ମହାରାଷ୍ଟ୍ରର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୩ ମୃତ

ମୁମ୍ବାଇ : ମହାରାଷ୍ଟ୍ରରେ ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । କରୋନା ସଙ୍କଟ ମଧ୍ୟରେ ମହାରାଷ୍ଟ୍ରର ଗୋଟିଏ ପରେ ହସ୍ପିଟାଲରେ ଦୁର୍ଘଟଣା ଘଟୁଛି । ନାସିକର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡର ଲିକ୍ କାରଣରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ମାମଲା ଥଣ୍ଡା ପଡ଼ିନଥିବା ବେଳେ ମୁମ୍ବାଇର ପାଲଘର ଜିଲ୍ଲା ଭସାଇର ଏକ କୋଭିଡ୍ ସେଣ୍ଟରରେ ନିଆଁ ଲାଗି ୧୩ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି ।

ସକାଳ ପାଖାପାଖି ସାଢ଼େ ୩ଟାରେ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିଶମ  ବିଭାଗ ଅନୁସାରେ, ହସ୍ପିଟାଲର ଆଇସିୟୁରେ ୧୭ ଜଣ ରୋଗୀଙ୍କର ଚିକିତ୍ସା ଚାଲିଥିଲା  ।  ନିଆଁ ଲାଗିବା ଫଳରେ ୧୩ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି ଏବଂ ୫ ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାଢ଼େ ପାଞ୍ଚଟା ପରେ ନିଆଁକୁ ନିୟନ୍ତ୍ରଣକୁ ଆଣିଛନ୍ତି ଅଗ୍ନିଶମ ବାହିନୀ । ପାଖାପାଖି ୨ ଘଣ୍ଟା ପରିଶ୍ରମ ପରେ ନିଆଁର ପ୍ରକୋପ କମ ହୋଇଛି । ବର୍ତ୍ତମାନ ସଂପୃକ୍ତ ହସ୍ପିଟାଲର ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଏହା ପୂର୍ବରୁ ବୁଧବାର ଦିନ ମହାରାଷ୍ଟ୍ର ନାସିକ୍‌ର ଜାକିର୍‌ ହୁସେନ୍‌ ମେଡ଼ିକାଲରେ ବଡ଼ ଦୁର୍ଘଟଣା ଘଟିଥିଲା । ଅକ୍ସିଜେନ୍‌ ଲିକ୍‌ ହେବାରୁ ୨୪ ଜଣଙ୍କ ଜୀବନ ଚାଲିଯାଇଥିଲା । ଅଚାନକ୍ ଅକ୍ସିଜେନ ସିଲିଣ୍ଡର ଲିକ୍ କରିବାରୁ ମେଡିକାଲରେ ଅକ୍ସିଜେନ୍‌ ସପ୍ଲାଏ ବନ୍ଦ କରାଯାଇଥିଲା, ଫଳରେ ଏପରି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିବା ସମୟରେ ମେଡିକାଲରେ ଭେଂଟିଲେଟରରେ ପାଖାପାଖି ୨୩ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। । ତେବେ  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ୫-୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିଲେ ।

ସେପଟେ କରୋନା ସଂକଟ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ମିଟିଂ ଅଛି ।  ୩ଟି ବୈଠକରେ ଯୋଗ ଦେଇ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଏ ସଂପର୍କରେ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ପ୍ରଥମେ ସକାଳ ୯ଟାରେ ହେବାକୁ ଏକ ବୈଠକରେ ଦେଶର କରୋନା ସ୍ଥିତି ମୋଟାମୋଟି ଭାବେ କେମିତି ଅଛି, ତାର ସମୀକ୍ଷା କରିବେ । ତା ପରେ ଦିନ ୧୦ଟାରେ ମହାମାରୀରେ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ । ଏବଂ ଅପରାହ୍ନ ସାଢ଼େ ୧୨ଟାରେ ତୃତୀୟ ବୈଠକର କାର୍ଯ୍ୟକ୍ରମ ରହିଛି । ଏହି ମିଟିଂରେ ଦେଶର ପ୍ରମୁଖ ଅକ୍ସିଜେନ ପ୍ରସ୍ତୁତକାରୀ ସଂସ୍ଥାଗୁଡ଼ିକର ମୁଖ୍ୟମାନଙ୍କ ସହିତ ଅକ୍ସିଜେନ ଉତ୍ପାଦନ ଏବଂ ଏହାର ଅବାଧ ପରିବହନ ଉପରେ ଆଲୋଚନା କରିବେ ।

 

 

You might also like