ରାମ ନବମୀରେ କ’ଣ ରହିଛି ବିଶେଷ ନୀତିକାନ୍ତି ? କେମିତି କରିବେ ହୋମ ? ଶୂଭ ମୂହୁର୍ତ୍ତ କେତେବେଳେ ଆରମ୍ଭ ?

୨୧ ଏପ୍ରିଲ ୨୦୨୧ ବୁଧବାର ସାରା ଦେଶରେ ରାମନାବମୀ ଉତ୍ସବ ପାଳନ କରାଯିବ। ପୌରାଣିକ କାହାଣୀ ଅନୁଯାୟୀ, ରାମନାବମୀ ଦିନ ହିଁ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ରାଜା ଦଶରଥଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଚୈତ୍ର ଶୁକ୍ଲପକ୍ଷ ନବମୀରେ ପୁନର୍ବାସୁ ନକ୍ଷତ୍ର ତଥା କର୍କଟ ଲଗ୍ନରେ ହୋଇଥିଲା। ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ପୂଜା କରିବା ପାଇଁ ଏହି ଦିନଟି ବିଶେଷ ଭାବରେ ପାଳନ କରାଯାଇଥାଏ। ଲୋକମାନେ ଶ୍ରୀରାମଙ୍କୁ ପୂଜା କରନ୍ତି ଏବଂ ଉପବାସ ରଖନ୍ତି। ଏହି ଦିନ ହୋମ ଏବଂ କନିଆ ପୂଜନର ନିୟମ ମଧ୍ୟ ରହିଛି। ଏହି ଦିନ ପୁରା ଅଯୋଧ୍ୟା ନଗରୀକୁ ନୂଆ ବୋହୁ ଭଳି ସଜାଯାଇଥାଏ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣ ହେତୁ ଏହି ଉତ୍ସବ ଏଠାରେ ଫିକା ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ତେବେ କନ୍ୟା ପୂଜନ ଏବଂ ହୋମ କରିବା ସମୟରେ ମଧ୍ୟ କରୋନା ଗାଇଡଲାଇନ ମାନିବାକୁ ପରାମର୍ଶ ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା ରାମ ନବମୀର ଶୁଭ ମୂହୁର୍ତ୍ତ । ଏହାସହ ଶ୍ରୀରାମଙ୍କ ଏହି ହୋମ ଯଞ୍ଜ ପାଇଁ କ’ଣ ସବୁ ସାମଗ୍ରୀ ଅତ୍ୟନ୍ତ ଜରୁରୀ ହେଇଥାଏ ଏବଂ କ’ଣ ରହିଛି ଏହାର ବିଧି ଏବଂ ନୀତିକାନ୍ତି।

ରାମ ନବମୀର ଶୁଭ ମୂହୁର୍ତ୍ତ;
୨୧ ଏପ୍ରିଲ ୨୦୨୧ ରାତି ୦୦:୪୩ରୁ ନବମୀ ତିଥି ଆରମ୍ଭ
୨୨ ଏପ୍ରିଲ ୨୦୨୧ ରାତି ୦୦:୩୫ ରେ ନବମୀ ତିଥି ଶେଷ
ନବମୀ ପୂଜା ଶୁଭ ମୂହୁର୍ତ୍ତ ପୂର୍ବାହ୍ନ ୧୧.୦୨ରୁ ମଧ୍ୟାହ୍ନ ୧.୩୮ ମର୍ଯ୍ୟନ୍ତ
ମୋଟ ପୂଜା ସମୟ ଦୁଇ ଘଣ୍ଟା ୩୬ ମିନିଟ

ହୋମ ସାମଗ୍ରୀ:- ନିମ, ଗୁଲର ଛାଲ, ଚନ୍ଦନ କାଠ, ଅଶ୍ୱଗନ୍ଧା, ମୁଲେଠୀ ଜଡ଼, କର୍ପୁର, ତିଲ, ଚାଉଳ, ଲବଙ୍ଗ, ଗାଈ ଘିଅ, ଇଲାଇଚି, ଶାକର, ନବଗ୍ରହ କାଠ, ପଞ୍ଚାମୃତ, ଚୂଳ ଲାଗିଥିବା ନଡ଼ିଆ, ଗୋଲା, ଜଅ, ଆମ୍ଭ କାଠ, ଆମ୍ଭ ପତ୍ର, ପିପଳି ମଞ୍ଜି ଓ ବେଲ।

