ଦୃଢ଼ ମନୋବଳ ଆଗରେ ହାରିଲା କରୋନା : ଘରେ ରହି ଭାଇରସକୁ ମାତ ଦେଲେ ୧୦୦ ବର୍ଷୀୟ ମହିଳା

ଲକ୍ଷ୍ନୌ : ହାରିଗଲା ଭାଇରସ୍‌, ଜିତିଗଲେ ବୃଦ୍ଧା । ଦୃଢ଼ ମନୋବଳ ଆଗରେ ହାରିଲା ଅଦୃଶ୍ୟ ଭାଇରସ୍ । କରୋନା ମହାମାରୀର ମୁକାବିଲା କରି ଜିତିଲେ ବୃଦ୍ଧ ମହିଳା । ଘରେ ରହି ଭାଇରସକୁ ହରାଇଲେ ୧୦୦ ବର୍ଷୀୟ ଜାନକୀ ଠୁକରାଲ । ବ୍ଲଡ ପ୍ରେସର, ଡାଇବେଟିସ ଓ ହୃଦରୋଗରେ ପୀଡ଼ି ଥିଲେ ସୁଦ୍ଧା ମନରେ କୌଣସି ନକରାତ୍ମକ ବିଚାର ନଆଣି ସେ ସୁସ୍ଥ ହୋଇପାରିଛନ୍ତି ।

ଜାନକୀ ଠୁକରାଲ କରୋନାରେ ପୀଡ଼ିତ ହେବା ପରେ ତାଙ୍କର ଅକ୍ସିଜେନ୍ ଲେବେଲ ବହୁତ କମ ହୋଇଯାଇଥିଲା । ହେଲେ ପରିବାର ଲୋକଙ୍କ ସ୍ନେହ ଓ ସହଯୋଗ କ୍ରମେ ଆଜି ସେ କରୋନାକୁ ହରାଇ ପାରିଛନ୍ତି । ଜାନକୀଙ୍କ ସହ ପରିବାରର ଆଉ ୧୦ ଜଣ ସଦସ୍ୟ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଚାରି ଜଣ ବୟସ୍କ ବ୍ୟକ୍ତି । ହେଲେ କେହି ହସ୍ପିଟାଲ ନଯାଇ ଘରେ ଆଇସୋଲେସନରେ ରହି କରୋନକୁ ମାତ ଦେଇଛନ୍ତି । ପରିବାରର ସମସ୍ତ ଲୋକ ପରସ୍ପରର ଯତ୍ନ ନେବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ଟେଲି ମେଡିସିନ ବ୍ୟବସ୍ଥା ମାଧ୍ୟମରେ ମହାମାରୀ ଯୁଦ୍ଧ ଜିତିପାରିଛନ୍ତି ।

ଲକ୍ଷ୍ନୌ ହଜରତଗଞ୍ଜ ମୁଖ୍ୟ ରାସ୍ତା ନିକଟରେ ଜାନକୀ ଠୁକରାଲ ନିଜର ପରିବାର ସହ ରୁଅନ୍ତି । ଏପ୍ରିଲ ୧୦ ତାରିଖରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ବୋଲି କହିଛନ୍ତି ନାତି ଅମିତ । ଆଉ ତା’ପରେ ପରିବାରର ସମସ୍ତ ସଦସ୍ୟ କରୋନା ପରୀକ୍ଷା କରାଇଥିଲେ । ଫଳରେ ଘରର ୧୦ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସେଥି ମଧ୍ୟରୁ ପାଞ୍ଚ ଜଣ ଥିଲେ ବରିଷ୍ଠ ନାଗରିକ, ଆଉ ସବୁଠାରୁ ବୟସ୍କ ଥିଲେ ଜାନକୀ ଠୁକରାଲ । ଜେଜେମା ଜାନକୀଙ୍କ ପାଇଁ ବେଶୀ ଚିନ୍ତା ଲାଗୁଥିଲା ବୋଲି ସେ କହିଛନ୍ତି ।

ସେତେବେଳେ ଡାକ୍ତରଖାନାରେ ବେଡ ମିଳୁନଥିବା ବେଳେ ତାଙ୍କୁ ଡାକ୍ତରଖାନା ନେବା ମଧ୍ୟ ସୁରକ୍ଷିତ ନଥିଲା । ଏପରି ପରିସ୍ଥିତିରେ ଜେଜେମା’ଙ୍କୁ ଘରେ ରଖିବାକୁ ସ୍ଥିର କରାଯାଇଥିଲା। ଏକ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ଘରେ ଅମ୍ଳଜାନ ସିଲିଣ୍ଡର ରଖାଯାଇ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଗଲା । ତାଙ୍କ ପାଇଁ ଜଣେ ନର୍ସ ନିୟୋଜିତ ହୋଇଥିଲେ । ଶେଷରେ ଧୀରେ ଧୀରେ ଭଲ ହୋଇଥିଲେ ଜାନକୀ ଏବଂ ୨୦ ଦିନ ପରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା ।

You might also like