ମେଘାଳୟ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଠାବ

ନୂଆଦିଲ୍ଲୀ: ଏକ ମାସରୁ ଊର୍ଦ୍ଧ୍ୱ ଦିନ ହେବ ମେଘାଳୟର ଏକ କୋଇଲା ଖଣିରେ ଫସି ରହିଥିବା ୧୫ଜଣ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କ ମୃତଦେହକୁ ଠାବ କରାଯାଇଛି। ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ।

୧୬୦ ଫୁଟ୍‌ ଗଭୀର ଭିତରୁ ମୃତଦେହକୁ ଠାବ କରାଯାଇଥିଲା। ତେବେ ଅନ୍ୟ ୧୪ଜଣଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଫସି ରହିଥିବା ଅନ୍ୟ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନା, କୋଲ୍‌ ଇଣ୍ଡିଆ, ଏନ୍‌ଡିଆର୍‌ଏଫ୍‌, ଓଡ଼ିଶା ଅଗ୍ନିଶମ ବିଭାଗର କର୍ମଚାରୀ ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଗଭୀର କୋଇଲା ଖଣି ଭିତରୁ ପାଣି ବାହାର କରିବା ପାଇଁ ଉଦ୍ଧାରକାରୀ ଦଳ ସେମାନଙ୍କର ସଂଘର୍ଷ ଜାରି ରଖିଛନ୍ତି।

ଡିସେମ୍ବର ୧୩ରୁ ମେଘାଳୟର ପୂର୍ବ ଜଇନ୍ତିଆ ପର୍ବତମାଳାରେ ଥିବା ଏକ କୋଇଲା ଖଣିରେ କୋଇଲା ଉତ୍ତୋଳନ ପାଇଁ ଖଣି ଭିତରକୁ ୧୫ ଜଣ ଶ୍ରମିକ ଯାଇଥିଲେ। ତେବେ କୋଇଲା ଖଣି ଭିତରେ ପାଣି ଭର୍ତ୍ତି ହୋଇଯିବାରୁ ଶ୍ରମିକମାନେ ଆଉ ବାହାରି ପାରିନଥିଲେ। ସେବେଠାରୁ ସେମାନେ ଖଣି ଭିତରେ ଫସି ରହିଛନ୍ତି।

You might also like