ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୧୪୯ ସଂକ୍ରମିତ

ନୂଆଦିଲ୍ଲୀ: ଯେତେ ସତର୍କତା ଆପଣାଇଲେ ମଧ୍ୟ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟାରେ ୧୪୯ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଲୟ ସୂଚନା ଦେଇଛି। ସେହିପରି ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି।

ଫଳରେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ରେ ପହଞ୍ଚିଛି। ବର୍ତ୍ତମାନ ସାରା ଦେଶରେ  ୬୪୦ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ ୭୯ ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୧୭୭ ଜଣ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।  ସେମାନଙ୍କ ମଧ୍ୟରୁ ୨୫ଜଣ ଆରୋଗ୍ୟ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ହୋଇଛି।

କେରଳରେ ୮ଜଣ ବିଦେଶୀଙ୍କ ସହ ୧୬୬ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ଜଣ ସୁସ୍ଥ ହୋଇଛନ୍ତି। ରାଜସ୍ଥାନରେ ୪୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହୋଇଛନ୍ତି।

ଉତ୍ତରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ଜଣେ ବିଦେଶୀଙ୍କ ସହ ୪୪ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ ଆରୋଗ୍ୟ ହୋଇଛନ୍ତି। ଦିଲ୍ଲୀରେ ୩୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି।

ତାମିଲନାଡୁରେ ୩୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ତେଲେଙ୍ଗାନାରେ ୩୮ଜଣ ଆକ୍ରାନ୍ତ ହୋଇଛନ୍ତି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ତିନି ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ଓଡ଼ିଶାର ସ୍ଥିତି ଥାର୍ଡ ଷ୍ଟେଜ୍ ଆଡ଼କୁ ଗତି କରିବାର ଆଶଙ୍କା ଅଛି ବୋଲି ସତର୍କ କରାଇଛନ୍ତି କୋଭିଡ୍-୧୯ ମୁଖ୍ୟପାତ୍ର ସୁବ୍ରତ ବାଗ୍‌ଚୀ।

ସେହିପରି ସାରା ବିଶ୍ୱରେ କରୋନାରେ ସଂକ୍ରମଣ ହୋଇଥିବା ସଂଖ୍ୟା ୫ ଲକ୍ଷ ୯୭ ହଜାର ଟପିଛି। ୧୯୯ ଦେଶକୁ ବ୍ୟାପିଥିବା ଏହି  ମହାମାରୀ ଏଯାଏଁ ୨୭ ହଜାରରୁ ଅଧିକ ମୁଣ୍ଡ ନେଇସାରିଲାଣି। ଚୀନ ଓ ଇଟାଲୀ ପରେ କରୋନା କବ୍ଜାରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା। ଏଠାରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୮ ହଜାରରୁ ଅଧିକ ରୋଗୀ।

ଫଳରେ ଏବେ କରୋନା ସଂକ୍ରମଣ କ୍ଷେତ୍ରରେ ଆମେରିକା ସମସ୍ତଙ୍କୁ ଟପିଯାଇଛି। ଅର୍ଥାତ୍ ଏବେ ଏଠାରେ ସର୍ବାଧିକ ୧ ଲକ୍ଷରୁ ଅଧିକ ରୋଗୀ ଅଛନ୍ତି। ସେହିପରି ମୋଟ ୧୬ଶହରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି।

ଏପଟେ ଇଟାଲୀ, ସ୍ପେନ, ଜର୍ମାନୀ ଓ ଫ୍ରାନସରେ ସ୍ଥିତି ଅତି ଜଟିଳ ରହିଛି। ଇଟାଲୀରେ ଗତକାଲି ୯୦୦ରୁ ଅଧିକ ପ୍ରାଣ ହରାଇଛନ୍ତି ଫଳରେ ମୃତ୍ୟୁସଂଖ୍ୟା ୯ ହଜାର ୧୩୪ରେ ପହଞ୍ଚିଛି। ସ୍ପେନରେ ୬୫ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୫ ହଜାର ଟପିଛି। ବ୍ରିଟେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ପାଖାପାଖି ହୋଇଥିବା ଚିନ୍ତା ଜନକ ଖବର ଆସିଛି।

 

 

You might also like