ଦେଶ ଗଢ଼ା

ପ୍ରଦୀପ ନାୟକ

କରୋନାଜନିତ ଲକଡାଉନ୍ ସାରା ଦେଶରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକମାନେ। ସେମାନଙ୍କ ଦୁର୍ଦ୍ଦଶାକୁ ନେଇ ପଢ଼ନ୍ତୁ ଗାଳ୍ପିକ ପ୍ରଦୀପ ନାୟକଙ୍କର ଏହି ଗପ

ବସରୁ ଓହ୍ଲେଇଲା ପରେ ପୋଲିସ ବୈରାଗୀ ସମେତ ଅନ୍ୟମାନଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ଛାଡ଼ିଦେଲା। ସେଠି ପହଂଚିବା ପରେ ସିଏ ଚକିତ ହୋଇଗଲା। ସାରା ପରିବେଶ ପରିଷ୍କାର ପରିଛନ୍ନ। ଘର କାନ୍ଥ ମଧ୍ୟ ଧଳାରଂଗରେ ଉଜ୍ବଳ। ଚଟାଣ ବି ସଫା। ଭାତ କୁଢ଼େଇ ଖାଇ ହବ। ତାକୁ ଦିଆଯାଇଥିବା ବିଛଣା ଉପରକୁ ଉଠିବାକୁ ପ୍ରଥମେ ତ ସାହସ ହେଲା ନାହିଁ। ସାଂଗରେ ଆଣିଥିବା ବ୍ୟାଗ୍ ଖଣ୍ଡକୁ ଖଟ ତଳକୁ ଠେଲିଦେଇ ବିଛଣାରେ ଗଡ଼ିପଡ଼ିବା ପୂର୍ବରୁ ପରଖି ନେଲା ନିଜ ପାଦର ଧୂଳି ମଇଳାକୁ। କାନ୍ଥରେ ଲାଗିଚି ବଡ଼ପରଦାର ଏଲ.ଇ.ଡି. ଟିଭି। ଆଃ !

ଟିକେ ବିଶ୍ରାମ ନେଇଚି କି ନାହିଁ ମିଳିଗଲା ଉପମା, ମଟର ତରକାରୀ। ବୈରାଗୀ ଜୀବନରେ ପ୍ରଥମଥର ଅନୁଭବ କରୁଥିଲା ତା’ପରି ଶ୍ରମିକଟି ପାଇଁ ଏପରି ବିପୁଳ ସୁଖର ଆୟୋଜନ। ଦି’ଦିନ, ଦି’ରାତି ବସ୍ ଯାତ୍ରାର ଥକ୍କାପଣକୁ ନେଇ ଅନ୍ୟମାନେ ଶୋଇଗଲେଣି। କେଜାଣି କାହିଁକି ତାକୁ ନିଦ ଆସୁନି।

ବୈରାଗୀ ଆଖି ବୁଜି ଭାବୁଥିଲା ଗାଁ ଛାଡ଼ି ବିଦେଶକୁ ଯିବାର ଦୂର ଅତୀତ କଥା। ଜୀବନସାରା ହାଡ଼ଭଂଗା ପରିଶ୍ରମ କରିକରି ତା’ର ବାପା ଆରପାରିକି ଚାଲିଗଲା। ମା’ର କାନିଧରି ଲୋଟଣୀ ଖାଉଥିଲେ ସିଏ ଆଉ ସାନଭଉଣୀ ମୋତି। ପିଲାଦିନର ଗୋଟେ ଘଟଣା ମୋଡ଼ ବଦଳେଇ ଦେଲା ତା’ଜୀବନର। ଜଣାନଥିଲା ସେ ଘଟଣାରେ ତା’ର କେତେ ଥିଲା ନିର୍ବୋଧତା ଆଉ କେତେ ଥିଲା ବୋଧ।

ପ୍ରତିଦିନ ପରି ମାଆ ସିମେଣ୍ଟ , ଗୋଡ଼ି, ବାଲିରେ ଗୋଳେଇ ହେଉଥିଲା। ପିଲା ଦି’ଟାଙ୍କୁ ନିର୍ମାଣାଧୀନ କେଉଁ ଗୋଟେ ଘରେ ଛାଡ଼ିଦେଇ ଲାଗି ଯାଉଥିଲା କାମରେ। ପିଲା ଦି’ଟା ଘର ବାହାରେ ଗଦା ହେଇଥିବା ବାଲିରେ ଘର ତିଆରି କରି ଖେଳୁଥିବେ ତ କେବେ ଇଟାକୁ ଥୋଇ ଚୁଲି କରି ମିଛିମିଛିକା ରୋଷେଇରେ ମାତି ଯାଉଥିବେ। ପଲସ୍ତରା ବିହୀନ ଗୋଟେ ଘର କୋଣରେ ଥୁଆ ହୋଇଥିବ ମା’ର ଗଣ୍ଠିଲି, ରସଥାଳି, ପାଣିଡବା। ଭୋକ ଲାଗିଲେ ବୈରାଗୀ କେବଳ ପାଣିଡବାରୁ ତା’ ଭଉଣୀ ମୋତିକି ଦି’ଢୋକ ପାଣି ପିଆଇ ଦେଇ ନିଜେ ବି ଟିକେ ପିଇ ଦିଏ। ନିଦ ଲାଗିଲେ ସେଇ ଧୂଳିଆ ଚଟାଣ ଉପରେ ଦି’ଜଣ ଶୋଇ ଯାଆନ୍ତି।

