ତାମିଲନାଡ଼ୁ ବାଣ କାରଖାନାରେ ଅଗ୍ନିକାଣ୍ଡ: ଜଣେ ଓଡ଼ିଆ ଶ୍ରମିକଙ୍କ ସହ ୧୧ ମୃତ
ଚେନ୍ନାଇ: ତାମିଲନାଡ଼ୁର ଏକ ବାଣ କାରଖାନାରେ ନିଆଁ ଲାଗି ଯାଇଛି। ଏହି ଅଗ୍ନିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୬ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଶ୍ରମିକ ଅଛନ୍ତି। ଏଥିସହିତ ୩ ଜଣ ଓଡ଼ିଆ ଶ୍ରମିକ ଗୁରୁତର ହୋଇଛନ୍ତି।
ପ୍ରଥମେ ୪ ଶ୍ରମିକଙ୍କୁ ସ୍ଥାନୀୟ ମେଡ଼ିକାଲ ନିଆଯାଇଥିଲା। ସେଠାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲାବେଳେ ୩ ଶ୍ରମିକ ଚିକିତ୍ସାଧୀନ ଅଛନ୍ତି। ୪ ଜଣ ଶ୍ରମିକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନୟାପାଲି ଗାଁର ବୋଲି ସୂଚନା ମିଳିଛି।
ଚେନ୍ନାଇରଠାରୁ ୫୦୦ କିମି ଦୂର ଭିରୁଦ୍ଧନଗରରେ ଥିବା ବାଣ କାରଖାନାରେ ଆଜି ମଧ୍ୟାହ୍ନରେ ବିସ୍ଫୋରଣ ହୋଇଥିଲା। ପୋଲିସର କହିବା ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ବାଣ ତିଆରି ପାଇଁ କିଛି କେମିକାଲ ଗୋଳାଉଥିବାବେଳେ ହଠାତ୍ ବିସ୍ଫୋରଣ ହେଲା।
ଅଚ୍ଛାନକୁଳମ ଗ୍ରାମରେ ଥିବା କାରଖାନାରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ବିଭିନ୍ନ ସ୍ଥାନରୁ ତୁରନ୍ତ ୧୦ଟି ଦମକଳ ଘଟଣାସ୍ଥଳକୁ ଯାଇଥିଲା। ମୁଖ୍ୟମନ୍ତ୍ରୀ ପିଲାନିସ୍ୱାମୀ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ସେହିପରି ଗୁରୁତର ଆହତଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି।
ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହ ଗୁରୁତରମାନେ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ଆଶ ପ୍ରକଟ କରିଛନ୍ତି।
Fire at a firecracker factory in Virudhunagar, Tamil Nadu is saddening. In this hour of grief, my thoughts are with the bereaved families. I hope those injured recover soon. Authorities are working on the ground to assist those affected: PM @narendramodi
— PMO India (@PMOIndia) February 12, 2021