ନାବାଳିକାଙ୍କୁ ବାରମ୍ବାର ଅପହରଣ ଓ ଗଣଦୁଷ୍କର୍ମ, ୯ଜଣ ଲୁଟିଲେ ଇଜ୍ଜତ

ଭୋପାଳ: ରାଜସ୍ଥାନ ପରେ ପୁଣି ଏକ ଅତ୍ୟାଚାରର ଛାତିଥରା ଘଟଣା ମଧ୍ୟପ୍ରଦେଶର ଉମାରିଆ ଜିଲ୍ଲାରେ ଘଟିଛି। ଏଠାରେ ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ୫ ଦିନ ମଧ୍ୟରେ ୩ ଥର ଅପହରଣ ସହ ୯ ଜଣ ବ୍ୟକ୍ତି ସମ୍ପୃକ୍ତ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ପୋଲିସ୍‌ ସୂଚନା ଅନୁସାରେ, ଜାନୁଆରୀ ୪ରେ ନାବାଳିକାଙ୍କୁ ଜଣେ ଯୁବକ ତାଙ୍କୁ ଅପହରଣ ପରେ ଦୁଷ୍କର୍ମ କରିଥିଲେ। ଯୁବକ ଜଣକ ନାବାଳିକାଙ୍କୁ ପୂର୍ବରୁ ଜାଣିଥିଲେ। ଖାଲି ଏତିକି ନୁହେଁ ୨ ଦିନ ଯାଏ ସମ୍ପୃକ୍ତ ଯୁବକଙ୍କ ଆଉ ୬ଜଣ ସାଙ୍ଗମାନେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଜାନୁଆରୀ ୫ରେ ନାବାଳିକାଙ୍କୁ ଛାଡ଼ିବା ପୂର୍ବରୁ ଅଭିଯୁକ୍ତମାନେ ତାଙ୍କୁ ଧମକଚମକ ଦେଇଥିଲେ। ଯଦି ଘଟଣା ସମ୍ପର୍କରେ ସେ କାହାକୁ ବି କୁହନ୍ତି ତା’ହେଲେ ତାଙ୍କୁ ଜୀବନରୁ ମାରି ଦିଆଯିବ ବୋଲି ଅଭିଯୁକ୍ତମାନେ ନାବାଳିକାଙ୍କୁ ଧମକ ଦେଇଥିଲେ। ଫଳରେ ଭୟଭୀତ ହୋଇ ନାବାଳିକା ଜଣକ ପୋଲିସ୍‌ରେ ଅଭିଯୋଗ କରିନଥିଲେ। 

ସବୁଠାରୁ ବଡ଼ କଥା, ୬ ଦିନ ପରେ ଏହି ଘଟଣାର ପୁନରାବୃତ୍ତି ହୋଇଥିଲା। ଜାନୁଆରୀ ୧୧ରେ ନାବାଳିକାଙ୍କୁ ପୁଣିଥରେ ଅପହରଣ କରାଯାଇଥିଲା। ପୂର୍ବରୁ ଯେଉଁ ୭ ଅଭିଯୁକ୍ତ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ନାବାଳିକାଙ୍କୁ ଅପହରଣ କରିଥିଲେ। ଜଙ୍ଗଲରେ ନବାଳିକାଙ୍କୁ ବନ୍ଦୀ ଭାବେ ରଖିବା ସହ ରାସ୍ତାକଡ଼ରେ ଥିବା ଏକ ଢାବାରେ ସେମାନଙ୍କ ମଧ୍ୟରୁ ୩ଜଣ ପୁଣିଥରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ପୋଲିସ୍‌ ସୂଚନା ଦେଇଛି। 

ଏହାପରେ ମଧ୍ୟ କୁନି ଝିଅଟି ଉପରେ ହେଉଥିବା ଅତ୍ୟାଚାର ସରି ନଥିଲା। ନାବାଳିକାଙ୍କୁ ୩ ଅଭିଯୁକ୍ତ ଛାଡ଼ି ଦେବା ପରେ, ପୁଣିଥରେ ତାଙ୍କୁ ଅପହରଣ କରାଯାଇଥିଲା। ୨ଜଣ ଟ୍ରକ୍ ଡ୍ରାଇଭର‌ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସକାଳେ ନାବାଳିକା ଜଣକ ଘରକୁ ଫେରିବା ବାଟରେ ଏହି ଅମାନବୀୟ ଘଟଣା ଘଟିଥିଲା।

ଏହି ଘଟଣାକୁ ନେଇ ଶୁକ୍ରବାର ପୋଲିସ୍‌ରେ ଅଭିଯୋଗ ପରେ ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। ଏହାସହ ମାମଲା ମଧ୍ୟ ରୁଜୁ ହୋଇଛି।

ସୂଚନାଥାଉ କି, ଜାନୁଆରୀ ୯ରେ ସିଦ୍ଧି ଜିଲ୍ଲାରେ ଜଣେ ୫୦ବର୍ଷୀୟ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ। ମହିଳା ଜଣକ ଘର ଭିତରେ ଥିବାବେଳେ ଜଣେ ବ୍ୟକ୍ତି ୪ଜଣ ଲୋକଙ୍କ ସହାୟତାରେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ।

ଗତ ୬ ଦିନରେ ମଧ୍ୟପ୍ରଦେଶରେ ୪ଟି ଏଭଳି ଛାତିଥରା ଘଟଣା ଘଟିଛି। ଏହିସବୁ ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

You might also like