
ଆଲ୍ମାରୀରେ ଥିବା ପୋଷାକରୁ ଗନ୍ଧ ବାହାରୁଥିଲେ….
ଭୁବନେଶ୍ୱର: ପୋଷାକ ଅଧିକ ଦିନ ଧରି ଆଲମାରୀରେ ରହିଲେ, ସାଧାରଣତଃ ଗନ୍ଧ ବାହାରିଥାଏ । ବିଶେଷ କରି ବର୍ଷା ଦିନେ ପୋଷାକ ଭଲଭାବେ ନଶୁଖିଲେ ସେଥିରୁ ଗନ୍ଧ ଆସେ। ତେବେ ଆପଣ ଚାହିଁଲେ ଏହି ସମସ୍ୟାର ସମାଧାନ କରିପାରିବେ।
ଆଲମାରୀରେ ରହୁଥିବା ପୋଷାକରୁ ଯେପରି ଦୁର୍ଗନ୍ଧ ନ ବାହାରିବ ସେଥିପାଇଁ କିଛି ସହଜ ଉପାୟ ରହିଛି। ଖୁବ୍ ଅଳ୍ପ ଖର୍ଚ୍ଚରେ ଏହି ସମସ୍ୟାର ସମାଧାନ ଆପଣ କରିପାରିବେ।
ଜାଣନ୍ତୁ କ’ଣ ସେହି ଉପାୟ ସବୁ…
୧. ଅଧିକ ଦିନ ଧରି ବ୍ୟବହାର କରାଯାଉ ନଥିବା ପୋଷାକ ଆଲମାରୀରେ ରହିଲେ ସାଧାରଣତଃ ସେଥିରୁ ଗନ୍ଧ ଆସିଥାଏ। ତେଣୁ ସେଗୁଡ଼ିକୁ ମଝିରେ ମଝିରେ ଖରାରେ ଶୁଖାନ୍ତୁ। ତା’ପରେ ମୋଟା କାଗଜରେ ଗୁଡ଼ାଇ ପୁଣି ଆଲମାରୀ ରଖି ଦିଅନ୍ତୁ।
୨. ଦାମୀ ପୋଷାକକୁ ଜରି କିମ୍ୱା ମୋଟା ପେପର୍ରେ ଗୁଡ଼ାଇ ଆଲମାରୀରେ ରଖନ୍ତୁ। ଏପରି କଲେ ସେଥିରୁ ଗନ୍ଧ ଆସିବ ନାହିଁ।
୩. ପୋଷାକ ରଖିବା ପୂର୍ବରୁ କର୍ପୂର ମିଶା ପାଣିରେ ଆଲମାରୀକୁ ପୋଛି ଦିଅନ୍ତୁ। ତା’ପରେ ଆଲମାରୀକୁ ସମ୍ପୂର୍ଣ୍ଣ ଭାବରେ ଶୁଖିବାକୁ ଦିଅନ୍ତୁ। ଏହାପରେ ସେଥିରେ ପୋଷାକ ରଖନ୍ତୁ। ଦେଖିବେ ଏମିତି କଲେ ପୋଷାକରୁ ଅବା ଆଲମାରୀରୁ ଗନ୍ଧ ଆସିବ ନାହିଁ।
୪. ପୋଷାକରୁ ଗନ୍ଧ ଦୂର କରିବା ପାଇଁ ଗନ୍ଧକର୍ପୂର ବ୍ୟବହାର କରନ୍ତୁ। ଗନ୍ଧକର୍ପୂରକୁ ପୋଷାକ ରଖିଥିବା ଥାକରେ ରଖନ୍ତୁ।
୫. ସପ୍ତାହକୁ ଥରେ ଆଲମାରୀକୁ ଖୋଲା ରଖନ୍ତୁ। ଏହାଦ୍ୱାରା ବାହାର ପବନ ଭିତରକୁ ଯାଇଥାଏ ଓ ପୋଷାକରୁ ଆଉ ଗନ୍ଧ ଆସିବନି।