ଆପଣ ନିଜ ପିଲାଙ୍କୁ ନିୟମିତ ବ୍ରେଡ୍‌ ଜାମ୍‌ ଖାଇବାକୁ ଦେଉଛନ୍ତି କି ? ସାବଧାନ

ପିଲାମାନଙ୍କୁ ଖୁଆଇବା ସମୟରେ ବାପା ମା’ଙ୍କୁ ଖୁବ୍‌ କସରତ କରିବାକୁ ପଡ଼ିଥାଏ। ବାପା ମା’ ସବୁବେଳେ ଚିନ୍ତାରେ ଥାଆନ୍ତି କେଉଁ ଖାଦ୍ୟ ଦେଲେ ପିଲାମାନଙ୍କୁ ପ୍ରଚୁର ପରିମାଣରେ ପୋଷଣ ମିଳିବ। କାହିଁକିନା ପିଲାମାନେ କ’ଣ କେତେବେଳେ ଖାଇବାକୁ ଜିଦି କରିବେ ତାହା କିଛି କହିହେବନି।

ଅଧିକାଂଶ ସମୟରେ ପିଲାମାନେ ବାହାରର ଜଙ୍କ୍‌ ଫୁଡ୍‌ ଖାଇବାକୁ ଜିଦି କରନ୍ତି। ଆଉ ମା’ମାନେ ଯେତେବେଳେ ଘରେ ପ୍ରସ୍ତୁତ କରିଥିବା ଖାଦ୍ୟ ସେମାନଙ୍କୁ ଦିଅନ୍ତି ସେମାନେ ଖାଇବାକୁ ଅରାଜି ହୁଅନ୍ତି।

କିନ୍ତୁ ଏମିତି ଖାଦ୍ୟ ଅଛି ଯାହାକୁ ପିଲାମାନେ କୌଣସି ବାହାନା ନ କରି ଖାଇଦିଅନ୍ତି। ସେ ଖାଦ୍ୟଟି ହେଉଛି ବଜାରରେ ମିଳୁଥିବା ଜାମ୍‌ ଓ ବ୍ରେଡ୍‌। ସାଧାଣତଃ ସମସ୍ତେ ଭାବନ୍ତି ଏହି ଖାଦ୍ୟ ଶରୀର ପାଇଁ ବୋଧେ ଖୁବ୍‌ ସ୍ୱାସ୍ଥ୍ୟକର। କିନ୍ତୁ ସେମିତି ନୁହେଁ। ଆପଣ ଜାଣିଛନ୍ତି କି ଜାମ୍‌ ଶରୀର ପାଇଁ ଖୁବ୍‌ କ୍ଷତିକାରକ। ଆସନ୍ତୁ ସେ ବିଷୟରେ ଜାଣିବା।

ବ୍ରେଡ୍ ଜାମ୍, ଜାମ୍ ରୁଟି, ଜାମ୍ ବିସ୍କୁଟ୍ ଜଳଖିଆରେ ହେଉକି ଦ୍ୱିପ୍ରହର ଓ ଡିନର ସମୟରେ ଆରାମ୍‌ରେ ପିଲାମାନେ ଖାଇନିଅନ୍ତି। ଏହା କେବଳ ପିଲାମାନଙ୍କ ପାଇଁ ନୁହେଁ ବାପା ମା’ଙ୍କ ପାଇଁ ବି ସବୁଠୁ ସହଜ ଉପାୟ। ଏହାକୁ ତିଆରି କରିବାକୁ ଅଦୌ ପରିଶ୍ରମ କରିବାକୁ ବି ପଡ଼ିନଥାଏ। କିନ୍ତୁ ଜାମ୍ ଶରୀର ପ୍ରତି ଆଦୌ ସ୍ୱାସ୍ଥ୍ୟକର ନୁହେଁ। କାରଣ ଗୋଟିଏ ଚାମଚ ଜାମ୍‌ ଦୁଇ କପ୍‌ ଚିନି ସହ ସମାନ ହୋଇଥାଏ।
ଅନେକ କମ୍ପାନୀ ଜାମ୍‌ରେ ଫଳ ଥିବା କୁହନ୍ତି। ବାସ୍ତବରେ ଜାମ୍‌ ପ୍ରସ୍ତୁତ କରିବା ସମୟରେ ଫଳକୁ ସିଝାଇ ସେଥିରେ ଚିନି ମିଶାଇ କରାଯାଏ। ଫଳ ସିଝିଗଲା ପରେ ସେଥିରେ ପାଣି ସ୍ତର କମ୍‌ ହୋଇ ଯାଇଥାଏ। ଆଉ ଫଳରେ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। କିଛି ଫଳରେ ଭିଟାମିନ୍‌ ସି ଥାଏ। ଜାମ୍‌ ତିଆରି କରିବା ସମୟରେ ଭିଟାମିନ୍‌ ସି ନଷ୍ଟ ହୋଇଯାଇଥାଏ।

ଏହି ସବୁ ରୋଗର ବିପଦ ଥାଏ : ଯେଉଁ ପିଲାମାନଙ୍କୁ ଜାମ୍‌ ଖାଇବାର ଅଭ୍ୟାସ ଥାଏ। ଆଉ ଯିଏ ନିୟମିତ ଭାବେ ଜାମ୍‌ ଖାଆନ୍ତି। ସେହି ପିଲାମାନେ ମୋଟା ହେବା ସହ ହୃଦୟ ଜନିତ ରୋଗରେ ପଡ଼ିବାର ସମ୍ଭାବନା ବଢ଼ିଯାଇଥାଏ। ଏହାସହ ଅଧିକ ଜାମ୍‌ ଖାଇବା ଦ୍ୱାରା କ୍ୟାଲୋରୀ ମଧ୍ୟ ବୃଦ୍ଧି ହୋଇଥାଏ।

କେବଳ ଜାମ୍‌ ହିଁ ନୁହେଁ କେଚ୍‌ଅପ୍‌ ଓ ପ୍ରିଜର୍ଭଡ୍‌ ଖାଦ୍ୟ ପଦାର୍ଥରେ ଚିନିର ମାତ୍ରା ଅଧିକ ଥାଏ। ସେଥିପାଇଁ ପିଲାମାନେ ଏହାକୁ ଅଧିକ ପସନ୍ଦ କରନ୍ତି। ଏହିଭଳି ଖାଦ୍ୟ ପଦାର୍ଥ ଶରୀର ପାଇଁ ହାନୀକାରକ ହୋଇଥାଏ। ଏହା ଖାଇବା ଦ୍ୱାରା ଭୋକ ବି କମିବା ସହ ଆଉ କିଛି ଖାଇବାକୁ ଇଛା ହୋଇନଥାଏ। ତେଣୁ ପିଲାଙ୍କୁ ନିୟମିତ ବ୍ରେଡ୍‌ ଜାମ୍‌ ଖାଇବାକୁ ଦିଅନ୍ତୁ ନାହିଁ।

You might also like