ସିମେଣ୍ଟ ବାଲିରେ ବୁଡ଼ିଥିବା ମା’ କାମରୁ ଫେରିବା ମାତ୍ରେ ମୋତି ଆଗ ଯାଇ ମୁହଁ ଗୁଂଜି ଦିଏ ମା’ର ଥନରେ। ବୈରାଗୀ ବି ପ୍ରତିଯୋଗିତା କରି ଆର ଥନରେ ମୁହଁ ଗୁଂଜି ଦେଲା ବେଳକୁ, ମା’ କହେ – ମୋ ଧନଟା, ତୁ ପରା ବଡ଼ ହେଲୁଣି। ଛି। ତୋ ଭଉଣୀଟା ସିନା ଟିକି ପିଲା। ବୈରାଗୀ ବି ଅଳି କରି କହେ- ମୁଁ କାହିଁକି ଟିକିପିଲା ନୁହଁ ମାଆ?

ମାଆ ଦି’ ଜଣଂକ ମୁଣ୍ଡରେ ହସିହସି ହାତ ବୁଲେଇ ଚୁଳକୁ ସାଉଁଳେଇ ଦେଉଥିବ ଆଉ ଭୋକ ଭୁଲି ଆମେ ଶୋଇ ଯାଇଥିବୁ।

ମା’ ଛାତିରେ ମୁହଁ ଗୁଂଜି ବେଳେବେଳେ ବୈରାଗୀ ପଚାରେ- ମା’ ଇଏ କ’ଣ ଆମ ଘର?

ମାଆ ବହଲେଇ ବହଲେଇ କହିଦିଏ- ହଁ ରେ ଧନ, ଇଏ ଆମ ଘର। ନୂଆଘର।

ଦିନକୁ ଦିନ ଯେଉଁଯେଉଁ ବଖରା କାମ ଶେଷ ହୁଏ ମା’ ରହିବା ଜାଗା ବି ବଦଳି ବଦଳି ଚାଲେ। ବିଲେଇ ଛୁଆ ପରି ଉପର ତାଲାରୁ ତଳତାଲା ମା’ ଆମକୁ ଧରି ଜିନିଷପତ୍ର ଉଠେଇ ଏଠିସେଠି ହୁଏ। ଦିନକୁ ଦିନ ଘର କାମ ଶେଷ ହୋଇ ରଂଗରେ ଚମକିବା ବେଳକୁ ଶ୍ରମିକର ଭାଗ୍ୟ ମଉଳି ଯାଏ।

କୋଠା କାମ ଶେଷ ହୋଇଥିଲା। ଅନ୍ୟ ଜାଗାକୁ ଶ୍ରମିକମାନଂକୁ ନେବାକୁ ଠିକାଦାରର ଗାଡ଼ି ଠିଆ ହୋଇଥିଲା। ଅନ୍ୟ ଶ୍ରମିକମାନଙ୍କ ପରି ମା’ ତା ଜିନିଷପତ୍ର ଗାଡ଼ିକି ଉଠେଇ ଦେଲାବେଳକୁ ଘଟିଲା ସେଇ ଅଭୁଲା ଅଧ୍ୟାୟ।

ବୈରାଗୀ ଜିଦ୍ କଲା ସିଏ କୁଆଡେ ଯିବ ନାହିଁ, ଏଇଟା ଆମ ଘର। କାନ୍ଦିକାନ୍ଦି ଧୂଳିରେ ଗଡୁଥିଲା- ମା’ ତୁ କହିଚୁ ଏଇଟା ଆମ ଘର। ଆମ ଘର ଛାଡ଼ିକି ଆମେ କାହିଁକି କୁଆଡ଼େ ଯିବା !

