ପୋଲିଓ ଡ୍ରପ୍‌ ବଦଳରେ ପିଆଇ ଦେଲେ ସାନିଟାଇଜର

  • ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର
  • ମହାରାଷ୍ଟ୍ରର ୟବତମାଲ୍ ଜିଲ୍ଲାରେ ଅଭାବନୀୟ ଘଟଣା
  • ପୋଲିଓ ଡ୍ରପ୍‌ ବଦଳରେ ୧୨ଜଣ ଶିଶୁଙ୍କୁ ସାନିଟାଇଜର ଦିଆଗଲା
  • ଶିଶୁମାନେ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିଲେ
  • ୟବତମାଲ ସରକାରୀ ମେଡିକାଲକୁ ଶିଶୁମାନଙ୍କୁ ସ୍ଥାନାନ୍ତର
  • ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା

ମୁମ୍ବାଇ: ମହାରାଷ୍ଟ୍ରରେ ପୋଲିଓ ଟିକାକୁ ନେଇ ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ମହରାଷ୍ଟ୍ରର ୟବତମାଲରେ ପୋଲିଓ ଡ୍ରପ୍‌ ଭାକ୍ସିନେସନ ସମୟରେ ବଡ଼ ଧରଣର ଅନିୟମିତତା ସାମ୍ନାକୁ ଆସିଛି। ୫ ବର୍ଷର କମ୍‌ ଶିଶୁଙ୍କୁ ପୋଲିଓ ଡ୍ରପ ବଦଳରେ ହାଣ୍ଡ ସାନିଟାଇଜର ଦିଆଯାଇଛି। ଘଟଣା ଘଟିଛି ସୋମବାର ଦିନ। ୟବତମାଲ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ  ଏହି ତଥ୍ୟ ଦେଇଛନ୍ତି।

ସୋମବାର ୫ ବର୍ଷ କମ୍‌ ଶିଶୁଙ୍କୁ ପୋଲିଓ ଡ୍ରପ ଦିଆଯିବାର କାର୍ଯ୍ୟକ୍ରମ ଥିଲା। ପ୍ରାୟ ୧୨ ଜଣ ଶିଶୁଙ୍କୁ ଭୁଲକ୍ରମେ ପୋଲିଓ ଡ୍ରପ ବଦଳରେ ସାନିଟାଇଜର ଦିଆଯାଇଥିଲା। ଫଳରେ ୧୨ ଜଣ ଶିଶୁ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ୟବତମାଲ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଶିଶୁମାନଙ୍କ ଅବସ୍ଥା ଭଲ ଅଛି। ତେବେ ଏହି ଘଟଣା ସହ ଜଡିତ ତିନି ଜଣ କର୍ମଚାରୀଙ୍କ-ଜଣେ ସ୍ୱାସ୍ଥ୍ୟକର୍ମୀ, ଜଣେ ଡାକ୍ତର ଓ ଜଣେ ଆଶାକର୍ମୀଙ୍କୁ ନିଲମ୍ବିତ କରାଯାଇଛି।

ଯେଉଁ ଶିଶୁମାନଙ୍କୁ ସାନିଟାଇଜର ଦିଆଯାଇଥିଲା, ବିଳମ୍ବିତ ରାତିରେ ସେମାନଙ୍କର ବାନ୍ତି ହେବା ସହ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ରାତିରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ବର୍ତ୍ତମାନସୁଦ୍ଧା ଭଲ ଥିବା ଜଣାଯାଇଛି।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ‘ମୋ ପୁଅ ଏବଂ ଝିଅ ଡୋଜ୍‌ ନେବା ପରେ ବାନ୍ତି କରିବା ଆରମ୍ଭ କରିଥିଲେ। ସେଠାରେ ୩ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ସେମାନେ ଯେତେବେଳେ ଜାଣିପାରିଲେ ଯେ, ଭୁଲ୍‌ କ୍ରମେ ପୋଲିଓ ବଦଳରେ ସାନିଟାଇଜର ଦେଇଛନ୍ତି, ସେତେବେଳେ ଆମକୁ  ଡାକିଲେ ଏବଂ ପୁଣି ଥରେ ପୋଲିଓ ଡ୍ରପ ଦେଇଥିଲେ। ଆମ ପିଲାଙ୍କ ଜୀବନ ସହ ସ୍ୱାସ୍ଥ୍ୟ ଅଧିକାରୀମାନେ ଖେଳିଛନ୍ତି’ ବୋଲି ଅଭିଭାବକମାନେ କହିଛନ୍ତି।

ସ୍ୱାସ୍ଥ୍ୟ ଅଧିକାରୀ, ଅଙ୍ଗନବାଡି କର୍ମୀ ଏବଂ ଆଶା କର୍ମୀ ଏହି ଘଟଣା ପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ। ସେମାନଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିବା ସହ ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

You might also like