ଡାଏରୀ ପ୍ଲାଣ୍ଟ୍ରେ ବିଷାକ୍ତ ଗ୍ୟାସ୍ ଲିକ୍; ୧୪ ଶ୍ରମିକ ଗୁରୁତର
ଚିତ୍ତୁର: ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ଏକ ମିଲ୍କ ଡାଏରୀ ୟୁନିଟ୍ରେ ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁ ୧୪ଜଣ ଶ୍ରମିକ ଗୁରୁତର ହୋଇପଡ଼ିଛନ୍ତି। ସମସ୍ତ ଗୁରୁତର ମହିଳା ବୋଲି ଜଣାପଡ଼ିଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଗତକାଲି ଅପରାହ୍ଣ ୫ଟା ସମୟରେ ପୁଟ୍ଟଲ୍ପଟ୍ଟୁ ମଣ୍ଡଲ୍ର ବନ୍ଦାପଲ୍ଲୀରେ ଥିବା ଏକ ଡାଏରୀ ୟୁନିଟ୍ରେ ହଠାତ୍ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଫଳରେ ସେହି ସମୟରେ ପ୍ଲାଣ୍ଟ୍ରେ କାର୍ଯ୍ୟ କରୁଥିବା ୧୪ଜଣ ଶ୍ରମିକ ଏହି ଗ୍ୟାସ୍ ପ୍ରଭାବରେ ଆସି ଅସୁସ୍ଥ ଅନୁଭବ କରିବା ସହ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତତ୍କ୍ଷଣାତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ତେବେ କେଉଁ କାରଣ ଯୋଗୁ ଏହି ବିଷାକ୍ତ ଗ୍ୟାସ୍ ଲିକ୍ ହେଲା ତାହା ଜଣାପଡ଼ିନାହିଁ। ଆଜି ଏ ନେଇ ଶିଳ୍ପ ବିଭାଗର ଜେନେରାଲ ମ୍ୟାନେଜର ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସମୀକ୍ଷା କରିବେ। ଅନ୍ୟପକ୍ଷରେ, ମନ୍ତ୍ରୀ ପେଡ୍ଡୀରେଡ୍ଡୀ ରାମଚନ୍ଦ୍ର ରେଡ୍ଡୀ ଚିତ୍ତୁର ଜିଲ୍ଲାପାଳଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।