ଆସାମରେ ବନ୍ୟା ସ୍ଥିତି ଗମ୍ଭୀର: ୧୫ଲକ୍ଷ ଲୋକ ପ୍ରଭାବିତ, ମୃତ୍ୟୁସଂଖ୍ୟା ୭କୁ ଛୁଇଁଲା

ଗୁୱାହାଟୀ: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏଥିରେ ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।

ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସି ୭ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ୩୩ଟି ଜିଲ୍ଲାରୁ ୨୫ଟି ଜିଲ୍ଲା ବନ୍ୟା ଯୋଗୁ ପ୍ରଭାବିତ ହୋଇଛି। ବାର୍‌ପେଟା ଅଞ୍ଚଳ ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟରେ ଆହୁରି ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସାମିଲ ହୋଇଛନ୍ତି। ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବରେ ରିଲିଫ୍‌ କ୍ୟାମ୍ପରେ ପହଞ୍ଚା ଯାଇଛି। ୬୮ଟି ରିଲିଫ୍‌ କ୍ୟାମ୍ପକୁ ୨୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବା ଲାଗି ରାଜ୍ୟ ସରକାରଙ୍କୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଛି।

ସୂଚନା ଅନୁସାରେ, ମୋରାନ ଜିଲ୍ଲାର ୫୨ଟି ଗାଁରେ ବନ୍ୟା ପାଣି ପଶିଯିବା ଫଳରେ ସୁରକ୍ଷିତ ଭାବରେ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି।

ରାଜ୍ୟର ୧୦ଟି ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏପରିକି ବ୍ରହ୍ମପୁତ୍ର ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ସେହିପରି ବ୍ରହ୍ମପୁତ୍ର ବନ୍ୟା କାଜିରଙ୍ଗା ଜାତୀୟ ଉଦ୍ୟାନରେ ତାଣ୍ଡବ ଖେଳାଇଛି। ବନ୍ୟା ପାଣି ମାଡ଼ି ଯିବାରୁ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି।

You might also like