ଉତ୍ତରପ୍ରଦେଶରେ ଝଡ଼ବର୍ଷାର ତାଣ୍ଡବ, ଚାଲିଗଲା ୧୩ ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଅଦିନିଆ ଝଡ଼ ବର୍ଷାର ତାଣ୍ଡବ। ମାତ୍ର କେଇ ଘଣ୍ଟାର ପ୍ରକୃତି କରାଳ ରୂପରେ ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହେବାସହ ଜୀବନହାନି ଘଟିଛି। ଶନିବାର ଏଠାରେ ହୋଇଥିବା ଝଡ଼ତୋଫାନରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଆଗ୍ରା, କନ୍ନୌଜ, ଉନ୍ନାଓ ଏବଂ ଲକ୍ଷ୍ନୌରେ ପ୍ରବଳ ମାତ୍ରାରେ ବର୍ଷା ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। କନ୍ନୌଜରେ କେବଳ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉନ୍ନାବରେ ଆଉ ୭ଜଣଙ୍କ ଜୀବନ ଯାଇଛି।

ଝଡ଼ତୋଫାନରେ ମୃତ୍ୟୁମୁଖରେ ପଡ଼ିଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାସହ ଶତାଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ହୋଇଥିବା ଝଡ଼ତୋଫାନରେ ବହୁ ସଂଖ୍ୟା ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ରାସ୍ତାରେ ପଡିରହିଛି। ଏମିତି କି ପବନ ଏତେ ଜୋରରେ ବହିଥିଲା ଯେ, ରାସ୍ତାରେ ଛିଡା ହୋଇଥିବା ଗାଡ଼ିଗୁଡିକୁ ଓଲଟାଇ ଦେଇଛି।

ସେହିପରି ଝଡ଼ ତୋଫାନରେ ଐତିହାସିକ ତାଜମହଲର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି। ତାଜମହଲର ମୁଖ୍ୟ ସମାଧିସ୍ଥଳରେ ଥିବା ମାର୍ବଲ୍‌ ରେଲିଂ ଭାଙ୍ଗି ଯାଇଥିବା ସୂଚନା ମିିଳିଛି। ଏହାସହ ପଶ୍ଚିମଦ୍ୱାରରେ ଥିବା ଲାଲ୍‌ ରଙ୍ଗର ସ୍ତମ୍ଭ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେହିପରି ତାଜମହଲର ପଛ ଭାଗ ଓ ବଗିଚାରେ ଥିବା ବହୁ ଗଛ ଭାଙ୍ଗି ଯାଇଛି।

ଲକ୍ଷ୍ନୌରେ ଶନିବାର ସନ୍ଧ୍ୟା ସମୟରେ ୫୭.୪ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସବୁଠୁ ସର୍ବାଧିକ ଓ ଗତ ୬୧ ବର୍ଷର ରେକର୍ଡକୁ ଭାଙ୍ଗିଛି। ମେ ମାସରେ ଏଠାରେ ୫୭ ମିମି ବର୍ଷା ରେକର୍ଡ କରାଯାଇଛି।

ପ୍ରକାଶଥାଉକି, ରବିବାର ଓ ସୋମବାର ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ଭୀଷଣ ଝଡ଼ବର୍ଷା ନେଇ ସତର୍କ କରାଇଛି। ଏହି ସମୟରେ ବର୍ଷା ସହିତ ୫୦-୬୦କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

You might also like