କଳ୍ପନା-ବାସ୍ତବତାର କୋହରାଗ : ରକ୍ଷକ ନାୟକଙ୍କ “ଅସରନ୍ତି ଅନ୍ତାକ୍ଷରୀ”

କବିତା ହେଉଛି କବିର ଆତ୍ମଦର୍ପଣ । ଆତ୍ମମଗ୍ନତା ଓ ବିଚ୍ଛୁରଣର ଶାବ୍ଦିକ ରୂପ । ସ୍ପନ୍ଦନ ଭୂମିରେ କବି ଶବ୍ଦ, ସୀମା, କାଳ ଓ ବ୍ୟକ୍ତି ସବୁକୁ ଡେଇଁଯାଏ । ସେଇଠୁ ଆରମ୍ଭ ହୁଏ ଅସୀମତାର ସୀମା ଏବଂ କବିର ସ୍ୱପ୍ନ ଓ କଳ୍ପନା । ପୁଣି କଳ୍ପନା ଓ ବାସ୍ତବତାର ସମ୍ମିଶ୍ରଣରେ ସୃଷ୍ଟିହୁଏ କାକତାଳିକ କୋହରାଗ ଏଇ କବିତାର । ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ଶ୍ରୀମାନ୍ ରକ୍ଷକ ନାୟକଙ୍କ “ଅସରନ୍ତି ଅନ୍ତାକ୍ଷରୀ” କବିତା ଗ୍ରନ୍ଥର ଶିଳ୍ପାୟନ ପଶ୍ଚାତରେ ମୂଳ ହେଉଛି କବିଙ୍କ ଜୀବନଦୃଷ୍ଟି ଏବଂ କାବ୍ୟବିଶ୍ୱାସ । ଆତ୍ମମଗ୍ନ ହୋଇ ନୀରବିତ ଲଗ୍ନ ସମୂହରେ କଳ୍ପନା ଓ ବାସ୍ତବତାକୁ ଏକାକାର କରିଦେଇଥିବା କାବ୍ୟ ମନ୍ଦିର ହେଉଛି “ଅସରନ୍ତି ଅନ୍ତାକ୍ଷରୀ” କବିତା ସଙ୍କଳନ ।

କବି ଶ୍ରୀ ନାୟକ ଜଣେ ବିନୀତ ଚିତ୍ରକର ଭଳି କବିତାର ନିଷ୍କପଟ ଚିତ୍ରପଟ୍ଟ ଆଙ୍କି ଦେବାବେଳେ ସୃଷ୍ଟିହୋଇଛି ବହୁ କବିତା ଗ୍ରନ୍ଥ,  ଏଇ ଯେମିତି

“ଶେଷହୀନ ସନ୍ତରଣ” , “ଅମିତ୍ର ଅନ୍ଧାର” , “ଅସରନ୍ତି ଅନ୍ତାକ୍ଷରୀ”, “ଉର୍ଦ୍ଧ୍ୱ ଉଡା”, “ବ୍ରହ୍ମଶିଳା”,  “ବୀଜ ବିକ୍ଷେପ” , “ଆଉ ସବୁ ସାକ୍ଷାତରେ” , “ଅନ୍ୱେଷାଅହର୍ନିଶ”, “ଅର୍ଗଳ ଅନର୍ଗଳ” ଆଦି ଉଚ୍ଚକୋଟୀର କବିତା ସଂକଳନ । ଏଇ କବିତା ସମୂହରେ ରହିଛି କବିଙ୍କର ସାମାଜିକ ଅଙ୍ଗୀକାରବଦ୍ଧତା, ଚତୁଃପାର୍ଶ୍ୱରେ ଘେରି ରହିଥିବା ତାଙ୍କର ଯାବତୀୟ ପାରିବେଶିକତା ତଥା ଆତ୍ମମଗ୍ନତାର  ଭାବମୁଦ୍ରା । ତତ୍ ସଙ୍ଗେ ସଙ୍ଗେ ରହିଛି କବିଙ୍କ ଜୀବନଦୃଷ୍ଟି ଓ କାବ୍ୟବିଶ୍ୱାସର ମାର୍ମିକ ଚିତ୍ର ।

