍ର ମାସକ ପରେ ଏପ୍ରିଲ୍‌ ୨୪ ତାରିଖରେ ପୁଣି ସିହେ ସ୍ଥାନରେ ବଡ଼ ଧରଣର ମାଓବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୨୫ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ। ଏଥିରେ ୧୦ରୁ ୧୨ ମାଓବାଦୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

You might also like