ସମୁଦ୍ର ଭିତରେ ତାଉତେର ତାଣ୍ଡବ ! ଗଭୀର ଜଳ ରାଶିରୁ ଉଦ୍ଧାର ହେଲେ ୧୪୬ ଜଣ ବ୍ୟକ୍ତି

ମୁମ୍ବାଇ: ସମୁଦ୍ର ଭିତରେ ତାଉତେର ତାଣ୍ଡବ ଚାଲିଥିବା ବେଳେ ଉଦ୍ଧାର ହେଲେ ୧୪୬ ଜଣ ବ୍ୟକ୍ତି । ତାଉତେର କରାଳ ରୂପ ଭିତରେ ଗଭୀର ସମୁଦ୍ରରେ ଏହି ବ୍ୟକ୍ତିମାନେ ଫସି ରହିଥିବା ବେଳେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଉ ସେମାନଙ୍କୁ ଦେବଦୂତ ଭଳି ଉଦ୍ଧାର କରିଛନ୍ତି ଭାରତୀୟ ନୌସେନାର ଯବାନମାନେ ।

ସମୁଦ୍ର ଭିତରେ ଏକ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସେଠାରେ ଏହି ବ୍ୟକ୍ତିମାନେ ନିୟୋଜିତ ଥିଲେ । ଏନେଇ ଭାରତୀୟ ନୌସେନାକୁ ଖବର ଦିଆଯାଇଥିଲା । ଏହାପରେ ତୁରନ୍ତ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ୍ । ଆଇଏନ୍ଏସ୍ କୋଲକାତା, ଆଇଏନ୍ଏସ କୋଚି ଓ ଆଇଏନଏସ୍ ତଲଓ୍ୱାରରେ ନୌସେନାର ଯବାନମାନେ ସମୁଦ୍ର ମଧ୍ୟକୁ ଯାଇ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ସେମାନଙ୍କୁ କୂଳକୁ ଅଣାଯାଇଥିଲା ଏବଂ ପରେ ସେମାନଙ୍କର ମେଡିକାଲ ଯାଞ୍ଚ କରାଯାଇଥିଲା । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥ ଠିକ୍ ଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗଭୀର ସମୁଦ୍ର ଭିତରେ ନିର୍ମାଣ କାର୍ଯ୍ୟ ଲାଗି ଦୁଇଟି ବାର୍ଗରେ ୪୧୦ ଜଣ ଲୋକ ରହିଥିବା ନେଇ ସୂଚନା ମିଳିଥିଲା । ଗୋଟିଏ ବାର୍ଗରେ ଥିବା ଲୋକଙ୍କ ମଧ୍ୟରୁ ୧୪୬ ଜଣଙ୍କୁ ପ୍ରାଥମିକ ଭାବେ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଥିବା ନୌସେନା ପକ୍ଷରୁ କୁହାଯାଇଛି ।

ସେହିଭଳି ସୋମବାର କର୍ଣ୍ଣଟକରେ ମଧ୍ୟ ଗଭୀର ସମୁଦ୍ରରେ ତାଉତେ ତାଣ୍ଡବ କରୁଥିବା ବେଳେ, ଗଭୀର ଜଳ ରାଶିରୁ ଉଦ୍ଧାର ହୋଇଥିଲେ ୯ ଜଣ ମତ୍ସ୍ୟଜୀବୀ । ଭାରତୀୟ ନୌସେନା ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିବା ଏହି ମତ୍ସ୍ୟଜୀବୀଙ୍କୁ ତଟରକ୍ଷୀ ବାହିନୀ ଏବଂ ନୌସେନା ଟିମ୍ ମିଳିତ ଭାବେ ଉଦ୍ଧାର କରି କୁଳକୁ ଆଣିଥିଲେ । ତାଉତେ ପ୍ରଭାବରେ ଆରବ ସାଗର ଅସ୍ଥିର, ଅଥୟ ଓ ବିପଦଜନ୍ନକ ଥିବାବେଳେ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ରେସକ୍ୟୁ ଅପରେସନ ଦୀର୍ଘ ସମୟ ପରେ ସଫଳ ହୋଇଥିଲା ।

କର୍ଣ୍ଣାଟକର ନ୍ୟୁ ମାଙ୍ଗାଲୋର ତଟରୁ ଅନତି ଦୂରରେ ଫସି ଯାଇଥିଲା ମତ୍ସ୍ୟଜୀବୀଙ୍କ ଏକ ଭେସାଲ । ଝଡ଼ ତୋଫାନରେ ଫସି ରହିଥିବା ମତ୍ସ୍ୟଜୀବୀମାନେ ଭିଡିଓ ବାର୍ତ୍ତା ଜରିଆରେ ତଟରକ୍ଷୀ ବାହିନୀର ସହାୟତା ଲୋଡ଼ିଥିଲେ । ସମୁଦ୍ରରେ ୫ ରୁ ୬ ମିଟର ଉଚ୍ଚ ଜୁଆର ଆସୁଥିବା ବେଳେ ପବନର ବେଗ୍ ମଧ୍ୟ ଅତି ଅଧିକ ରହିଥିଲା । ଏଭଳି ପରିସ୍ଥିତିରେ ସେଠାରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସେମାନଙ୍କ ମେଡିକାଲ ଯାଞ୍ଚ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ଏୟାର ଲିଫ୍ଚ ଜରିଆରେ ମାଙ୍ଗାଲୋର ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନେ ସେମାନଙ୍କୁ NMPT ହସ୍ପିଟାଲରେ ଚିକିତ୍ସିତ କରାଯାଉଛି ।

You might also like