• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର : ହାର୍ଟ ଷ୍ଟ୍ରୋକ୍, ବ୍ରେନ ଷ୍ଟ୍ରୋକ ଏପରି ଘାତକ ବେମାର ଯାହାକି ସଙ୍ଗେ ସଙ୍ଗେ  ହୋଇଥାଏ ଏବଂ ଏଥିରେ ରୋଗୀଙ୍କ ବଞ୍ଚିବା ଆଶା ବହୁତ କ୍ଷୀଣ। ହେଲେ ଯଦି ଆପଣ ଏହା ପୂର୍ବରୁ ଶରୀରରେ ଦେଖାଦେଉଥିବା ପରିବର୍ତ୍ତନ ଓ ଲକ୍ଷଣକୁ ଚିହ୍ନଟ କରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବେ, ତେବେ ଏପରି ରୋଗ କବଳରୁ ମଧ୍ୟ ମୁକ୍ତି ପାଇପାରିବେ। ତେବେ ବ୍ରେନ ଷ୍ଟ୍ରୋକ୍‌ କ’ଣ ପାଇଁ ହୁଏ ? କ’ଣ ଏହାର ଲକ୍ଷଣ ଓ କିପରି ଏଥିରୁ ମିଳିପାରିବ ମୁକ୍ତି ?

ମସ୍ତିଷ୍କର କିଛି ଅଂଶକୁ ରକ୍ତ ପ୍ରବାହ କମ୍‌ ହେଲେ କିମ୍ୱା ବିଲକୁଲ ବନ୍ଦ ହୋଇଗଲେ ହୋଇଥାଏ ବ୍ରେନ ଷ୍ଟ୍ରୋକ୍‌। ଏଥିଯୋଗୁ ମସ୍ତିଷ୍କକୁ ଅକ୍ସିଜେନ ଓ ଅନ୍ୟ ପୋଷକ ତତ୍ତ୍ୱ ପହଞ୍ଚି  ପାରିନଥାଏ। ଫଳରେ ୧ରୁ ୨ ମିନିଟ୍‌ ମଧ୍ୟରେ ବ୍ରେନ୍‌ ସେଲଗୁଡ଼ିକ ଡେଡ୍‌ ହେବାରେ ଲାଗିଥାନ୍ତି। ଏପରି ସ୍ଥିତିରେ ଖୁବ୍‌ ଶୀଘ୍ର  ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ ନଚେତ ସେ ଶରୀରର କୌଣସି ଅଙ୍ଗ ଅକାମୀ ହୋଇଯାଏ।

ବ୍ରେନ ଷ୍ଟ୍ରୋକ ହେବାର କିଛି ମାସ ପୂର୍ବରୁ ଶରୀର କିଛି ଖାସ ସଙ୍କେତ ଦେଇଥାଏ।  ଯଦି ଆପଣ ଏହାକୁ ବୁଝି ଡାକ୍ତରଙ୍କ ପରାମର୍ଶ ନିଅନ୍ତି ତେବେ ଆପଣ ବଡ଼ ବିପତ୍ତିରୁ ରକ୍ଷା ପାଇପାରିବେ।  ତେବେ କ’ଣ ଏହି ଲକ୍ଷଣ ?

ଷ୍ଟ୍ରୋକ ପୂର୍ବର ଲକ୍ଷଣ

ଷ୍ଟ୍ରୋକ୍‌ର କିଛି ମାସ ପୂର୍ବରୁ ଲକ୍ଷଣ ଦେଖାଦେଇଥାଏ। ମେଡିକାଲ ଭାଷାରେ ଏହାକୁ ମିନି ଷ୍ଟ୍ରୋକ୍‌ କହିଥାନ୍ତି। ସାଧାରଣତଃ, ୪-୫ ମିନିଟ୍‌ ପର୍ଯ୍ୟନ୍ତ ଏହି ଲକ୍ଷଣ ଦେଖାଯାଇଥାଏ । ପରେ ବ୍ୟକ୍ତି ସାମାନ୍ୟ ହୋଇଯାଇଥାନ୍ତି।

କହିବାରେ କଷ୍ଟ ଅନୁଭବ କରିବା

କଥା କହୁଥିବା ବେଳେ ହଠାତ୍‌ ରହିଯିବା, ବାରମ୍ବାର ପ୍ରୟାସ ସତ୍ତ୍ୱେ ପାଟିରୁ କଥା ନ ବାହାରିବା ଷ୍ଟ୍ରୋକର ଲକ୍ଷଣ। ଆମ କହିବା କ୍ଷମତା ସିଧାସଳଖ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ। ମସ୍ତିଷ୍କରେ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହେଲେ ବ୍ୟକ୍ତିର କହିବା ଶକ୍ତି ଅଚାନକ ପଳାଇ ଯାଇଥାଏ।

ଅଚାନକ ଅନ୍ଧାର ଦେଖାଯିବା

ଷ୍ଟ୍ରୋକର ଦ୍ୱିତୀୟ ମହତ୍ତ୍ୱପୂର୍ଣ୍ଣ ଲକ୍ଷଣ ହେଉଛି ଆଖି ଖୋଲା ଥାଇ ବି ସବୁକିଛି ଅନ୍ଧାର ଦେଖାଯିବା। ବେଳେବେଳେ ଆପଣଙ୍କୁ ଏପରି ଲାଗିବ ଯେପରି ଆଖି ଆଗରେ ଅନ୍ଧାର ଛାଇ ହୋଇଯାଇଛି ଓ ଆପଣଙ୍କୁ ସବୁ କିଛି ଝାପ୍‌ସା ଦିଶୁଛି। ଏହା ଗୋଟିଏ  ଆଖି କିମ୍ୱା ୨ଟା ଆଖିର ବି ସମସ୍ୟା ହୋଇପାରେ।

