କରୋନାକୁ ମାତ୍ ଦେଲେ ୧୦୩ ବର୍ଷର ବୃଦ୍ଧା

ତେହରାନ୍‌: କୁହାଯାଉଛି ବୟସ୍କ ଲୋକଙ୍କ ପାଇଁ କରୋନା ମୃତ୍ୟୁ ଦୂତ ସାଜି ଆସିଛି। ହେଲେ କଥାଟା ସମ୍ପୂର୍ଣ୍ଣ ଭୁଲ୍। କାରଣ ଇରାନ୍‌ରେ ଜଣେ ୧୦୩ ବର୍ଷୀୟ ଜଣେ ବୃଦ୍ଧା କରୋନାକୁ ମାତ ଦେଇଛନ୍ତି। ଚିକିତ୍ସା ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜଧାନୀ ତେହରାନରୁ ୧୮୦ କିମି ଦୂର ସେମନାନ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ମହିଳାଙ୍କ ନାଁ ପ୍ରକାଶ କରି ନାହାନ୍ତି।

ଡାକ୍ତରଖାନା ନିର୍ଦ୍ଦେଶକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ କରୋନା ସହ ଲଢି ତାକୁ ମାତ୍‌ ଦେଇଥିବା ମହିଳା ଜଣେ ନୁହଁନ୍ତି, ଏହା ପୂର୍ବରୁ ଦେଶର ଦକ୍ଷିଣ-ପୂର୍ବ ଇଲାକାର କେରମାନରେ ଜଣେ ୯୧ ବର୍ଷୀୟ ବୃଦ୍ଧ ମଧ୍ୟ ଚିକିତ୍ସା ପରେ କରୋନାରୁ ମୁକ୍ତି ପାଇଛନ୍ତି। ସବୁଠାରୁ ବଡ କଥା ହେଉଛି, ଏହି ବୃଦ୍ଧ ଜଣକ ହାଇ ବ୍ଲଡପ୍ରେସର ଏବଂ ଆସ୍ଥମା ଆକ୍ରାନ୍ତ । କରୋନା ପାଇଁ ଏହା ଘାତକ ହୋଇଥିଲେ ମଧ୍ୟ ବୃଦ୍ଧ ଜଣକ ଏଥିରୁ ବର୍ତ୍ତି ଯାଇଛନ୍ତି। ତେବେ ଏଇ ଦୁଇ ବରିଷ୍ଠ ନାଗରିକଙ୍କୁ କେଉଁ ଔଷଧ ଦ୍ୱାରା ଚିକିସା କରାଯାଉଥିଲା ତାହା ଡାକ୍ତର ସ୍ପଷ୍ଟ କରି ନାହାନ୍ତି।

ସୂଚନାଥାଉ କି, ଇରାନ୍‌ରେ କରୋନା ମୃତ୍ୟୁ ପ୍ରଥମେ ଫେବ୍ରୁଆରୀ ୧୯ ତାରିଖରେ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୧୦୦୦ରେ ପହଞ୍ଚିଛି।

You might also like