ହିରୋ ହେବାର ନିଶା: ଘର ଛାଡ଼ି ମୁମ୍ବାଇ ଟିକେଟ ବୁକ୍‌ କଲେ ୧୨ ବର୍ଷର ବାଳକ

ନୂଆଦିଲ୍ଲୀ: ରୂପେଲି ପରଦାରେ ହିରୋଙ୍କ ଗ୍ଲାମର ପିଲାକୁ କେମିତି ବାଟବଣା କରେ ତାହାର ଏକ ଉଦାହରଣ। ଫିଲ୍ମରେ ହରୋଙ୍କ କାର୍ଯ୍ୟକଳାପକୁ ଦେଖି ଦେଖି ବିଭୋର ହୋଇଯାଇଥିଲା କୋମଳମତି ପିଲାଟି। ପ୍ରତି ହିରୋଙ୍କ ଭିତରେ ସେ ନିଜକୁ ହିଁ ଦେଖୁଥିଲା ।  ହିରୋଙ୍କ ଗ୍ଲାମର, ଷ୍ଟଣ୍ଟ ଦେଖି ଧିରେ ଧିରେ ପିଲାଟି ମନରେ ହିରୋ ହେବାର ନିଶା ବଢିଗଲା।

ହେଲେ କେମିତି ସେ ହେବ ହିରୋ ? ସେ ଏତିକି ଜାଣିଥିଲା, ହିରୋ ହେବାକୁ ହେଲେ ମୁମ୍ବାଇ ଯିବାକୁ ପଡ଼ିବ। ତେଣୁ ଯେମିତି ବି ହେଉ, ମୁମ୍ବାଇ ଯିବାର ନିଷ୍ପତ୍ତି ନେଲା। କୌଣସି ପ୍ରକାରେ ଟଙ୍କା ଯୋଗାଡ କରି ମୁମ୍ବାଇ ଟିକଟ ବୁକ୍ କରିନେଲା। ହେଲେ ପରିଣତି ଜାଣି ପାରି ନ ଥିଲା ପିଲାଟି।

ଶେଷରେ ମଙ୍ଗଳବାର ମଧ୍ୟାହ୍ନରେ ଦିଲ୍ଲୀ ନଫଜଗଡସ୍ଥିତ ନିଜ ଘରୁ ବେଡିଂପତ୍ର ଧରି ପହଞ୍ଚିଲା ଆଇଜିଆଇ ଏୟାରପୋର୍ଟରେ । ପରିବାର ଲୋକେ ଏ ସମ୍ପର୍କରେ ଟିକିଏ ବି ଜାଣି ପାରିଲେ ନାହିଁ। ହେଲେ ଯେତେବଳେ ମୁମ୍ବଇ ଫ୍ଲାଇଟ ଧରିବା ପାଇଁ ବୋର୍ଡିଂ ପାସ୍ ଆଣିବାକୁ ଗଲା, ଜଣେ ଅଧିକାରୀଙ୍କର ସନ୍ଦେହ ହୋଇଥିଲା।

ଅଧିକାରୀଜଣକ ପିଲାଟିକୁ ସାଙ୍ଗରେ କିଏ ଅଛନ୍ତି କି ବୋଲି ପଚାରିଥିଲେ। ସନ୍ତୋଷଜନକ ଉତ୍ତର ନ ପାଇବାରୁ ପୁଣି ମୁମ୍ବାଇ କାହିଁକି ଯାଉଛ ବୋଲି ପଚାରିଥିଲେ। ପିଲାଟି ସରଳ ମନରେ ବୁଝାଇ କହିଥିଲା-‘ଅଙ୍କଲ୍‌, ସମସ୍ତେ ତ  ମୁମ୍ବାଇ ଯାଆନ୍ତି ହିରୋ ହେବା ପାଇଁ। ମୁଁ ସେଥିପାଇଁ ଯାଉଛି।’

ପିଲାଟି ମୁହଁରୁ ଏପରି କଥା ଶୁଣି ଅଧିକାରୀଜଣକ ବୁଝି ଗଲେ ଯେ, ପିଲାଟି ଘରୁ ଲୁଚି ପଳାଇ ଆସିଛି। ତୁରନ୍ତ ଅଧିକାରୀ ଜଣକ ଏ ସମ୍ପର୍କରେ ଏୟାରପୋର୍ଟ ସୁରକ୍ଷା ଏଜେନ୍ସିଙ୍କୁ ଖବର ଦେଇଥିଲେ। ତା’ ପରେ ପିଲାଟି ସହ କଥାବାର୍ତ୍ତା କରି ପରିବାର ଲୋକଙ୍କ ପତ୍ତା ଖୋଜିଥିଲେ।  ପରିବାର ଠିକଣା ପାଇ ସବୁ କଥା କହିଥିଲେ। କିଛି ସମୟ ପରେ ପରିବାର ଲୋକେ ପହଞ୍ଚିବା ପରେ ଆଇନ ପ୍ରକ୍ରିୟା ଶେଷ କରି ପିଲାଟିକୁ ପରିବାର ଲୋକଙ୍କ ସହ ଛାଡ଼ିଥିଲେ।

ତେବେ ସୁରକ୍ଷା ଅଧିକାରୀଙ୍କ ସହ କଥାବାର୍ତ୍ତା ହେବା ପରେ ପିଲାଟି କହିଥିଲ, ତା’ର ପାଠପଢାରେ ମନ ଲାଗିଲାନି। ତେଣୁ ପକେଟ ମନି ଏବଂ ସାଙ୍ଗମାନଙ୍କଠାରୁ ଟଙ୍କା ଯୋଗାଡ କରି ସାଇବର କାଫେକୁ ଯାଇ ମୁମ୍ବାଇ ଟକେଟ  ବୁକ୍‌ କରିଥିଲା। ତା’ ପରେ କ୍ୟାବ୍‌ ବୁକ୍ କରି ଏୟାର ପୋର୍ଟରେ ପହଞ୍ଚିଥିଲା।

ହେଲେ ତାକୁ ଜଣା ନ ଥିଲା, ବୋଡିଂ ପାସ୍ ପାଇଁ ଆଇଡି ଦରକାର ବୋଲି। ସେଠାରେ ମୁମ୍ବାଇ ଯାଉଥିବା ଫ୍ଲାଇଟ୍‌ କେଉଁଠି ଅଛି ବୋଲି ପଚାରିବାରୁ କେହି ଜଣେ ତାକୁ ବୋଡିଂ ପାସ୍‌ ବାହାର କରିବାକୁ ଥିବା ମେସିନ ପାଖକୁ ପଠାଇ ଦେଇଥିଲେ। ଯଦି ଅଧିକାରୀଜଣକ ପିଲାଟିକୁ ସନ୍ଦେହ ନ କରିଥାନ୍ତେ ଏବଂ ପଚରାଉଚରା ନ କରିଥାନ୍ତେ ତେବେ ହୁଏତ ପିଲାଟି ୫.୧୫ ମିନିଟ୍‌ ଫ୍ଲାଇଟ୍‌ରେ ମୁମ୍ବାଇ ଚାଲି ଯାଇଥାନ୍ତି ।

You might also like