• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ସୁଦାମା ଓ କୃଷ୍ଣ ବାଲ୍ୟବନ୍ଧୁ ଥିଲେ। ହେଲେ ସୁଦାମା କୃଷ୍ଣଙ୍କୁ କେବେ ବି କିଛି ମାଗି ନ ଥିଲେ। ସୁଦାମାଙ୍କ ପାଇଁ କୃଷ୍ଣ ଥିଲେ ଭଗବାନ ବି ଆଉ ବନ୍ଧୁ ବି। ଯେତେବେଳେ ସୁଦାମା କୃଷ୍ଣଙ୍କୁ ଦେଖା କରିବାକୁ ଦ୍ୱାରକା ଯାଉଥିଲେ ସେତେବେଳେ ତାଙ୍କୁ ବହୁ ପଥକଷ୍ଟ ହେଉଥିଲା। ସୁଦାମାଙ୍କ ଗୋଡ଼ରେ କଣ୍ଟାରେ ଫୁଟି ରକ୍ତସ୍ରାବ ହେଉଥିଲା। ତଥାପି ବି ସେ କହୁଥିଲେ ‘ଜୟ ଶ୍ରୀକୃଷ୍ଣ’।

ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀକୃଷ୍ଣ ନାମ ଜପି ଜପି ସେ ତାଙ୍କର ସମସ୍ତ ଦୁଃଖ ଦୂର କରୁଥିଲେ।

ସୁଦାମା ଥିଲେ ଏପରି ଜଣେ ବ୍ୟକ୍ତି ଯାହା ମୁହଁରୁ ଦୁଃଖ ବେଳେ ବାହାରୁଥିଲା ଜୟ ଶ୍ରୀକୃଷ୍ଣ ଓ ସୁଖ ବେଳେ ମଧ୍ୟ ବାହାରୁଥିଲା ‘ଜୟ ଶ୍ରୀକୃଷ୍ଣ’। ନା ସେ ଦୁଃଖରେ କୃଷ୍ଣଙ୍କୁ ଭୁଲି ଯାଉଥିଲେ ନା ସୁଖରେ ଭୁଲି ଯାଉଥିଲେ। ସତ କହିବାକୁ ଗଲେ ‘ଜୟ ଶ୍ରୀକୃଷ୍ଣ’ ଶବ୍ଦ ଉଚ୍ଚାରଣ ହିଁ ଥିଲା ତାଙ୍କ ପାଇଁ ସୁଖ ଆଉ ଶାନ୍ତି। କୃଷ୍ଣଙ୍କ ପ୍ରତି ତାଙ୍କର ଭଲ ପାଇବା ଥିଲା ଅନନ୍ତ ଆଉ ଶାଶ୍ୱତ। ସେଥିପାଇଁ ଶ୍ରୀକୃଷ୍ଣ  ଛଦ୍ମବେଶୀ ମୁରଲୀ ମନୋହର ସାଜି ତାଙ୍କ ସହ ଦ୍ଵାରକା ଯାତ୍ରାରେ ସାମିଲ ହୋଇଥିଲେ।

ସୁଦାମା ହେଉଛନ୍ତି ଏପରି ଏକ ବ୍ୟକ୍ତିତ୍ୱ ଯିଏ ତାଙ୍କ ଜୀବଦ୍ଦଶା ମଧ୍ୟରେ କୌଣସି ଗୋଟିଏ ମଧ୍ୟ ପାପ କରିନଥିଲେ। ସୁଦାମାଙ୍କ ପାଇଁ କର୍ତ୍ତବ୍ୟ ଥିଲା ବଡ଼। ଏପରିକି ସୁଦାମା ନିଜେ ଉପବାସ ରହି ଅତିଥିଙ୍କୁ ଖାଦ୍ୟ ଦାନ କରୁଥିଲେ। ସୁଦାମାଙ୍କ ଭଳି ଭକ୍ତ ବିରଳ। କେବଳ ସେଥିପାଇଁ କୃଷ୍ଣ ତାଙ୍କୁ ପାଛୋଟି ନେବାକୁ ସିଂହାସନରୁ ଓହ୍ଲେଇ ଆସିଥିଲେ। ସୁଦାମାଙ୍କୁ ଯେତେବେଳେ ଛଦ୍ମବେଶୀ ମୁରଲୀ ମନୋହର ମା ଲକ୍ଷ୍ମୀଙ୍କ ହାତରନ୍ଧା ଖାଦ୍ୟ ଖାଇବାକୁ ଯାଚିଥିଲେ ସେତେବେଳେ ସୁଦାମ ଖାଦ୍ୟ ଗ୍ରହଣ କରିବା ପାଇଁ ମନା କରିଦେଇଥିଲେ। କାରଣ ତାଙ୍କ ପିଲାପିଲି ଭୋକରେ ଥିବାବେଳେ ସେ କିପରି ଖାଇବେ ବୋଲି ମୁରଲୀ ମନୋହରଙ୍କୁ କହିଥିଲେ।

