ରାଷ୍ଟ୍ରପତିଙ୍କ ମୋହର ପରେ ଆଇନରେ ପରିଣତ ହେଲା ସବର୍ଣ୍ଣ ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ  : ସବର୍ଣ୍ଣ ସଂରକ୍ଷଣ ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ମୋହର ପରେ ଏହା ଏବେ ଆଇନରେ ପରିଣତ ହୋଇଛି। ଏଣିକି ସରକାରୀ ଚାକିରୀରେ ୧୦ ପ୍ରତିଶତ ଆର୍ଥିକ ଅନଗ୍ରସର ଉଚ୍ଚ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ।

ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ପାସ୍ ପରେ ବିଲ୍ ରାଷ୍ଟ୍ରପତିଙ୍କ ପାଖକୁ ଯାଇଥିଲା। ବିଲ୍‌ରେ ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି।

ଫଳରେ ଦେଶର ୩୬ କୋଟି ଲୋକ ଲାଭବାନ ହେବେ। ସାଧାରଣ ବର୍ଗର ଲୋକେ ଯେଉଁମାନଙ୍କ ବାର୍ଷିକ ଆୟ ୮ ଲକ୍ଷରୁ କମ୍, ୫ ଏକରରୁ କମ୍ ଚାଷ ଜମି ଥିବ, ଏକ ହଜାରରୁ କମ୍‌ ବର୍ଗଫୁଟ ଜାଗାରେ ଘର ଥିବ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୦୦ ୟାର୍ଡରୁ କମ୍‌ ବାସୋପଯୋଗୀ ପ୍ଲଟ୍ ଥିବ, ସେମାନେ ସଂରକ୍ଷଣ ସୁବିଧା ପାଇବେ ବୋଲି ବିଲ୍‌ରେ ବ୍ୟବସ୍ଥା ରହିଛି।

ଲୋକସଭାରେ ଏହି ବିଲ୍ ସୁରୁଖୁରୁରେ ପାରିତ ହୋଇଥିଲା। ତେବେ ରାଜ୍ୟସଭାରେ ବିଲ୍ ଆଗତ ବେଳେ ପ୍ରଥମେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରି ହଟ୍ଟଗୋଳ କରିଥିଲେ। କିନ୍ତୁ ପରେ ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ, ସମାଜବାଦୀ ପାର୍ଟି, ଟିଡିପି ଏବଂ ଡିଏମକେ ବିଲକୁ ସମର୍ଥନ କରିଥିଲେ। ବିଜୁ ଜନତା ଦଳ ମଧ୍ୟ ଏହି ବିଲକୁ ସମର୍ଥନ କରିଥିଲା।

You might also like