ପ୍ରେମ ଓ ବିଦ୍ରୋହର କବି ଶ୍ରୀମାନ୍ ନାୟକ ଚମତ୍କାର କାବ୍ୟ କାରିଗରୀର ଶିଳ୍ପୀଭାବେ ପରିଚିତ।

ତାଙ୍କର ଏ କବିତା ଗ୍ରନ୍ଥ “ଅସରନ୍ତି ଅନ୍ତାକ୍ଷରୀ (୨୦୧୧) ” ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୩ ବର୍ଷ ପାଇଁ ପ୍ରାପ୍ତ ହୋଇ ଓଡିଆ ବାଣୀ ଭଣ୍ଡାରକୁ ପରିପୁଷ୍ଟ କରିଛି । “ନିଜକୁ ପ୍ରକାଶ କରିବାକୁ କବିତା ଲେଖେ” ସ୍ୱୀକାରୋକ୍ତି ବାଢୁଥିବା ଶ୍ରୀମାନ୍ ନାୟକ କବିତାରେ ନିଜକୁ ହଜେଇ ଦେଇଥାନ୍ତି ଏବଂ ତା’ରି  ଭିତରେ ନିଜକୁ ଖୋଜିବାରେ ମସଗୁଲ ହୋଇଯାଆନ୍ତି ।

ଆତ୍ମାର ବୈରାଗ୍ୟ ହିଁ କବିଙ୍କ ସୃଜନଶୀଳତାର ମୂଳଭିତ୍ତି । ତାଙ୍କର ପ୍ରତ୍ୟେକ କବିତାରେ ଏକ ସନ୍ନ୍ୟାସୀର ସ୍ୱର ଶୁଭେ । ଯେଉଁଠାରେ ନ ଥାଏ ଗୋଟେ ସୁଖମୟ ଖସଡା, ନ ଥାଏ ପୁଣି ଜୀବନ ପ୍ରତି ପାର୍ଥିବ ମୋହ । ଆଲୋଚ୍ୟ ସଂକଳନସ୍ଥ ପ୍ରଥମ କବିତା “ମାଗୁଣି”ରେ ଏଇ ଭାବ ପ୍ରତିଭାତ ହୁଏ ।

“ତୁମଠୁ କିଛି ନ ମାଗି

ରହି ପାରିବାର ସାମର୍ଥ୍ୟ ମତେ ମିଳୁ

କିଛି ନ ଦେଲ ନାହିଁ

ଥରେ ମାତ୍ର ଏଇ ମୋ ମାଗୁଣି

ପୂରଣ କରିବା ହେଉ ।”

(ମାଗୁଣି)

କବି ଆପଣା ଜୀବନକୁ ନିଃସର୍ତ୍ତ ଭାବରେ ଅଜାଡି ଦେବାବେଳେ ଜୀବନର ପ୍ରତିଟି ଉଦବେଳନ ତାଙ୍କ କବିତାର ଅନ୍ତଃସ୍ରୋତ ପାଲଟି ଯାଇଛି । ନିଜ ଅନ୍ତର ଆତ୍ମାର ଆର୍ତ୍ତନାଦ ଶୁଭିଛି

“ଛତା ହଜିଛି ” କବିତାରେ । “ଛତା” ପ୍ରତୀକ ସାଜିଛି ପିତୃତ୍ୱର ଏବଂ ବାତ୍ସଲ୍ୟଭାବର । ମୁଣ୍ଡ ଉପରୁ ଏ ବାତ୍ସଲ୍ୟଭାବ ହଜିଯିବାପରେ ଛାତି ଭିତର ଦୁଃଖର ନିଆଁ ଓ ଧୂଆଁରୁ ଛିଟିକି ପଡିଛି ଏ କବିତା । ପରମ ବାତ୍ସଲ୍ୟଭାବ ପ୍ରକାଶିତ ହୋଇଛି ଏ କବିତାର ପ୍ରତ୍ୟେକ ଧାଡିରେ –