ସୁଦାମାଙ୍କ ପତ୍ନୀ ବସୁନ୍ଧରା ନିଜ ପିଲାପିଲିଙ୍କୁ ଉପବାସ ରଖି କୃଷ୍ଣଙ୍କ ପାଇଁ ତିନି ମୁଠା ଖୁଦ ଏକ ପୁଡ଼ିଆରେ ବାନ୍ଧି ପଠାଇଥିଲେ। ସୁଦାମା ଏତେ ଦରିଦ୍ର ଥାଇ ମଧ୍ୟ କୃଷ୍ଣଙ୍କୁ ଏ କଥା କହିବାକୁ ଚାହୁଁ ନଥିଲେ। କୃଷ୍ଣ ଚାହୁଁଥିଲେ ସୁଦାମା ତାଙ୍କୁ ମାଗନ୍ତୁ ଆଉ ସେ ତାଙ୍କର ଇଛା ପୂରଣ କରିବେ। କିନ୍ତୁ କୃଷ୍ଣ ଶତଚେଷ୍ଟା କରି ମଧ୍ୟ ସୁଦାମାଙ୍କ ନିକଟରେ ହାରିଯାଇଥିଲେ। ଶେଷରେ ସୁଦାମା କହିଥିଲେ,‘ତୁମ ଦୟାରୁ ସବୁ କୁଶଳ ଅଛି’। ଆଉ କୃଷ୍ଣ ‘ତାହା ହିଁ ହେବ’ କହି ସୁଦାମାଙ୍କ ପାଇଁ ରାଜମହଲ ନିର୍ମାଣ କରାଇଦେଇଥିଲେ। କେବଳ ସେତିକି ନୁହେଁ ସୁଦାମାଙ୍କ ନିଜ ଗାଁ ବୃନ୍ଦାନଗରୀର ସମସ୍ତଙ୍କ ପାଇଁ ମହଲ ବନାଇଦେଲେ।

ସୁଦାମାଙ୍କ ଜୀବନଶୈଳୀରେ ଏତେ ସକରାତ୍ମକ ଶକ୍ତି ଥିଲା ଯେ, ଜଣକ ପାଇଁ ସାରା ବୃନ୍ଦାନଗରୀ ଉପକୃତ ହେଲା। ଜଣେ ଲୋକର ପୁଣ୍ୟରେ ବଦଳିଗଲା ବୃନ୍ଦାନଗରୀର ରୂପରେଖ। ସୁଦାମାଙ୍କୁ ସାହାଯ୍ୟ କରିବା ପାଇଁ କୃଷ୍ଣ ଯେମିତି ବ୍ୟାକୁଳ ହୋଇ ଉଠିଥିଲେ। ସୁଦାମା ଦରିଦ୍ର ଥିଲେ ସତ୍ୟ, କିନ୍ତୁ ତାଙ୍କ ପାଖରେ ନେତୃତ୍ୱ ନେବାର ଶକ୍ତି ଥିଲା। ସେ ଏକା ହିଁ ଅନେକ ଲୋକଙ୍କ ଚରିତ୍ର ବଦଳାଇ ଦେଇଥିଲେ।

ସୁଦାମାଙ୍କ ଜୀବନଦର୍ଶନ ଏତେ ସ୍ୱଚ୍ଛ ଥିଲା ଯେ ସ୍ୱୟଂ ଭଗବାନ ତାଙ୍କୁ ତାଙ୍କ ଦିବ୍ୟରୂପ ଦର୍ଶନ କରାଇବା ପାଇଁ ମଧ୍ୟ ବ୍ୟାକୁଳ ହୋଇଥିଲେ। ସୁଦାମା ଥିଲେ ଏକାଧାରରେ ଜଣେ ଶ୍ରେଷ୍ଠ ପତି, ଜଣେ ଶ୍ରେଷ୍ଠ ପିତା, ଜଣେ ଶ୍ରେଷ୍ଠ ବନ୍ଧୁ, ଜଣେ ଶ୍ରେଷ୍ଠ ନାଗରିକ, ଜଣେ ଶ୍ରେଷ୍ଠ ବ୍ରାହ୍ମଣ ଆଉ ଶ୍ରେଷ୍ଠ ଭକ୍ତ ମଧ୍ୟ।