• translate
Pramod Behera

ଯୋଗ ଭାରତୀୟ ପରମ୍ପରାର ଏକ ପ୍ରାଚୀନ ଅଭ୍ୟାସ। ଯୋଗ ମନ, ଶରୀର, ଆତ୍ମାକୁ ସନ୍ତୁଳନ କରିବା ସହିତ ଏକ ସୁସ୍ଥ ଜୀବନ ଜୀଇବାରେ ମାର୍ଗ ଦେଖାଇଥାଏ। ଏକ ସକରାତ୍ମକ ଓ ସର୍ଜନାତ୍ମକ ଜୀବନ ପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ। ଅନେକ ପ୍ରକାର ରୋଗର ସ୍ଥାୟୀ ନିରାକରଣ ଯୋଗ ମାଧ୍ୟମରେ ହୋଇଥାଏ। ତେବେ ଗୋଟିଏ ଦିନରେ ଯୋଗରେ କେହି ନିପୁଣ ହୋଇଯାଆନ୍ତି ନାହିଁ। ଏଥିପାଇଁ ଅନେକ ସାଧନା କରିବାକୁ ହୋଇଥାଏ। ଜଣେ ନିୟମିତ ଭାବେ ଯଦି ଯୋଗ ଅଭ୍ୟାସ ଜାରିରଖେ ତେବେ ଏହାର ସୁଫଳ ନିଶ୍ଚୟ ମିଳିବ। ତେବେ ଆପଣଙ୍କ ଶରୀରରେ ରକ୍ତ ସଂଚାଳନକୁ ମଜବୁତ କରିବା ସହିତ ଶ୍ଵାସକ୍ରିୟାଜନିତ ସମସ୍ୟା ଲାଘବ ନେଇ କେଉଁ କେଉଁ ପ୍ରାଣାୟାମ କରିବାକୁ ହେବ ସେ ବିଷୟରେ ଆସନ୍ତୁ ଜାଣିନେବା।

ପ୍ରାଣାୟାମ ଦୁଇଟି ମୂଳ ଶବ୍ଦରୁ ସୃଷ୍ଟି ; ‘ପ୍ରାଣ’ ଯୁକ୍ତ ‘ଆୟାମ’। ପ୍ରାଣ ଅର୍ଥ ପ୍ରାଣଧାରକ ଶକ୍ତି ବା ଜୀବନୀ ଶକ୍ତି। ସେହିପରି ‘ଆୟାମ’ର ଅର୍ଥ ବିସ୍ତାର ବା ବଢିବା। ତେଣୁ ପ୍ରାଣାୟାମର ଅର୍ଥ ହେଉଛି ପ୍ରାଣର ପରିସରକୁ ବୃଦ୍ଧି କରିବା। ପ୍ରାଣାୟାମ ହିଁ ଏକମାତ୍ର ମାଧ୍ୟମ ଯାହା ଶରୀରରେ ଅମ୍ଳଯାନ ସ୍ତରକୁ ବଢେଇଥାଏ। ଶରୀରରେ ଅମ୍ଳଯାନ ସ୍ତର ବଢିଗଲେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଆପେ ଅପେ ବଢିଯାଏ। ତେବେ ଆସନ୍ତୁ ଶିଖିନେବା କେତେକ ପ୍ରାଣାୟାମ।

ଥୋରାସିକ୍ ବ୍ରିଦିଙ୍ଗ୍ :

ଥୋରାସିକ୍ ବ୍ରିଦିଙ୍ଗକୁ ଅକ୍ଷତ ଶ୍ଵସନ ମଧ୍ୟ କୁହାଯାଏ। ଗଭୀର ନିଶ୍ୱାସ ଦ୍ଵାରା ଫୁସଫୁସକୁ ଭରିବା ପରେ ଭିତରେ କିଛି ସମୟ ରଖି ଶ୍ଵାସକୁ ଛାଡିବା ପ୍ରକ୍ରିୟାକୁ ଥୋରାସିକ୍ ବ୍ରିଦିଙ୍ଗ କୁହାଯାଏ। ତେବେ ଏହା କରିବାକୁ ହେଲେ ଧୀରେ ଧୀରେ ନିଶ୍ୱାସ ନେଇ ଧୀରେ ଧୀରେ ଛାଡିବାକୁ ହୋଇଥାଏ। ଏହା କରିବା ଦ୍ଵାରା ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ପ୍ରବାହ ହୋଇଥାଏ। ଆଖି ବନ୍ଦକରି ଏହି ଅଭ୍ୟାସ କରିବା ଦ୍ଵାରା ଭଲ ଫଳାଫଳ ମିଳିଥାଏ।