“ଏବେ ମନେପଡୁଛି

ଛତା ତଳେ କ’ଣ କ’ଣ ଘଟିଗଲା ନୁହେଁ

କ’ଣ କ’ଣ ଘଟି ପାରି ନ ଥିଲା

ବର୍ଷା ପୂର୍ବରୁ ଚାରିମେଘ ଏକତ୍ରିତ  ମୋ ଆଖିରେ

ବିଜୁଳି ମୋତେ ଯୋଡିଦିଏ ମାଟିରୁ ଆକାଶ

ଆଶଂକାର ଦର୍ପଣରେ ଦିପି ଦିପି ମୋର ମୁହଁ

ଛତା ଚାଲିଗଲା ପରେ ।

ମୋର ଏବେ ସବୁରିକୁ ଭୟ ଓ ସନ୍ଦେହ ।”

(ଛତା ହଜିଛି)

ସତରେ ଏ ଛତା ହଜିଯିବା ଯାହା, ଛାତିର ସ୍ପନ୍ଦନ ଅଟକିଯିବା ତାହା ।

ସାଂପ୍ରତିକ ମଣିଷର ହତାଶାବୋଧ ପ୍ରକାଶ ପାଇଛି ସଂକଳନସ୍ଥ “ମୋତେ ଟିକେ ଦିଅ” କବିତାରେ । କବି ସେଇ ହତାଶାରେ ଥାଇ ବି ଭାବବିଭୋର ହୋଇଛନ୍ତି । ସେ ଲୋଡିଛନ୍ତି ପ୍ରାଣରେ ପ୍ରାଣ ସଂଚାର, ଯୁଗ ଯୁଗର କ୍ଷୁଧା ପ୍ରଶମିତ ପାଇଁ ଖାଦ୍ୟ, ନୀରବତା ଭାଙ୍ଗିବାକୁ କିଛି ସ୍ୱର । କବି ଗାଇଛନ୍ତି –

“ଏବେ ମୁଁ କ୍ଳାନ୍ତ ଶ୍ରାନ୍ତ

ମଲା ଘୋଡାର ଟାଂକ,

ମୃତ ପ୍ରଜାପତିର ପକ୍ଷ

ଅସୁମାରୀ ସ୍ୱପ୍ନକୁ ଦଦରା ବୋଇତ

ମତେ ଆଉଁସି ଚାଲିଛି ନଂପୁସକର ହାତ

ମତେ ଟିକେ ଦିଅ ପ୍ରାଣର ପ୍ରାଣ;

ମୁଁ ଜୀଇଁ ପାରିବି ଅବଶିଷ୍ଟ କାଳ

ଅସଂଖ୍ୟ ଅପାଳକ ସତ୍ତ୍ୱେ ବି

ଏବେ ବି ମାଟି ମୋ ଉର୍ବର ।”

(ମୋତେ ଟିକେ ଦିଅ)

କବିଟିଏ ଜନ୍ମନିଏ ଗୀତ ପଦେ ଗାଇବା ପାଇଁ । ଖାସ୍ ସେଇଥିପାଇଁ ତ ସେ ସମାଜର ଦୁଃଖ, କଷ୍ଟକୁ ବରିନିଏ । ଜୀବନର ପ୍ରେମ ତାଙ୍କୁ ଶିଳ୍ପୀର ଭାବ ଦିଏ । କଅଁଳ କଥା ପଦକ ପାଇଁ