ମା’ ବୁଝେଇ ବୁଝେଇ ନୟାନ୍ତ ହେଇ ଶେଷରେ ତାକୁ ଦି’ଚାରିଟା ବିଧା ଚାପୁଡ଼ା ବସେଇ ଦେଲା।

ବୈରାଗୀର ହେତୁ ପାଇବା ବେଳକୁ ବୁଝି ପାରିଥିଲା, ଶ୍ରମିକଟିଏ କେବଳ ଅନ୍ୟ ପାଇଁ ଘର ତିଆରି କରିପାରେ। କିନ୍ତୁ ତା’ ଘର ସବୁବେଳେ ଝୁଗିଝଂପୁଡ଼ି ଅବା ଖୋଲା ଆକାଶ ତଳେ। କିଛିଦିନ ମା’ ଉପରେ ରାଗି ଗୋଟେ ଗ୍ୟାରେଜରେ କାମ କରିବା ପରେ ବୈରାଗୀ ଚାଲି ଆସିଥିଲା ବିଦେଶ।

ବିଛଣାରେ ପଡ଼ିପଡ଼ି ବୈରାଗୀ ଆହୁରି ଭାବୁଥିଲା, ପେଟର ଭୋକ ମଣିଷକୁ କେଉଁଠୁ ନେଇ କେଉଁଠି ରଖିଲା। ପୁଣି ଫେରେଇ ବି ଆଣିଲା କେଉଁଠିକି।

ସକାଳକୁ କ୍ବାରେଣ୍ଟାଇନ୍ ସେଣ୍ଟରର ଜଣେ ପରିଚାରକଙ୍କ ଡାକ ଶୁଣି ବାହାରକୁ ଆସିଲା ବୈରାଗୀ।

-ଆପଣଂକ ନାଆଁ ବୈରାଗୀ ସାମଲ ?

-ଆଜ୍ଞା।

-ଆପଣଂକ ଘରୁ କେହି ଦେଖା କରିବାକୁ ଆସିଛନ୍ତି। ଆମେ ଯେତେ ମନା କଲୁ ଶୁଣୁନାହାନ୍ତି। ଆପଣ ତାଂକୁ ଦେଖାକରନ୍ତୁ ମନାନାହିଁ, କିନ୍ତୁ ନିକଟରୁ ନୁହଁ, ଶହେ ମିଟର ଦୂରରୁ।

ବୈରାଗୀ ଜାଣେ ଏଇଠୁ ତା’ ଘର ଅଳ୍ପ ଦୂର। ସତକୁସତ ବାହାର ରାସ୍ତାରେ ଠିଆ ହୋଇଛି ସେବତୀ। ତା’ ସ୍ତ୍ରୀ। କୋଳରେ ଦେଢ଼ବର୍ଷର ପୁଅ। ପୋଲିସବାବୁ ତାକୁ ଶହେ ମିଟର ଦୂରରେ ଠିଆ କରାଇଛନ୍ତି।

ଦୀର୍ଘ ଦୁଇବର୍ଷ ପରେ ବୈରାଗୀ ଦେଖୁଚି ସେବକୁ। ଦୂରରୁ ସେବ ପୁଅକୁ ଆଂଗୁଠି ଦେଖେଇ ଚିହ୍ନେଇ ଦେଇ କହୁଚି- ହେଇ ହେଇ ଦେଖିଲୁ ଧନ, ତୋ ବାପା। ପିଲାଟାବି କିଛି ନବୁଝି ହସିଉଠୁଚି। ଟିକିଟିକି ହାତକୁ ବଢ଼େଇ ଡାକିଲା ପରି କହୁଚି, ବାପା ବାପା।

ବୈରାଗୀ ଆଉ ଦେଖିପାରିଲା ନାହିଁ। ନିଜକୁ ସମ୍ଭାଳି ନପାରି ଏକାଥରକେ ଘର ଭିତରକୁ ଚାଲିଆସିଲା।

ଝରକାରେ ବାହାରକୁ ଅନେଇ ଦେଖୁଥିଲା, ସେବ କାନିରେ ଲୁହପୋଛି ଫେରିଯାଉଚି। କିନ୍ତୁ ଟିକି ପୁଅଟା ଫେରିଫେରି ଚାହୁଁଚି କ୍ବାରେଣ୍ଟାଇନ୍ ସେଣ୍ଟର ଆଡ଼କୁ।

କୋହ ଗଦଗଦ୍ ନିଜକୁ ବୁଝେଇବାକୁ ଯାଇ ବୈରାଗୀ ମନକୁ ମନ କହିଲା- ତୁ ପୁଅଟାକୁ ଗଢ଼ିବା ଦାୟିତ୍ୱ ନେଉଥା’ ଲୋ ସେବ, ମୋ ଉପରେ ପରା ଦୁନିଆ ଗଢ଼ିବା ଦାୟିତ୍ୱ।

(ଏଇ ଗପଟି ବିଶ୍ୱର ସମସ୍ତ ନିର୍ମାଣ ଶ୍ରମିକଂକୁ ସମର୍ପିତ)

ବନ୍ଧପଡ଼ା, ମଦନପୁର, କେନ୍ଦ୍ରାପଡ଼ା
ଫୋନ: ୮୯୧୭୩୭୦୨୨୭

You might also like