ଦେଶରେ କେତେ ଡାକ୍ତରଙ୍କ ଜୀବନ ନେଇଛି ମହାମାରୀ କରୋନା ?

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଜାଲରୁ କରୋନା ଯୋଦ୍ଧା ବି ବର୍ତ୍ତିପାରିନାହିନ୍ତି। ଯିଏ ନିଜ ଜୀବନ ବାଜି ଲଗାଇ କୋଟି କୋଟି ଲୋକଙ୍କ ସେବା କରୁଥିଲେ, ସେମାନଙ୍କ ମଧ୍ୟରୁ ଅନେକଙ୍କ ଜୀବନ ଚାଲିଯାଇଛି। ଦେଶରେ କରୋନା ସଂକ୍ରମିତ ହୋଇ ୧୬୨ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଜାନୁଆରୀ ୨୨ ସୁଦ୍ଧା ୧୦୭ ନର୍ସ, ୪୪ ଆଶାକର୍ମୀଙ୍କ ମୃତ୍ୟୁ ହୋଇଛି। ଏନେଇ ସଂସଦରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଲିଖିତ ଭାବେ ଉତ୍ତର ରଖିଛନ୍ତି।

କରୋନା ମୁକାବିଲା ପାଇଁ ସମସ୍ତ  ଘରୋଇ ଓ ସରକାରୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ‌ ନିଜ ଜୀବନକୁ ବାଜି ଲଗେଇ ଲଢୁଛନ୍ତି। କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ଯଦି କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ ପ୍ରାଣ ହରାନ୍ତି, ତା’ହେଲେ ସେମାନଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। କେନ୍ଦ୍ରର ଏହି ଅଭିଯାନରେ ଓଡ଼ିଶା ସରକାର ସାମିଲ ହୋଇଥିଲେ। ପ୍ରାଣ ହରାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟକାଳ ଶେଷ ହେବା ଯାଏ ପୂର୍ଣ୍ଣ ଦରମା ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।

ନବୀନ କହିଥିଲେ ଯେ କରୋନା ଯୁଦ୍ଧର ପ୍ରକୃତ ସୈନିକ ହେଉଛନ୍ତି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ। କରୋନା ରୋଗୀଙ୍କ ଚିକିତ୍ସା ବେଳେ ଯଦି କୌଣସି ଘରୋଇ ବା ସରକାରୀ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କର ମୃତ୍ୟୁ ଘଟେ ତେବେ ସେମାନଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ମିଳିବ। ଏଥି ସହିତ ଅବସର ଯାଏ  ସେମାନଙ୍କ ପରିବାରକୁ ପୂରା ଦରମା ମିଳିବ। ଆଜି ଦେଶରେ ୮,୬୩୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ଗତ ୮ ମାସରେ ସବୁଠୁ ସର୍ବନିମ୍ନ ଆଜି ଚିହ୍ନଟ ହୋଇଛନ୍ତି।

ସେହପରି ଦୀର୍ଘ ୯ ମାସ ଧରି ଶତାଧିକ ମୃତ୍ୟୁରେ ମଧ୍ୟରେ ବି ବ୍ରେକ୍‌ ଲାଗିଛି। ଦିନକରେ ୧୦୦ରୁ କମ୍ ତଥା ୯୪ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୬୬,୨୪୫ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧,୫୪,୪୮୬ରେ ପହଞ୍ଚିଛି। ସେହିପରି ୧,୦୪,୪୮,୪୦୬ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

କରୋନା ସଫଳ ମୁକାବିଲାରେ ଯାହାଙ୍କ ପ୍ରମୁଖ ଭୂମିକା ରହିଛି, ସେମାନେ ହେଲେ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀ। ଏମାନେ କେବଳ ରୋଗୀଙ୍କୁ ସେବା କରିନାହାନ୍ତି ବରଂ ଅନେକ ସମୟରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ତଥାପି ବିଶ୍ୱ ମହାମାରୀ ବିରୋଧରେ ଯୁଦ୍ଧ କରିବା ପାଇଁ କେବେ ବି ପଛରୁ ହଟିନାହାନ୍ତି। କରୋନା ଟିକା କୋଭିସିଲ୍ଡ ଆସିବା ପରେ ପ୍ରଥମେ ସମ୍ମୁଖ ଯୋଦ୍ଧା ତଥା ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଥିଲା।

You might also like