ତାଙ୍କୁ ପଥର ପରି ସବୁ ସହିବାକୁ ପଡେ । ତାଙ୍କ ଆଖିରେ ସମଗ୍ର ପରିବେଶ ପୂର୍ଣ୍ଣତାର ଭାବରେ ଉଜ୍ଜଳି ଉଠେ । କବିଙ୍କ ଲେଖନୀରେ ଏ ଭାବ ଭାସ୍ୱର ହୋଇଉଠିଛି –

“ମୁଁ ଆଉ ଭାବୁନି କାହାକୁ ଅଧା ଗଢା

ସବୁ ମୋ ପାଇଁ ସଂପୂର୍ଣ୍ଣ

ହେଇପାରେ,  ଜଗତ କହିବ

ଶିଳ୍ପୀ ତୁମେ,  ଶିଳ୍ପ ତୁମ

ଆହୁରି ପଢ଼ନ୍ତୁ

ଅପୂର୍ଣ୍ଣ ଅପୂର୍ଣ୍ଣ ।”

(ଶିଳ୍ପୀର ସଂସାର)

କବି ସବୁବେଳେ ନିଜ ରଚନା ଭିତରେ ଆତୁର ହୁଏ ଜୀବନକୁ ନେଇ । ଜୀବନର ଗତି ପଥରେ ଗତିମାନ ହୋଇଥାଏ ଜୀବନଯାନରେ ଚଢି । ଏ ଯାନରେ ଚଢିଲା ପରେ ତା ଆୟତ୍ତରେ ଆଉ କିଛି ନ ଥାଏ । ସମୁଦ୍ର,  ମରୁଭୂମି,  ପର୍ବତ, ତଳ ତଳ ଚରାଚର ଠୁ କାର୍ତ୍ତିକ,  ମାର୍ଗଶୀର, ସଂକ୍ରାନ୍ତି,  ଜନ୍ମଦିନ ପର୍ଯ୍ୟନ୍ତ ସବୁକିଛି ସନ୍ଦର୍ଶନ କରେ ତା’ ଯାତ୍ରା ପଥରେ । ଶତ୍ରୁ, ମିତ୍ର କେହି ବି ତା ନିୟନ୍ତ୍ରଣରେ ରହି ପାରନ୍ତି ନାହିଁ । ଜନ୍ମ, ମୃତ୍ୟୁ, ପାପ ସହ ତା’ର ସାକ୍ଷାତ ହୁଏ । ତା’ ସହିତ ପୁଣି ଶବ୍ଦମୟ ସୁଦର୍ଶନଙ୍କ କଣ୍ଠର ମନ୍ଦ୍ର ଧ୍ୱନିକୁ ବି ସେ ଶୁଣେ ।

କବିଙ୍କ ଭାଷାରେ—

“ଯାନ ମତେ ନେଇଯାଏ ବହୁ କାଳୁ ଲୀନ

କାଂବେ ନଗ୍ରଠୁ, ମହେଞ୍ଜୋଦାରୋ, ମାୟା ଭେଟାଏ ରାମଚନ୍ଦ୍ର,  ବାବର, ଅଶୋକ, ହିଟଲରକୁ

***     ***      ***

ଜନ୍ମ, ମୃତ୍ୟୁ, ପାପ, ପୂଣ୍ୟ ସବୁକୁ ଭେଟାଏ

ମୁଁ ଜଳଜଳ କେବଳ ଦେଖୁଥାଏ

***     ***     ***

ମୁଁ କେବଳ ଆଶ୍ଚର୍ଯ୍ୟ ହେଉଥାଏ

ସବୁଠି ମୁଁ ଥାଏ

ଅଥଚ ମୁଁ କେଉଁଠି ନ ଥାଏ ।”

(ମହାଯାନ)