ଡିପ୍ ବ୍ରିଦିଙ୍ଗ୍ :

ଶରୀରକୁ ଢିଲା ଛାଡିଦିଅ। ନିଶ୍ୱାସକୁ ଧୀରେ ଧୀରେ ଭରିବା ପରେ ଧୀରେ ଧୀରେ ଛାଡ଼। ଏହି ସମୟରେ ପେଟ ଓ ଛାତିକୁ ଢିଲା କରିବାକୁ ହୁଏ। ଏହା ଆପଣଙ୍କ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିଥାଏ।

ଭସ୍ତ୍ରିକା ପ୍ରାଣାୟାମ:

ଯେ କୌଣସି ଆରାମଦାୟକ ଆସନରେ ବସ(ପଦ୍ମାସନ, ସୁଖାସନ, ସିଦ୍ଧାସନ)। ମୁଣ୍ଡ, ମେରୁଦଣ୍ଡ ସିଧା ରଖି ଆଖି ବନ୍ଦକର ଓ ଶରୀରକୁ ଢିଲାକର। ଗଭୀର ଶ୍ଵାସ ନିଅ ଓ ଜୋରରେ ନାକ ବାଟେ ଛାଡ। ଏହାପରେ ସାଙ୍ଗେ ସାଙ୍ଗେ ଶ୍ଵାସ ନିଅ। ଶ୍ଵାସ ନେଲାବେଳେ ମଧ୍ୟଛେଦ ତଳକୁ ଖସିବ ଓ ପେଠ ପଦାକୁ ବାହାରିବ। ଶ୍ଵାସ ଛାଡିଲା ବେଳେ ମଧ୍ୟଚ୍ଛେଦ ଉପରକୁ ଉଠିବ ଏବଂ ପେଟ ଭିତରକୁ ପଶିବ। ଏହିପରି ୧୦ ଗଣିବା ପର୍ଯ୍ୟନ୍ତ କର। ଏହାପରେ ଗଭୀର ଶ୍ଵାସ ନିଅ ଓ ଧୀରେ ଧୀରେ ଛାଡ। ଏହା ହେଉଛି ଅଭ୍ୟାସର ଗୋଟିଏ ଚକ୍ର। ଏହିପରି ୫ ଚକ୍ର ଅଭ୍ୟା କର।

ଏହା କରିବା ଦ୍ଵାରା ତ୍ରିଦୋଷ(ବାତ, ପିତ, କଫ)ରୁ ଶରୀର ମୁକ୍ତ ହୁଏ। ଫୁସଫୁସରେ ବାୟୁ ଶୀଘ୍ର ବିନିମୟ ହେବା ଦ୍ଵାରା ଶରୀର ଅଧିକରୁ ଅଧିକ ଅମ୍ଳଯାନ ପାଇଥାଏ। ଶ୍ଵାସ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ।

କପାଳଭାତୀ:

କପାଳଭାତୀ ପାଇଁ ପଦ୍ମାସନ ବା ସୁଖାସନରେ ବସ। ମେରୁଦଣ୍ଡକୁ ସିଧା ରଖିବା ସହିତ ଯେକୌଣସି ଧ୍ୟାନମୁଦ୍ରା କର। ଏହା ପରେ ନାକର ଉଭୟ ପୁଡାରେ କ୍ଷୀପ୍ର ଗତିରେ ବାହାରକୁ ଶ୍ଵାସ ଛାଡ। ଏହି ସମୟରେ ପେଟକୁ ଯଥାସମ୍ଭବ ସଙ୍କୁଚିତ କରିବାକୁ ହୋଇଥାଏ। ଏହା ପରେ ତୁରନ୍ତ, ନାକର ଉଭୟ ପୁଡାରେ ସ୍ଵାଭାବିକ ଭାବେ ଶ୍ୱାସ ନେଇ ପେଟକୁ ଯଥାସମ୍ଭବ ବାହାରକୁ ଆଣିବାକୁ ହୋଇଥାଏ।

