ବାହାରୁ ତାଲା ପଡ଼ିଥିଲା, ଘର ଭିତରେ ଜଳିଗଲେ ଝିଅ


ମୁମ୍ବାଇ:  ବାପାମା’ ବାହାର ପଟୁ ତାଲା ପକାଇ ବାହାରକୁ ଯାଇଥିଲେ। ଏହି ସମୟରେ ଘରେ ନିଆଁ ଲାଗିଗଲା।  ଜୀବନ୍ତ ଜଳିଗଲେ ଘର ଭିତରେ ଥିବା ଝିଅ ଶ୍ରାବଣୀ ଚଭନ।  ମୁମ୍ବାଇର ଦାଦ୍ରା ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଏଠାରେ ଥିବା ଏକ ଆପାର୍ଟମେଣ୍ଟରେ ଶ୍ରାବଣୀ ଚଭନ ନିଜ ବାପାମା’ଙ୍କ ସହ ରହୁଥିଲେ। ରବିବାର ଶ୍ରାବଣୀ ଶୋଇଥିବା ବେଳେ ବାହାର ପଟୁ ବାପାମା’ କବାଟ ଦେଇ ଏକ ବିବାହ ଉତ୍ସବକୁ ଚାଲି ଯାଇଥିଲେ। ସେମାନେ ଭାବିଥିଲେ ଶ୍ରାବଣୀ ତାଙ୍କ ରୁମରେ ରହି ପାଠ ପଢ଼ିବ। ତେବେ ଘରେ ହଠାତ୍‌ ନିଆଁ ଲାଗିଗଲା । ଶ୍ରାବଣୀ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ ହେଁ  ବାହାର ପଟୁ ଲକ୍‌ ହୋଇଥିବାରୁ ସେ ଏଥିରେ ସଫଳ ହୋଇପାରି ନଥିଲେ।

ରବିବାର ରାତି ୧.୪୫ରେ ଶ୍ରାବଣୀ ରହୁଥିବା ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଥିଲା। ରବିବାର ହୋଇଥିବାରୁ ଏହି ମହଲାରେ ଆଉ କୌଣସି ଲୋକ ନଥିଲେ। ଫଳରେ ଶ୍ରାବଣୀ ସାହାଯ୍ୟ ପାଇଁ ବିକଳ ହୋଇ ଯେତେ ଚିତ୍କାର କରିଥିଲେ ହେଁ ତାଙ୍କ ସ୍ୱର କାହାକୁ ଶୁଭି ନଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଶ୍ରାବଣୀଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ନିଆ ଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

You might also like