ସଂକଳନସ୍ଥ ସର୍ବମୋଟ  ସତୁରିଟି ଯାକ କବିତାର ଶବ୍ଦାବଳୀ ଖୁବ୍ ଭାବପୂର୍ଣ୍ଣ । ଚିତ୍ରକଳ୍ପ ଓ ମିଥ୍ ର ପ୍ରୟୋଗ ସମସ୍ତ କବିତାଗୁଡିକୁ କରିଛି ରସପୂର୍ଣ୍ଣ । ଶୈଳୀ ସଂରଚନାରେ ମଧ୍ୟ କବିଙ୍କ ପାରଙ୍ଗମତାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଏହାର ଏକ ନିଚ୍ଛକ ଉଦାହରଣ ହେଲା ସଂକଳନସ୍ଥ “ଗାଇଡ୍” କବିତା –

“ମୁଁ କହୁ ନ ଥିଲି ରାସ୍ତାରେ ସବୁଥିବ:

ସରେଇ ଘର, ପାନଶାଳା, ଚିତ୍ରକୋଠି

ରାସ୍ତା କଡର ବୃକ୍ଷମାନେ ଜହ୍ନ ରାତିରେ କାମିନୀ ହୋଇ

ରତି ଭିକ୍ଷା କରନ୍ତି ମାଇଲ୍ ଖୁଣ୍ଟକୁ କୁଣ୍ଢେଇ,

କେହି କେହି ଅଧିଆ ପଡିଥାନ୍ତି

ବାଟକୁ ଗତି ମାଗୁଥାନ୍ତି ।”

“ଗାଇଡ୍”: କବିତାର  ଏ ଗାଇଡ୍  ଜଣକ ଆଉ କିଏ କି ? ସ୍ୱୟଂ ସେଇ ପ୍ରଭୁ ପରମେଶ୍ଵର । ଏ ଜୀବନ ରୂପକ ଜଂଗଲରେ ସେ ହିଁ ତ ଆମକୁ ମାର୍ଗ ଦେଖାଇଥାନ୍ତି । ଏଭଳି ପ୍ରତୀକ ପ୍ରୟୋଗ କବିତାକୁ ସରସ ଓ ସୁନ୍ଦର କରିଛି ।

ଆଜି ମଣିଷ ସମାଜରୁ ହସ, ଖୁସି, ପ୍ରେମର ଭାଷା ହଜିଯାଇଛି । ଈର୍ଷା,  ଅସୂୟା ଭାବ, ଭାଣ୍ଡାମି ଓ ଛଳନାରେ ପ୍ରତ୍ୟେକ ମଣିଷ ନିଜର ଅସ୍ତିତ୍ୱକୁ ହଜେଇ ଦେଇଛି । ଏ ପରିସ୍ଥିତିରେ କବିଆତ୍ମା ବିଦ୍ରୋହ କରିଛି । ତାଙ୍କ ଆତ୍ମା  ପକ୍ଷୀଟିଏ ହୋଇ ନୂତନ ଭାଷା ଓ ନୂତନ ଜଗତ ସୃଷ୍ଟି ପାଇଁ ପ୍ରୟାସ କରୁଛି ।

“କେତେ ଦେଶ, ନଈ , ନାଳ, ପର୍ବତ,  ଯୁଦ୍ଧ, ମହାମାରୀ, ଭୂକମ୍ପ, ଦୁର୍ଭିକ୍ଷ ଡେଇଁ

ଆସିଛି ଏ ପକ୍ଷୀ

ମୋରି ପାଖକୁ

ଆଖିରେ ତା ମୋରି ଠିକଣା

କୌଣସି ପ୍ରଲୋଭନ, ମୋକ୍ଷ କି ନିର୍ବାଣ

କରିପାରିନି ତାକୁ ବାଟବଣା ।”

(ଏକ ଭାଷାର ମୃତ୍ୟୁ)

