ଦେଶରେ ୧୧୧ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଆଜି ଶହେ ଟପିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏହି ଘାତକ ମହାମାରୀ ଏଯାଏଁ ୧୧୧ ଜଣଙ୍କ ମୁଣ୍ଡ ନେଲାଣି। ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୭୦୪ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଏଥିସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୮୧ରେ ପହଞ୍ଚିଥିବାବେଳେ ୩ ହଜାର ୬ଶହ ୬୬ ଚିକିତ୍ସାଧୀନ ଅଛନ୍ତି।

କରୋନା ସଂକ୍ରମଣରୁ ସୁସ୍ଥ ହୋଇ ୩୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, କେରଳ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ବୋଲି ଜଣାପଡ଼ିଛି।

ସଂକ୍ରମଣ ମଧ୍ୟରୁ ୧୪୪୫ ଜଣଙ୍କ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସଭା ସହ ଲିଙ୍କ ରହିଥିବା ସୂଚନା ମିଳିଛି। ସେହିଭଳି ୨୫ ହଜାରରୁ ଅଧିକ ତବଲିଗି ଜମାତର ସଦସ୍ୟ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ  କ୍ୱାରେଣ୍ଟାଇନରେ ରଖାଯାଇଥିବା କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

କୋଭଡି-୧୯ ମୁକାବିଲା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ରାଜ୍ୟମାନଙ୍କୁ ଆଜି ଅତିରିକ୍ତ ୩ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ସେପଟେ ୫ ଲକ୍ଷ ଟେଷ୍ଟିଂ କିଟ୍  ପାଇଁ ଅର୍ଡର ଦିଆଯାଇଛି। ଏପ୍ରିଲ ୮-୯ ଭିତରେ ଅଢେଇ ଲକ୍ଷ କିଟ୍ ଆସି ପହଞ୍ଚିବ ବୋଲି ICMR ଉପନିର୍ଦ୍ଦେଶକ କହିଛନ୍ତି।

You might also like