ମୁଣ୍ଡ ବୁଲାଇବା, ନିଜ ଉପରେ ନିୟନ୍ତ୍ରଣ ନ ରହିବା

ମସ୍ତିଷ୍କରେ ଠିକ୍‌ ଭାବେ ଅକ୍ସିଜେନ ପହଞ୍ଚି ନ ପାରିବାରୁ ଷ୍ଟ୍ରୋକର କିଛି ଦିନ ପୂର୍ବରୁ ଛୋଟ ଛୋଟ ଷ୍ଟ୍ରୋକ ହୋଇଥାଏ। ଯାଉଥିବା ବେଳେ ହଠାତ୍‌ ପଡ଼ିଯିବା, ଠିକ୍‌ ଭାବେ ପାଦ ନ ପଡ଼ିବା, ମୁଣ୍ଡ ବୁଲାଇ ପଡ଼ିଯିବା, ଶରୀରର ବାଲାନ୍ସ ବିଗିଡ଼ିଯିବା ଆଦି।

ଶରୀରର ଗୋଟିଏ ପାର୍ଶ୍ୱରେ ଦୁର୍ବଳ ଅନୁଭବ ହେବା

ଷ୍ଟ୍ରୋକ୍‌ ଶରୀରର ଏକ ଅଂଶକୁ ପ୍ରଭାବିତ କରିଥାଏ।  ତେଣୁ ଏହାର ପ୍ରଭାବ ଡାହାଣ କିମ୍ୱା ବାମ ପାର୍ଶ୍ୱରେ ଅନୁଭୂତ ହୋଇଥାଏ। ହାତ, ଗୋଡ଼ କିମ୍ବା ମୁହଁର ଗୋଟିଏ ପାର୍ଶ୍ୱ ଅକାମୀ ହେବା ପରି ଲାଗିବା,  ଅଧିକ ହାଲିଆ ଅନୁଭବ ହେବା ଆଦି ମିନି ଷ୍ଟ୍ରୋକର ଲକ୍ଷଣ।

ହଠାତ୍‌ ଜୋରରେ ମୁଣ୍ଡ ବିନ୍ଧା ହେବା

ଷ୍ଟ୍ରୋକ୍‌ ପୂର୍ବରୁ ବେଳେବେଳେ ଖୁବ୍‌ ଜୋରରେ ମୁଣ୍ଡ ବିନ୍ଧିଥାଏ ଓ ତାହା ଖୁବ୍‌ ଶୀଘ୍ର ଭଲ ବି ହୋଇଯାଇଥାଏ। ଏହା ସହ ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ଚେତାଶୂନ୍ୟ ହୋଇପଡିବା ଆଦି ସମସ୍ୟା ବି ଦେଖାଦେଇଥାଏ। ଏପରି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଭାବିବା ଶକ୍ତି ହରାଇ ବସିବା

ବେଳେବେଳେ ଏପରି ଅନୁଭବ କରିବେ ଯେପରି ଆପଣଙ୍କର ଭାବିବା, ଚିନ୍ତା କରିବା ଶକ୍ତି ଲୋପ ପାଇବାକୁ ବସୁଛି। ଆପଣ ସବୁ ଜାଣି ମଧ୍ୟ କିଛି ବୁଝି ପାରୁନାହାନ୍ତି। ଏହା ଷ୍ଟ୍ରୋକ୍‌ର ପ୍ରାଥମିକ ଲକ୍ଷଣ ହୋଇପାରେ।

 କିପରି ଜାଣିବେ ଏହା ଷ୍ଟ୍ରୋକ ନା ନାହିଁ

ଯେଉଁ ବ୍ୟକ୍ତିଙ୍କ ନିକଟରେ ଏସବୁ ଲକ୍ଷଣ ଦେଖାଦିଏ, ତାଙ୍କୁ ହସିବାକୁ ଚେଷ୍ଟା କରିବା ଆବଶ୍ୟକ। ଯଦି ହସିବା ସମୟରେ ଗୋଟିଏ ପାର୍ଶ୍ୱକୁ ମୁହଁ ଓହଳି ପଡ଼ିବା ପରି ଲାଗିବ, ତେବେ ଆପଣ ଜାଣିବେ ଯେ ଉକ୍ତ ବ୍ୟକ୍ତିଙ୍କୁ ଷ୍ଟ୍ରୋକ ହୋଇଛି। ଏହାବ୍ୟତୀତ ସନ୍ଦେହ ହେଲେ ଆପଣ ଉକ୍ତ ବ୍ୟକ୍ତିଙ୍କୁ ୨ ହାତ କିମ୍ୱା ଗୋଟିଏ ହାତ ଉଠାଇବାକୁ କୁହନ୍ତୁ। ଯଦି ସେ ତାହା କରିବାକୁ ସକ୍ଷମ ହେଉ ନାହାନ୍ତି, ତେବ ଏହା ଷ୍ଟ୍ରୋକ୍‌ର ଲକ୍ଷଣ। ଏପରି ସ୍ଥିତିରେ ବିଳମ୍ୱ ନ କରି ସଙ୍ଗେ ସଙ୍ଗେ ଉକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇ ଚିକିତ୍ସା ଆରମ୍ଭ କରି ଦିଅନ୍ତୁ।