କବିତା ସବୁ କାଳରେ ଏମିତି ଭିନ୍ନ ଭିନ୍ନ ଆବେଗ ଓ ବିଦ୍ରୋହର କଥା କୁହେ । ପ୍ରେମରେ ମଣିଷ, ମଣିଷକୁ ବାନ୍ଧିଦିଏ । କବି ଶ୍ରୀ ନାୟକ ବିଦ୍ରୋହର କଥା ସହ ପ୍ରେମଫୁଲର ବାସ୍ନା ବି ବିଞ୍ଚି ଦେଇଛନ୍ତି ତାଙ୍କ ସାହିତ୍ୟ ବଳୟରେ, ଯେଉଁ ବାସ୍ନା ନିରବଧି କାଳ ପର୍ଯ୍ୟନ୍ତ ଚହଟୁଥିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ପୃଥିବୀର କୋଣ ଅନୁକୋଣେ ଏ ପ୍ରେମ ପଥ ପ୍ରବାହିତ ହେଉଛି । କିନ୍ତୁ ମଣିଷ ଅମୃତ, ଐରାବତ ଖୋଜିବାରେ ସମୟକୁ ବ୍ୟଥିତ କରୁଛି । ଏଇ ପରିସୀମାକୁ ସେ ଟପି ପାରୁ ନାହିଁ । ସୁତରାଂ ମଣିଷ ମୋହ ମାୟାରେ ଗ୍ରସ୍ତ ହୋଇ ଜୀବନକୁ କଷ୍ଟକର କରିଦେଉଛି। କବିଙ୍କ ଲେଖନୀ ରେ –

“କାହାକୁ କହିବି,  କ’ଣ ଖୋଜୁଛି

ଅମୃତ, ପାରିଜାତ, ଐରାବତ

ଏଇଥିରେ ଏଠାକାର ଖୋଜିବା ସୀମିତ ।”

(ପ୍ରେମ ପଥ)

ବାସ୍ତବିକ ପ୍ରେମ ଜୀବନର ସ୍ୱପ୍ନ,  ସଂସ୍କାର, କଳା ଓ କଳ୍ପନାକୁ ନିୟନ୍ତ୍ରଣ କରେ । କବିତା ହେଉ କି ଜୀବନ, ପ୍ରେମକୁ ବାଦଦେଇ  ପୂର୍ଣ୍ଣାଙ୍ଗ ହେବ ନାହିଁ । ପ୍ରେମ ଜୀବନକୁ ସ୍ପନ୍ଦିତ କରେ । ସେଇଥିପାଇଁ ଜଣେ ପାଶ୍ଚାତ୍ୟ ଦାର୍ଶନିକ କୁହନ୍ତି—

“WHERE THERE IS LOVE THERE IS GOD,”  କବିଙ୍କୁ ଏ ମର୍ମବାଣୀ ପ୍ରବୋଧିତ କରିବାବେଳେ ତାଙ୍କ କଲମରୁ ନିସୃତ ହୋଇଛି “ପ୍ରେମ ପଥ” କବିତା ।

ସର୍ବୋପରି “ଅସରନ୍ତି ଅନ୍ତାକ୍ଷରୀ” କବିତା ସଂକଳନ ଜୀବନ ସହିତ କ’ଣ କ’ଣ ସବୁ ଯୋଗ ହେଉଛି, କ’ଣ କ’ଣ ଜୀବନ ବୃତ୍ତରୁ ଉଣା ହେଉଛି, ତା’ର ଗୋଟେ ହିସାବ ନିକାଶ କରି ଜୀବନନିଷ୍ଠ କବିତା ସଂକଳନର ରୂପଟିଏ ପ୍ରାପ୍ତ କରିପାରିଛି । ବହୁ ଶକ୍ତିଶାଳୀ ଭାବ, ବିଭାବ ଦ୍ୱାରା ଜୀବନର ଉଲ୍ଲାସକୁ ମାପିବାରେ ସମର୍ଥ ହୋଇଛି।

ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ, ଓଡ଼ିଆ ଅଧ୍ୟାପିକା

ସରକାରୀ ଏସ୍.ଏସ୍.ଡି, ଏଚ୍.ଏସ୍.ଏସ୍, ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ

ବାଲିଶଙ୍କରା, ସୁନ୍ଦରଗଡ଼

You might also like