ଶିଶୁମାନଙ୍କ ପାଇଁ ଚିନ୍ତା ବଢ଼ାଇଛି କରୋନାର ଦ୍ୱିତୀୟ ଲହର, ଚିକିତ୍ସାଧୀନ ଅବସ୍ଥାରେ ୧୩ ବର୍ଷୀୟ ବାଳକର ମୃତ୍ୟୁ

ସୁରତ: କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି। କରୋନାର ଦ୍ୱିତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ଆଣିଛି। ଏଥିରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଗୁଜରାଟର ବରୋଦାରେ ନବଜାତ ଯାଆଁଳା ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ୧୩ ବର୍ଷୀୟ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୁରତରେ ଏହି ଘଟଣା ଘଟିଛି। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପୂର୍ବରୁ ୧୩ ବର୍ଷୀୟ ନାବାଳକ ନିକଟରେ କରୋନାର କୌଣସି ଲକ୍ଷଣ ଦେଖା ଦେଇନଥିଲା। ପରେ କରୋନା ଟେଷ୍ଟ୍‌ ହୋଇଥିଲା ଓ ରିପୋର୍ଟ ପଜିଟିଭ୍ ଆସିଥିଲା।

ବ୍ୟବସାୟୀ ଭାବେଶ କୋରାଟଙ୍କ ୧୩ ବର୍ଷୀୟ ପୁଅ ଧ୍ରୁବ ରବିବାର ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଥିଲେ। କରୋନାର କୌଣସି ଲକ୍ଷଣ ତାଙ୍କ ନିକଟରେ ନଥିଲା। ସେ ଅସୁସ୍ଥ ମଧ୍ୟ ଅନୁଭବ କରୁ ନଥିଲେ। ରବିବାର ଅପରାହ୍ଣରେ ହଠାତ୍‌ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କର ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ୍‌ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହେବା ଯୋଗୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ରେ ଭର୍ତ୍ତି ହେବାର ୫ ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଧ୍ରୁବଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ଯେତେବେଳେ ତାଙ୍କୁ(ଧ୍ରୁବଙ୍କୁ) ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଥିଲା। ଫଳରେ ତାଙ୍କୁ ତୁରନ୍ତ ଭେଣ୍ଟିଲେଟରରେ ରଖା ଯାଇଥିଲା। ଚିକିତ୍ସା ଆରମ୍ଭ ହେବା କ୍ଷଣି ତାଙ୍କର ମୃତ୍ୟୁ ଘଟିଥିଲା।

ବର୍ତ୍ତମାନ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇ ଗୁଜରାଟରେ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ ଅଛନ୍ତି। କରୋନା ଆକ୍ରାନ୍ତ ହୋଇ ଗୁଜରାଟର ବିଭିନ୍ନ ହସ୍ପିଟାଲ୍‌ରେ ଶିଶୁମାନେ ଭର୍ତ୍ତି ହୋଇଥିବା ବେଳେ ୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଶିଶୁ ସୁସ୍ଥ ହୋଇ ସାରିଲେଣି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୧୫ ହଜାର ୭୩୬ ଜଣ ସଂକ୍ରମିତ ହୋଇଛନ୍ତି।

You might also like