ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ICUରେ ଚିକିତ୍ସିତ ହେଉଥିଲେ ଗୁରୁତର ୧୬ କରୋନା ରୋଗୀ

  • ସୁରତ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ର ICUରେ ଅଗ୍ନିକାଣ୍ଡ
  • ଅଗ୍ନିକାଣ୍ଡ ପରେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଗୁରୁତର ୧୬ କରୋନା ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର
  • ପାଖାପାଖି ଅଧ ଘଣ୍ଟା ପରେ ଆୟତ୍ତକୁ ଆସିଲା ନିଆଁ 
  • ଏସିରେ ବ୍ଲାଷ୍ଟ୍‌ କିମ୍ବା ସର୍ଟ ସର୍କିଟ୍‌ ନଚେତ୍‌ ଓଭରଲୋଡିଂ ଯୋଗୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ

ସୁରତ: ଗୁଜରାଟ ସୁରତ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତିରେ ଷ୍ଟେସନ ରୋଡ୍‌ ସ୍ଥିତ ଆୟୁଷ ହସ୍ପିଟାଲ୍‌ର ICUରେ ନିଆଁ  ଲାଗି ଯାଇଥିଲା। ଅଗ୍ନିକାଣ୍ଡ ପରେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଗୁରୁତର ୧୬ କରୋନା ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡରେ ହସ୍ପିଟାଲ୍‌ରେ କୌଣସି କ୍ଷୟକ୍ଷତି ଘଟିନଥିବା ଜଣାପଡ଼ିଛି। ପାଖାପାଖି ଅଧ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

ଷ୍ଟେସନ ରୋଡ୍‌ରେ ଥିବା ଏକ ବହୁ ମହଲା ବିଶିଷ୍ଟ ବିଲ୍ଡିଂର ପଞ୍ଚମ ମହଲାରେ ନିଆଁ ଲାଗି ଯାଇଥିଲା। ଏହାପରେ ICUରେ ଭର୍ତ୍ତି ହୋଇଥିବା ୧୬ କରୋନା ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।

ଘଟଣାକୁ ନେଇ ସୁରତ ମ୍ୟୁନିସିପାଲ୍‌ କମିଶନ(SMC)ର ଚିଫ୍‌ ଫାୟାର ଅଫିସର ଇନ୍‌ଚାର୍ଜ କହିଛନ୍ତି, ‘ବିଲ୍ଡିଂର ପଞ୍ଚମ ମହଲାରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ ICUରେ ୧୬ ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ଅଗ୍ନିଶମ ବାହିନୀ ୧୧ ରୋଗୀଙ୍କୁ ଉଦ୍ଧାର କରିଥିଲେ। ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ଅନ୍ୟ ୫ ରୋଗୀଙ୍କୁ ହସ୍ପିଟାଲ୍‌ ଷ୍ଟାଫ୍‌ ସୁରକ୍ଷିତ ଭାବେ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ଏସିରେ ବ୍ଲାଷ୍ଟ୍‌ କିମ୍ବା ସର୍ଟ ସର୍କିଟ୍‌ ନଚେତ୍‌ ଓଭରଲୋଡିଂ ଯୋଗୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ସୂଚନାଥାଉ କି, କିଛିଦିନ ତଳେ ମୁମ୍ବାଇର ପାଲଘର ଜିଲ୍ଲା ଭସାଇର ଏକ କୋଭିଡ୍ ସେଣ୍ଟରରେ ନିଆଁ ଲାଗି ୧୩ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି । ଏହି ସମୟରେ ହସ୍ପିଟାଲର ଆଇସିୟୁରେ ୧୭ ଜଣ ରୋଗୀ ଚିକିତ୍ସିତ ହେଉଥିଲେ।  ନିଆଁ ଲାଗିବା ଫଳରେ ୧୩ କରୋନା ଆକ୍ରାନ୍ତଙ୍କ ଜୀବନ ଚାଲି ଯାଇଥିବାବେଳେ ଏବଂ ୫ ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ବୁଧବାର ଦିନ ମହାରାଷ୍ଟ୍ର ନାସିକ୍‌ର ଜାକିର୍‌ ହୁସେନ୍‌ ମେଡ଼ିକାଲରେ ବଡ଼ ଦୁର୍ଘଟଣା ଘଟିଥିଲା । ଅକ୍ସିଜେନ୍‌ ଲିକ୍‌ ହେବାରୁ ୨୪ ଜଣଙ୍କ ଜୀବନ ଚାଲିଯାଇଥିଲା । ଅଚାନକ୍ ଅକ୍ସିଜେନ ସିଲିଣ୍ଡର ଲିକ୍ କରିବାରୁ ମେଡିକାଲରେ ଅକ୍ସିଜେନ୍‌ ସପ୍ଲାଏ ବନ୍ଦ କରାଯାଇଥିଲା, ଫଳରେ ଏପରି ଦୁର୍ଘଟଣା ଘଟିଥିଲା ।

You might also like