ଏହି କ୍ରିୟାକୁ ପ୍ରାଥମିକ ସ୍ତରରେ ନିଜ ଶକ୍ତି ଅନୁଯାୟୀ ୫୦ ଥର କରି ଧୀରେ ଧୀରେ ୫୦୦ ପର୍ଯ୍ୟନ୍ତ ବଢାଯାଇପାରେ। ଏହାକୁ ଅତିକମରେ ୫ ମିନିଟ୍ ଓ ଅତିବେଶିରେ ୩୦ ମିନିଟ ପର୍ଯ୍ୟନ୍ତ କରାଯାଇପାରେ। କପାଳଭାତୀ ଏକ ଅତ୍ୟନ୍ତ ଉର୍ଜାବାନ ଉଚ୍ଚ ଉଦର ଶ୍ୱାସଜନିତ ବାୟାମ। କପାଳ ଅର୍ଥ ମସ୍ତିଷ୍କ ଓ ଭାତୀ ଅର୍ଥ ଶୋଧନ। କପାଳଭାତୀ ହେଉଛି ସେହି ପ୍ରାଣାୟାମ ଯାହା ମାଧ୍ୟମରେ ମସ୍ତିଷ୍କ ପରିଷ୍କାର କରାଯାଇଥାଏ। ଏହା ଦ୍ଵାରା ମଧ୍ୟ ମସ୍ତିଷ୍କର କାର୍ଯ୍ୟ ସୂଚାରୁରୂପେ ପରିଚାଳିତ ହୋଇଥାଏ। ଖାଲି ଏତିକି ନୁହେଁ ଏହି ପ୍ରାଣାୟାମର ଅନ୍ୟାନ୍ୟ ଲାଭ ମଧ୍ୟ ଅଛି। ଲିଭର, କିଡନୀ ଓ ଗ୍ୟାସ ସମସ୍ୟା ପାଇଁ କପାଳଭାତୀ ଅତ୍ୟନ୍ତ ଲାଭଦାୟକ ଅଟେ।

ଅନୁଲୋମ-ବିଲୋମ ପ୍ରାଣାୟାମ :

ଏହାକୁ କରିବାକୁ ହେଲେ ଯେ କୌଣସି ଆରାମଦାୟକ ଆସନରେ ବସ(ପଦ୍ମାସନ, ସୁଖାସନ, ସିଦ୍ଧାସନ)। ଏହି ଅଭ୍ୟାସରେ ଶ୍ଵାସ ନେବା ଓ ଛାଡିବା ସମୟ ନିୟନ୍ତ୍ରିତ ହୁଏ। ବୁଢା ଆଙ୍ଗୁଠିରେ ଡାହାଣ ନାସାରନ୍ଦ୍ର ବନ୍ଦକରି ବାମ ନାସାରନ୍ଦ୍ରରେ ଶ୍ଵାସ ନିଅ। ସଂପୂର୍ଣ୍ଣ ଶ୍ଵାସ ନେବା ପରେ ଅନାମିକା ଆଙ୍ଗୁଠିରେ ବାମ ନାସାରନ୍ଦ୍ର ବନ୍ଦ କର ଡାହାଣ ନାସାରନ୍ଦ୍ରରୁ ବୁଢା ଆଙ୍ଗୁଠିକୁ ଛାଡ ଓ ଶ୍ଵାସ ଛାଡ। ଶ୍ଵାସ ନେବା ଓ ଛାଡିବା ସମୟ ସମାନ ରହିବ। ସେହିପରି ଡାହାଣ ନାସାରନ୍ଦ୍ରରେ ଶ୍ଵାସ ନେଇ ବାମ ନାସାରନ୍ଦ୍ରରେ ଛାଡ। ଏହା ହେଉଛି ଅଭ୍ୟାର ଗୋଟିଏ ଚକ୍ର। ଏହିପରି ପ୍ରାଥମିକ ଅବସ୍ଥାରେ ୩୦ ରୁ ୪୦ ଚକ୍ର କର ଏବଂ ପରେ ଅଭ୍ୟାସକୁ ବୃଦ୍ଧି କର।

ଏହା ଦ୍ଵାରା ସଂପୂର୍ଣ୍ଣ ଶରୀର ଅମ୍ଳଯାନ ପାଇଥାଏ। ଅଙ୍ଗାରକାମ୍ଳ ବାହାରିଯିବାରୁ ରକ୍ତ ବିଷାକ୍ତ ଦ୍ରବ୍ୟରୁ ମୁକ୍ତ ହୁଏ। ଶରୀରରେ ପ୍ରାଣ ଶକ୍ତି ବୃଦ୍ଧି ହୁଏ। ମାନସିକ ଚାପ ଓ ଉଦଦେଗ କମିଯାଏ।

Other Stories