୨ ଘଣ୍ଟା ମଧ୍ୟରେ ବୁକିଂ ହେଲା ଲକ୍ଷେରୁ ଅଧିକ ଟ୍ରେନ୍‌ ଟିକେଟ୍‌

ନୂଆଦିଲ୍ଲୀ: ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍‌ ଟିକେଟ ବୁକିଂ ଆରମ୍ଭ ହୋଇଛି। ଆସନ୍ତା ଜୁନ୍‌ ୧ରୁ ରେଲ୍‌ୱେ ପକ୍ଷରୁ ୨୦୦ଟି ରେଗୁଲାର୍‌ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜିଠୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି।

IRCTC ୱେବ୍‌ସାଇଟ୍‌ କିମ୍ବା ଏହାର ଆପ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି।

ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ୭୩ଟି ପାସେଞ୍ଜର ଟ୍ରେନ୍ ପାଇଁ ୧ ଲକ୍ଷ ୪୯ ହଜାର ୨୫ଟି ଟିକେଟ୍ ବୁକିଂ ହୋଇଛି। ୨ ଲକ୍ଷ ୯୦ ହଜାର ୫୧୦ ଜଣ ଯାତ୍ରୀଙ୍କ ପାଇଁ ଏହି ଟିକେଟ୍‌ ବୁକିଂ ହୋଇଛି। ବୁକିଂ ଆରମ୍ଭ ହେବାର ୨ ଘଣ୍ଟା ମଧ୍ୟରେ ଏତେ ସଂଖ୍ୟକ ଟ୍ରେନ୍‌ ଟିକେଟ୍‌ ବୁକିଂ ହୋଇଥିଲା ବୋଲି ସୂଚନା ମିଳିଛି।

ଟ୍ରେନ୍‌ ଟିକେଟ୍‌ ବୁକିଂ ନେଇ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ କିଛି ରେଲ୍‌ୱେ ଷ୍ଟେସନ୍‌ରେ‌ ବୁକିଂ କାଉଣ୍ଟର ଆରମ୍ଭ ହେବା ନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି।  ଏହାସହ ଦେଶରେ ୧ ଲକ୍ଷ ୭୦ ହଜାର କମନ୍ ସର୍ଭିସ୍ ସେଣ୍ଟର୍ ଆସନ୍ତାକାଲିଠୁ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏସବୁ କାଉଣ୍ଟର ଚଲାଇବା ପାଇଁ ସ୍ୱତନ୍ତ୍ର ନିୟମ ଅନୁସରଣ କରାଯିବ।

ଜୁନ୍‌ ୧ରୁ ରେଲ୍‌ୱେ ପକ୍ଷରୁ ୨୦୦ଟି ରେଗୁଲାର୍‌ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ଏସି, ନନ୍-ଏସି ଓ ଜେନେରାଲ କ୍ଲାସ୍ କୋଚ୍ ପାଇଁ reservation ରହିବ। Reservation Against Cancellation(RAC) ଏବଂ ୱେଟିଂ ଲିଷ୍ଟ ମଧ୍ୟ ପ୍ରସ୍ତୁତ ହେବ। ତେବେ ପାସେଞ୍ଜର ଚାର୍ଟ ପ୍ରସ୍ତୁତ ହେବାପରେ ୱେଟିଂ ଲିଷ୍ଟ୍‌ରେ ଥିବା ଯେଉଁ ଯାତ୍ରୀଙ୍କ ନାଁ କନ୍‌ଫର୍ମ ହୋଇ ନ ଥିବ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ।

ଆଗୁଆ reservation ପାଇଁ ସର୍ବାଧିକ ୩୦ ଦିନ ସମୟ ରହିବ। ସେହିପରି ଯାତ୍ରୀମାନେ ଯାତ୍ରା କରିବାର ୨ ଘଣ୍ଟା ପୂର୍ବରୁ ଅନ୍‌ଲାଇନ୍‌ରେ ଟିକେଟ ବୁକିଂ କରିପାରିବେ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ହେବାର କିଛି ଦିନ ପରେ ଟ୍ରେନ୍‌ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଥିଲା।
You might also like