ଘର ବାହୁଡ଼ା କାଳ ହେଲା, ଅକାଳରେ ଆଖି ବୁଜିଲେ ୧୪ ଶ୍ରମିକ

ନୂଆଦିଲ୍ଲୀ: ଘର ବାହୁଡ଼ା କାଳ ହେଲା, ଅକାଳରେ ଆଖି ବୁଜିଲେ ୧୪ ଜଣ ଶ୍ରମିକ। ଲକ୍‌ଡାଉନ୍‌ ଯୋଗୁ ଫସି ରହିଥିବା ଏହି ଶ୍ରମିକମାନେ କିଛି ଉପାୟ ନ ପାଇ ଘରକୁ ଫେରୁଥିବା ବେଳେ ଅକାଳରେ ସେମାନଙ୍କର ପ୍ରାଣହାନୀ ଘଟିଛି।

୭୦ଜଣ ଶ୍ରମିକ ଏକ ଟ୍ରକ୍‌ରେ ମହରାଷ୍ଟ୍ରରୁ ଉତ୍ତରପ୍ରଦେଶ ସ୍ଥିତ ସେମାନଙ୍କର ଗାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ମଧ୍ୟପ୍ରଦେଶର ଗୁନା ଅଞ୍ଚଳରେ ଏକ ବସ୍‌ ସେମାନଙ୍କର ଟ୍ରକ୍‌କୁ ଧକ୍କା ଦେଇଥିଲା।

ଦୁର୍ଘଟଣାରେ ୮ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୫୪ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଉନ୍ନାଓ ଅଞ୍ଚଳର ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

ଉତ୍ତର ପ୍ରଦେଶରେ ମଧ୍ୟ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଲକଡାଉନ ଯୋଗୁ ଚାଲି ଚାଲି କିଛି ଶ୍ରମିକ ଘରକୁ ଯାଉ ଥିବାବେଳେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଚାଲୁଥିବା ବସ୍ ସେମାନଙ୍କ ଉପରେ‌ ମାଡ଼ି ଯାଇଛି। ଏଥିରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ପଞ୍ଜାବରୁ କିଛି ଶ୍ରମିକ ସଡ଼କ ପଥରେ ଚାଲିଚାଲି ସେମାନଙ୍କ ଘର ବିହାରକୁ ଯାଉଥିଲେ। ସେମାନେ ଉତ୍ତର ପ୍ରଦେଶର ମୁଜାଫରନଗର ଜାତୀୟ ରାଜପଥରେ ଯାଉଥିବା ବେଳେ ୟୁପି ସରକାରଙ୍କ ଏକ ବସ୍‌ ଦ୍ରୁତ ଗତିରେ ଆସି ରାସ୍ତାରେ ଯାଉଥିବା ଏହି ଶ୍ରମିକଙ୍କ ଉପରେ ଚଢ଼ି ଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା।

ଅନ୍ୟପକ୍ଷରେ, ଘଟଣା ପରେ ଡ୍ରାଇଭ ଜଣଙ୍କ ଫେରାର ହୋଇଯାଇଛନ୍ତି। ବସ୍‌ରେ କେହି ଲୋକ ନ ଥିଲେ।

ସୂଚନାଥାଉ କି, ଗତ ସପ୍ତାହରେ ଚାଲିଚାଲି ନିଜ ଘର ମଧ୍ୟପ୍ରଦେଶକୁ ଫେରୁଥିବା କିଛି ଶ୍ରମିକଙ୍କ ଉପରେ ମାଲ୍‌ବାହୀ ଟ୍ରେନ ମାଡ଼ି ଯିବାରୁ ୧୬ ଜଣଙ୍କ ଜୀବନ ଯାଇଥିଲା।

You might also like