ରାମ ନବମୀ ହୋମ ପଦ୍ଧତି

ରାମ ନବମୀ ଦିନ ସକାଳୁ ଶୀଘ୍ର ବିଛଣା ଛାଡି ଦେବା ଉଚିତ। ଏହାସହ ନିଜର ନିତ୍ୟକର୍ମ ସବୁ ସାରି ଗାଧୋଇ ସଫା ପୋଷାକ ପିନ୍ଧିବା ଉଚିତ। ଏହାପରେ ହୋମ କୁଣ୍ଡ ସଫା କରନ୍ତୁ ଏବଂ ସେଥିରେ ସମିଧା, କର୍ପୁର ଓ ଘିଅ ଢ଼ାଳନ୍ତୁ ଏବଂ ସେଥିରେ ଅଗ୍ନି ପ୍ରଜ୍ୱଳିତ କରନ୍ତୁ। ଯୋଡ଼ ପିନ୍ଧି ହୋମରେ ବସନ୍ତୁ। ଭଗବାନ ଗଣେଶଙ୍କୁ ମନରେ ସ୍ମରଣ କରି ହୋମ ଆରମ୍ଭ କରନ୍ତୁ। ଭଗବାନ ଶ୍ରୀରାମଙ୍କ ନାଁରେ ଆହୁତି ଦିଅନ୍ତୁ। ଏହାପରେ ଶ୍ରୀରାମଙ୍କ ପରିବାର ସମେତ ସବୁ ଦେବୀ ଦେବତାଙ୍କ ନାଁରେ ଆହୁତି ପ୍ରଦାନ କରନ୍ତୁ। ଶାସ୍ତ୍ରରେ ୧୦୮ ଆହୁତି ପ୍ରଦାନକୁ ଶ୍ରେଷ୍ଠ ବୋଲି କୁହାଯାଇଥାଏ।

ଯେତେବେଳେ ହୋମ ସମ୍ପନ୍ନ ହେବ, ସେତେବେଳେ ଭଗବାନ ଶ୍ରୀରାମଙ୍କ ଆରତୀ କରନ୍ତୁ ଏବଂ ମିଠା ଭାତର ଭୋଗ ଲଗାନ୍ତୁ।  ଯଜ୍ଞ ଶେଷ ହେବା ପରେ କନ୍ୟା ପୂଜନ କରନ୍ତୁ। ଏଥିପାଇଁ ପ୍ରଥମେ ଭଲ ପାଣିରେ କନ୍ୟାମାନଙ୍କର ପାଦ ସଫା କରନ୍ତୁ। ଏହାପରେ ସେମାନଙ୍କୁ ସୁସ୍ୱାଦୁ ଭୋଜନ କରାନ୍ତୁ। ତେବେ ଚଳିତ ଥର କରୋନା ମହାମାରୀର ଦ୍ୱିତୀୟ ଲହର ଭାରି ଭୟଙ୍କର ହେଉଛି। ତେଣୁ ଏହି ସବୁ ନୀତିକାନ୍ତି ଯଥା ସମ୍ଭବ କରୋନା ନିୟମ ମାନି କରିବାକୁ ହେବ। ଏହା ଦ୍ୱାରା ସମାଜ ଏବଂ ନିଜ ମଙ୍ଗଳ ହେବ। ଯଦି ଆମେ ପରମ୍ପରା ଓ ନୀତିକାନ୍ତିକୁ ବାହାନା କରି କରୋନା ନିୟମକୁ ବେଖାତିର କରିବା ତେବେ ଆମ ଅନେକ ଲୋକଙ୍କୁ ବିପଦରେ ପକାଇବାର ସମ୍ଭାବନା ରହିଛି।

You might also like