ମୋବାଇଲ୍‌ରେ ବ୍ୟସ୍ତ ଥିଲେ ଡାକ୍ତର, ପୋଲିଓ ଡ୍ରପ୍‌ ବଦଳରେ ଶିଶୁଙ୍କୁ ପିଆଇ ଦେଲେ ସାନିଟାଇଜର୍‌

ମୁମ୍ବାଇ(ସୁରେଶ ଦାଶ): ମହାରାଷ୍ଟ୍ରର ୟବତମାଲ୍‌ରେ ପୋଲିଓ ଟିକାକରଣ ସମୟରେ ୧୨ଜଣ ଶିଶୁଙ୍କୁ ପୋଲିଓ ଡ୍ରପ୍‌ ବଦଳରେ ହ୍ୟାଣ୍ଡ୍‌ ସାନିଟାଇଜର ପିଆଇ ଦେବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଏହି ଘଟଣାରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଘଟଣାର ଯାଞ୍ଚ ବେଳେ ଜଣାପଡ଼ିଛି, ଯେତେବେଳେ ଏହି କୋମଳମତି ଶିଶୁଙ୍କୁ ଅଙ୍ଗନବାଡ଼ି କର୍ମୀ ପୋଲିଓ ଡ୍ରପ୍‌ ବଦଳରେ ହ୍ୟାଣ୍ଡ୍‌ ସାନିଟାଇଜର ପିଆଉ ଥିଲେ, ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଡାକ୍ତର ମୋବାଇଲ୍‌ରେ ବ୍ୟସ୍ତ ଥିଲେ। ଏନେଇ ୟବତମାଲ୍‌ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ହରି ପାୱାର ସୂଚନା ଦେଇଛନ୍ତି। ଏହା ଜଣାପଡ଼ିବା ପରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି।

ସୂଚନା ଅନୁସାରେ, ପୋଲିଓ ଟିକାକରଣ ଅଭିଯାନ ଚାଲୁଥିବାରୁ ଟିକାକରଣ କେନ୍ଦ୍ରରେ ସାନିଟାଇଜର ବ୍ୟବହାର ପାଇଁ ରଖା ଯାଇଥିଲା। ଏକ ଟେବଲ୍‌ରେ ହ୍ୟାଣ୍ଡ୍‌ ସାନିଟାଇଜର ଓ ପୋଲିଓ ଡ୍ରପ୍‌ ରଖା ଯାଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଡାକ୍ତର ଫୋନ୍‌ରେ ବ୍ୟସ୍ତ ଥିଲେ। ଫଳରେ ଭୁଲ୍‌ବଶତଃ ଶିଶୁଙ୍କୁ ପୋଲିଓ ଡ୍ରପ୍‌ ବଦଳରେ ହ୍ୟାଣ୍ଡ୍‌ ସାନିଟାଇଜର ପିଆଇ ଦିଆଯାଇଥିଲା ବୋଲି ସୂଚନା ମିଳିଛି।

ଏଠାରେ ପ୍ରଶ୍ନ ଉଠୁଛି ଡାକ୍ତର ଜଣକ ଅଫିସ୍‌ କାମରେ ମୋବାଇଲ୍‌ରେ ବ୍ୟସ୍ତ ଥିଲେ ନା ବ୍ୟକ୍ତିଗତ କାମରେ ବ୍ୟସ୍ତ ଥିଲେ ? ଏସମ୍ପର୍କରେ ଜଣାପଡ଼ି ନାହିଁ। ପୋଲିଓ ଡ୍ରପ୍‌ ବଦଳରେ ହ୍ୟାଣ୍ଡ୍‌ ସାନିଟାଇଜର ପିଇବା ଫଳରେ ୧୨ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ସେମାନଙ୍କୁ ୟବତମାଲ୍‌ ସରକାରୀ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଥିଲା।

ସୂଚନାଥାଉ କି, ସୋମବାର ଦିନ ୟବତମାଲ୍‌ରେ ୫ ବର୍ଷ କମ୍‌ ଶିଶୁଙ୍କୁ ପୋଲିଓ ଡ୍ରପ୍‌ ଦିଆଯାଉଥିଲା । ପ୍ରାୟ ୧୨ ଜଣ ଶିଶୁଙ୍କୁ ଭୁଲ୍‌କ୍ରମେ ପୋଲିଓ ଡ୍ରପ୍‌ ବଦଳରେ ସାନିଟାଇଜର ଦିଆଯାଇଥିଲା। ଫଳରେ ୧୨ ଜଣ ଶିଶୁ ଅସୁସ୍ଥ ହୋଇ ପଡ଼ିଥିଲେ।

You might also like