ସରକାରଙ୍କ ରାଡାର୍‌ରେ ରହିବ ଆପଣଙ୍କ କମ୍ପ୍ୟୁଟର୍

ନୂଆଦିଲ୍ଲୀ: ଏଣିକି ସରକାରଙ୍କ ରାଡାର୍‌ରେ ରହିବ ଆପଣଙ୍କ ବ୍ୟକ୍ତିଗତ କମ୍ପୁଟର୍। ଦେଶର ସମସ୍ତ କମ୍ପ୍ୟୁଟର୍ ଯାଞ୍ଚ ଲାଗି ଗୃହ ବିଭାଗ ୧୦ଟି କେନ୍ଦ୍ରୀୟ ତଦନ୍ତ ସଂସ୍ଥାକୁ ଅଖଣ୍ଡ କ୍ଷମତା ଦେଇଛି।

ଏହି ସଂସ୍ଥାଗୁଡ଼ିକ ହେଲା- ଇଣ୍ଟେଲିଜେନ୍ସ ବ୍ୟୁରୋ, ନାରକୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ, ଏନ୍‌ଫୋର୍‌ସମେଣ୍ଟ ଡାଇରେକ୍ଟୋରେଟ୍, ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍, ଡାଇରେକ୍ଟର୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ, ସିବିଆଇ, ନ୍ୟାସନାଲ୍ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି, ରିସର୍ଚ୍ଚ ଆଣ୍ଡ୍ ଆନାଲେସିସ୍ ଓ୍ୱିଙ୍ଗ୍, ଦିଲ୍ଲୀ ପୁଲିସ୍ କମିଶନର୍ , ଜାମ୍ମୁ ଓ କାଶ୍ମୀର୍ ଏବଂ ନର୍ଥ ଇଷ୍ଟ ଡାଇରେକ୍ଟର୍‌ ଅଫ୍ ସିଗନାଲ୍‌ ଇଣ୍ଟେଲିଜେନ୍ସି।

କୌଣସି ସନ୍ଦିଗ୍ଧ ଘଟଣା କିମ୍ବା ଜାତୀୟ ସୁରକ୍ଷା ଓ ଏକତା ପ୍ରତି ବିପଦ ସୃଷ୍ଟି ହେଉଥିବା ନେଇ ସନ୍ଦେହ ଉପୁଜିଲେ ଏହି ସଂସ୍ଥାମାନେ ସିଧାସଳଖ ସଂପୃକ୍ତ କମ୍ପ୍ୟୁଟରକୁ ଯାଞ୍ଚ୍ କରିପାରିବେ। କମ୍ପ୍ୟୁଟର ବ୍ୟବହାରକାରୀ ନିଜେ ପ୍ରସ୍ତୁତ କରିଥିବା ଡାଟା, ଅନ୍ୟଠାରୁ ଆଣିଥିବା ଡାଟା, ଇ-ମେଲ୍ ଓ ଅନ୍ୟ ସୋସିଆଲ୍ ମିଡିଆ ଆପ୍ଲିକେସନ୍‌ ମାଧ୍ୟମରେ ନେଣଦେଣ କରିଥିବା ଡାଟାକୁ ଏହି ଏଜେନ୍ସିମାନେ ଜବତ କରିବା ସହ ଏନ୍‌କ୍ରିପ୍ଟ ମଧ୍ୟ କରିପାରିବେ।

ଆଇଟି ଆକ୍ଟ ୨୦୦୦ର ୬୯(୧) ଧାରା ଅନୁସାରେ କେନ୍ଦ୍ର ଗୃହ ବିଭାଗ ଯାଞ୍ଚ୍ ଏଜେନ୍ସିମାନଙ୍କୁ ଏହି କ୍ଷମତା ଦେଇଛି। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଜୋରଦାର ବିରୋଧ କରିଛନ୍ତି।

ଏହା ବ୍ୟକ୍ତିଗତ ସ୍ୱାଧୀନତାର ଖୋଲା ଉଲ୍ଲଙ୍ଘନ ବୋଲି କଂଗ୍ରେସ କହିଛି। ସେହିପରି ଟେଲିଫୋନ୍ ଟ୍ୟାପିଂ ଗାଇଡ୍‌ଲଇନ୍ସ, ବ୍ୟକ୍ତିଗତ ଗୋପନୀୟତା ରାୟ ଓ ଆଧାର ରାୟର ଏହା ଉଲ୍ଲଘନ ବୋଲି ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ ଅଭିଯୋଗ କରିଛନ୍ତି। ଆଇଟି ଏକ୍ସପଟ୍‌ମାନେ ବି କେନ୍ଦ୍ରର ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି।

 

You might also like